ନମକିନ୍ ପ୍ୟାକେଟ୍ ଖୋଲିଲେ ବାହାରିଲା ମଲା ମୂଷା ! କାନପୁରରେ ଆକ୍ସନ୍ ମୋଡ୍ରେ ଖାଦ୍ୟ ବିଭାଗ

ଉତ୍ତରପ୍ରଦେଶ, ୨୧।୮: ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲାରୁ ଖାଦ୍ୟ ସୁରକ୍ଷାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଗ୍ରାହକ କିଣିଥିବା ଏକ ଜଣାଶୁଣା କମ୍ପାନୀର ନମକିନ୍ ପ୍ୟାକେଟ୍ ଭିତରୁ ଏକ ମଲା ମୂଷା ଠାବ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାନପୁର ଦେହାତ ଜିଲ୍ଲାର ରାଜପୁର ବଜାର ମୁଗଲ ରୋଡ୍ ସ୍ଥିତ ଏକ ଦୋକାନରୁ ନୂଆବସ୍ତି ନିବାସୀ ଜାଭେଦ ଖାଁ ୮୦ ଟଙ୍କା ଦେଇ ଏକ ନାମୀଦାମୀ କମ୍ପାନୀର ନମକିନ୍ ପ୍ୟାକେଟ୍ କିଣିଥିଲେ । ଦୋକାନ ସାମ୍ନାରେ ବସି ପ୍ୟାକେଟ୍ ଖୋଲିବା ପରେ ସେଥିରୁ ଏକ ମଲା ମୂଷା ଛୁଆ ବାହାରିଥିଲା ।
ଯଦି ସମୟ ଅନୁସାରେ ତାଙ୍କ ନଜର ଏହା ଉପରେ ପଡ଼ିନଥାନ୍ତା, ତେବେ ପିଲାମାନେ ଏହାକୁ ଖାଇ ଗୁରୁତର ଅସୁସ୍ଥ ହୋଇପାରିଥାନ୍ତେ । ସେ ଖାଦ୍ୟ ସୁରକ୍ଷା ବିଭାଗରେ ଅଭିଯୋଗ କରି କମ୍ପାନୀ ଓ ଦୋକାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମାମଲା ସାମ୍ନାକୁ ଆସିବା ପରେ ଖାଦ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି । କାନପୁର ଦେହାତର ଅତିରିକ୍ତ ଖାଦ୍ୟ ଆୟୁକ୍ତ ରାମ ଅବତାର କହିଛନ୍ତି ଯେ, ଏହି ଘଟଣା ତାଙ୍କ ନଜରକୁ ଆସିବା ପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ପାଇଁ ପଠାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ସଂପୃକ୍ତ କମ୍ପାନୀର ମାଲିକଙ୍କୁ ନୋଟିସ୍ ଜାରି କରାଯିବ ଏବଂ ନିୟମାନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣା ବଜାରରେ ବିକ୍ରି ହେଉଥିବା ପ୍ୟାକେଡ୍ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଏବଂ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାହକମାନେ କୌଣସି ବି ଖାଦ୍ୟ ସାମଗ୍ରୀ କିଣିବା ଏବଂ ଖାଇବା ପୂର୍ବରୁ ସେଗୁଡ଼ିକର ମାନ ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ ।
ସୌଜନ୍ୟ ପ୍ରମେୟ




