ରାଜ୍ୟ

ବନ୍ୟା ବେଳେ ୯୮ ନବଜାତକ

ସିଂହପୁର : ଚାରିଆଡ଼େ ଅଥଳ ଜଳରାଶି, ଜଳମଗ୍ନ ଗାଁ ଦାଣ୍ଡ ଓ ବିଚ୍ଛିନ୍ନ ଯୋଗାଯୋଗ ବ୍ୟବସ୍ଥା। ଏଭଳି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଯାଜପୁର ଜିଲା ଦଶରଥପୁର ବ୍ଲକରେ ନିରାପଦ ମାତୃତ୍ୱର ଏକ ଆଶ୍ୱସ୍ତିକର ଚିତ୍ର ସାମ୍ନାକୁ ଆସିଛି। କାଣୀ ନଦୀର ପ୍ରଳୟଙ୍କରୀ ବନ୍ୟା ମଧ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗଷ୍ଟ ମାସରେ ସୁରକ୍ଷିତ ଭାବେ ୯୮ ଜଣ ନବଜାତ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ଗତ ଜୁଲାଇ ୨୮ ତାରିଖରୁ କାଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଦଶରଥପୁର ବ୍ଲକର ଅନେକ ଅଞ୍ଚଳ ମାସାଧିକ କାଳ ଧରି ଜଳବନ୍ଦୀ ଅବସ୍ଥାରେ ରହିଛି। ରାସ୍ତାଘାଟ ଉପରେ ବନ୍ୟାଜଳର ପ୍ରଖର ସୁଅ ଚାଲିଥିବାରୁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଜଳମଗ୍ନ ଅଞ୍ଚଳରୁ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥିଲା।
ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ସମଗ୍ର ବ୍ଲକକୁ ୫ଟି ସେକ୍ଟରରେ ବିଭକ୍ତ କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ତନ୍ମଧ୍ୟରୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ମଙ୍ଗଳପୁର, ଅହିୟାସ ଓ ଚଣ୍ଡିପୁର ସେକ୍ଟର ଅଧୀନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଅଗଷ୍ଟ ମାସ ମଧ୍ୟରେ ମୋଟ ୯୮ଟି ସଫଳ ଓ ନିରାପଦ ପ୍ରସବ ସମ୍ପନ୍ନ ହୋଇଛି। ପ୍ରତିକୂଳ ପାଗ ଓ ଯୋଗାଯୋଗ ବିଚ୍ଛିନ୍ନ ସତ୍ତ୍ୱେ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ତଥା ଡାକ୍ତରମାନଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଏହି ପ୍ରସୂତିମାନେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ସେବା ପାଇପାରିଛନ୍ତି।
ଏକପଟେ ବନ୍ୟାର ଭୟାବହତା ଜନସାଧାରଣଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଥିବା ବେଳେ ଅନ୍ୟପଟେ ୯୮ଟି ନୂତନ ଜୀବନର ଆଗମନ ସମ୍ପୃକ୍ତ ପରିବାରଗୁଡ଼ିକରେ ଆନନ୍ଦର ଲହରୀ ଖେଳାଇ ଦେଇଛି। ବିପର୍ଯ୍ୟୟର ଏହି କଠିନ ସମୟରେ ଶିଶୁମାନଙ୍କ ସୁରକ୍ଷିତ ପ୍ରସବ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ସାବ୍ୟସ୍ତ ହୋଇଛି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button