ରାଜ୍ୟ

ନନ୍ଦପୁରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ; ଗୋଟିଏ କକ୍ଷରେ ୬ ଶ୍ରେଣୀ, ଅଫିସ ଓ ଗୋଦାମ

ନନ୍ଦପୁର : କୋରାପୁଟ ଜିଲା ନନ୍ଦପୁର ବ୍ଲକର ନନ୍ଦପୁର ସଦର ମହକୁମା ଭଣ୍ଡାରିସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଗୋଟିଏ ଶ୍ରେଣୀ କକ୍ଷରେ ବାଲବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ ଶ୍ରେଣୀର ୪୯ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସାଙ୍ଗକୁ ସେହି କକ୍ଷରେ ବିଦ୍ୟାଳୟ କାର୍ଯ୍ୟାଳୟ ଓ ଭଣ୍ଡାର ଘର ପରିଚାଳିତ ହେଉଛି। ବିଦ୍ୟାଳୟରେ ବାଲବାଟିକାରେ ୯, ପ୍ରଥମ ଶ୍ରେଣୀରେ ୭, ଦ୍ୱିତୀୟରେ ୬, ତୃତୀୟରେ ୮, ଚତୁର୍ଥରେ ୧୬ ଓ ପଞ୍ଚମ ଶ୍ରେଣୀରେ ୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ। ପିଲାଙ୍କ ଶିକ୍ଷାଦାନ ପାଇଁ ବିଦ୍ୟାଳୟରେ ୩ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଛନ୍ତି। ସେହି ଗୋଟିଏ କୋଠରି ହିଁ ପାଠପଢ଼ା, ବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟ ଏବଂ ଗୋଦାମ ଗୃହ ଭାବେ ବ୍ୟବହୃତ ହେଉଛି। ଏପରି ପରିସ୍ଥିତିରେ ଭିନ୍ନଭିନ୍ନ ଶ୍ରେଣୀର ପିଲାଙ୍କୁ କିପରି ସୁବ୍ୟବସ୍ଥିତ ଓ ଗୁଣାତ୍ମକ ଶିକ୍ଷା ଦିଆଯାଉଛି, ତାହାକୁ ନେଇ ଅଭିଭାବକଙ୍କ ମନରେ ପ୍ରଶ୍ନ ଉଠିଛି।
ବିଡ଼ମ୍ବନାର ବିଷୟ ହେଉଛି, ନନ୍ଦପୁର ସଦର ମହକୁମାରେ ଶିକ୍ଷା ବିଭାଗର ନାକ ତଳେ ଏପରି ଶିକ୍ଷା ବ୍ୟବସ୍ଥା ଚାଲିଛି। ବିଭାଗୀୟ ଅଧିକାରୀଙ୍କ ନଜର ଏହି ବିଦ୍ୟାଳୟ ଉପରେ ଯଦି ପଡ଼ୁନାହିଁ, ତା’ ହେଲେ ଦୁର୍ଗମ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାର ପ୍ରକୃତ ଚିତ୍ର କ’ଣ ରହିଥିବା ତାହା କଳନା କରିବା କଷ୍ଟକର। ଏହି ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଆବଶ୍ୟକ ଭିତ୍ତିଭୂମି ସୁନିଶ୍ଚିତ କରିବା ଏବଂ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି ହେଉଛି। ଏ ବିଷୟରେ ପୂର୍ବରୁ ଅବଗତ ଅଛନ୍ତି। ଜାଗା ଅଭାବରୁ ସେଠାରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ହୋଇପାରୁନାହିଁ। ଉପରିସ୍ଥ ଅଧିକାରୀ ଓ ଗ୍ରାମବାସୀଙ୍କ ସମନ୍ବୟରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ବିଡିଓ ଦୁର୍ଗାପ୍ରସାଦ ଦୋରା।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button