ନିର୍ଣ୍ଣାୟକ ହେବେ ୨୨% ଜେନ୍-ଜି

ନୂଆଦିଲ୍ଲୀ: ଭାରତୀୟ ରାଜନୀତିର ରଣନୀତି ବଦଳିବାରେ ଲାଗିଛି। ରାଜନୈତିକ ଦଳଗୁଡ଼ିକ ପାରମ୍ପରିକ ପ୍ରସଙ୍ଗକୁ ଛାଡ଼ି ଆଗକୁ ବଢୁଛନ୍ତି। ଜନତା ମଧ୍ୟ ଚିନ୍ତାଧାରା ବଦଳାଉଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଉପ-ନିର୍ବାଚନ ଫଳ ଏହି ସଙ୍କେତ ଦେଉଛି। ଭୋଟର ଜାତି, ଧର୍ମରୁ ଊର୍ଦ୍ଧ୍ବକୁ ଉଠି ଭୋଟ ଦେଉଛନ୍ତି। ତେବେ ଏହି ପରିବର୍ତ୍ତନ ପଛରେ ଜେନ-ଜିଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିିଛି। ଶ୍ରୀଲଙ୍କା, ବାଂଲାଦେଶ, ନେପାଳରେ ଜେନ-ଜି ଏକାଠି ହୋଇ ସରକାର ବଦଳାଇ ଦେଲେ। ଭାରତରେ ନିଟ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଜେନ-ଜି ଦିଲ୍ଲୀରେ ପ୍ରାୟ ୩୬ ଦିନ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଆନ୍ଦୋଳନ ଯୋଗୁଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସାରା ଦେଶ ଜେନ-ଜିଙ୍କ ଶକ୍ତି ଦେଖିଲା। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ଭୟଭୀତ ହୋଇ ଯାଇଛନ୍ତି। ଆସନ୍ତା ବର୍ଷ ୭ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସବୁ ରାଜ୍ୟରେ ଜେନ-ଜିଙ୍କ ଭୋଟ ୨୨ ପ୍ରତିଶତ ରହିଛି। ତେଣୁ ସବୁ ଦଳ ଜେନ-ଜିଙ୍କୁ ନିଜ ସପକ୍ଷରେ ନେବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ନେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହୁଅନ୍ତୁ ଅବା ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ସମସ୍ତେ ଜେନ-ଜିଙ୍କ କଥା କହୁଛନ୍ତି।
ଆସନ୍ତା ବର୍ଷ ୭ ରାଜ୍ୟ ଉତ୍ତର ପ୍ରଦେଶ, ଗୁଜରାଟ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଣିପୁର ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବ। ଜେନ-ଜି ତଥା ୧୮ରୁ ୨୯ ବର୍ଷ ବୟସର ଭୋଟର ଏହି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମଟି ହେଲା ଦିଲ୍ଲୀରେ ହୋଇଥିବା ଜେନ-ଜି ଆନ୍ଦୋଳନ ଯୁବପିଢ଼ିଙ୍କ ରାଜନୈତିକ ପ୍ରବୃତ୍ତିକୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଛି ଦ୍ୱିତୀୟତଃ, ବିହାରର ବାଙ୍କିପୁର ଉପନିର୍ବାଚନ ଓ ମଧ୍ୟପ୍ରଦେଶର ଦାତିଆ ଉପନିର୍ବାଚନର ଆଶ୍ଚର୍ଯ୍ୟଜନକ ଫଳାଫଳ ଯୁବପିଢ଼ିଙ୍କ ନିର୍ବାଚନୀ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶେଷଜ୍ଞଙ୍କ ମତରେ, ମହିଳା, ପଛୁଆ ବର୍ଗ, ଚାଷୀ ଓ ଦଳିତ ଭଳି ବର୍ଗ ସହିତ ଜେନ-ଜି ଏବେ ନିର୍ବାଚନୀ ସମୀକରଣର ନୂଆମୁହଁ ହେବାକୁ ଯାଉଛନ୍ତି। ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ଏହି ୭ ରାଜ୍ୟର ନିର୍ବାଚନ ସମୀକରଣକୁ ଜେନ-ଜି ବଦଳାଇ ଦେବାର କ୍ଷମତା ରଖିଛନ୍ତି। ଏହି ସବୁ ରାଜ୍ୟରେ ଥିବା ୨୨ ପ୍ରତିଶତ ଜେନ-ଜି ଭୋଟରୁ ୫ ପ୍ରତିିଶତ ବଦଳିଗଲେ ସରକାର ବି ବଦଳିଯିବ।
ଉତ୍ତର ପ୍ରଦେଶରେ ଜେନ-ଜି ଭୋଟରଙ୍କ ସଂଖ୍ୟା ୨.୮ କୋଟି (୨୧ %), ଗୁଜରାଟରେ କୋଟିଏ (୨୩%), ପଞ୍ଜାବରେ ୪୬ ଲକ୍ଷ (୨୧ %), ଉତ୍ତରାଖଣ୍ଡରେ ୧୫.୮ ଲକ୍ଷ (୨୨%), ହିମାଚଳ ପ୍ରଦେଶରେ ୧୨.୫ ଲକ୍ଷ (୨୨%), ମଣିପୁରରେ ୪.୫୯ ଲକ୍ଷ (୨୪%) ଓ ଗୋଆରେ ୨.୦୭ ଲକ୍ଷ (୨୦%) ରହିଛି। ଏହି ୭ ରାଜ୍ୟର ଗତ ନିର୍ବାଚନର ଫଳାଫଳ ଅନୁଯାୟୀ, ମୋଟ ୯୪୦ ଆସନ ଆସନ ମଧ୍ୟରୁ ୨୫୭ (୨୭ ପ୍ରତିଶତ) ଆସନରେ ବିଜୟ ବ୍ୟବଧାନ ୫ ପ୍ରତିଶତ କିମ୍ବା ତାଠାରୁ କମ ରହିଥିଲା। ଉତ୍ତର ପ୍ରଦେଶରେ ୪୦୩ ଆସନରୁ ୧୩୧ଟିରେ ବିଜୟର ବ୍ୟବଧାନ ୫% ରୁ କମ୍ ଥିଲା। ଗୁଜୁରାଟର ୧୮୨ ଆସନରୁ ୨୭ଟି, ପଞ୍ଜାବରେ ୧୧୭ ଆସନରୁ ୨୪ଟି, ଉତ୍ତରାଖଣ୍ଡରେ ୭୦ ଆସନରୁ ୧୫ଟି ଏବଂ ହିମାଚଳ ପ୍ରଦେଶର ୬୮ ଆସନରୁ ୧୪ଟିରେ ମଧ୍ୟ ୫% ରୁ କମ୍ ଭୋଟ ବ୍ୟବଧାନ ରହିଥିଲା।
ଏହି ତଥ୍ୟକୁ ଦେଖିଲେ ଜଣାପଡେ ଯେ ଯଦି ୨୨% ଜେନ-ଜି ଭୋଟରଙ୍କ ମଧ୍ୟରୁ ୫% ମଧ୍ୟ ଏକାଠି ହୋଇ କୌଣସି ଦଳକୁ ସମର୍ଥନ କରନ୍ତି, ତେବେ ରାଜ୍ୟଗୁଡ଼ିକରେ ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ବଦଳି ଯିବ। ଏହି କାରଣରୁ ରାଜନୈତିକ ଦଳଗୁଡ଼ିକ ଏବେ ଜେନ୍-ଜି ଭୋଟରଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେପି, କଂଗ୍ରେସ ଓ ସମାଜବାଦୀ ପାର୍ଟି ଏଥିପାଇଁ ପ୍ରଚାର ଆରମ୍ଭ କରିସାରିଛନ୍ତି। ଭାରତର ରାଜନୀତିରେ ଦୀର୍ଘଦିନ ଧରି ରହି ଚାଲିଥିବା ଜାତି ଓ ଧର୍ମ ଆଧାରିତ ନିର୍ବାଚନ ସମୀକରଣକୁ ଆହ୍ବାନ ଦେଇପାରନ୍ତି। କାରଣ ଯୁବପିଢ଼ି ଏକ ନୂଆ ବର୍ଗ ଭାବେ ଉଭା ହୋଇଛନ୍ତି। ଛଅରୁ ସାତ ମାସ ପରେ ଏହି ସବୁ ରାଜ୍ୟରେ ନିର୍ବାଚନ ହେବ। ସେ ପର୍ଯ୍ୟନ୍ତ ଯୁବଗୋଷ୍ଠୀଙ୍କ ଭାବନା କେତେ ମଜଭୁତ ରହିବ ତାହା ଦେଖିବା ବାକି ରହିଲା। ଯଦି ଏହା ବଜାୟ ରହେ କିମ୍ବା ବୃଦ୍ଧି ପାଏ, ତେବେ ଆଗାମୀ ଦିନଗୁଡ଼ିକରେ ରାଜନୈତିକ ଦଳଗୁଡ଼ିକର ରଣନୀତିରେ ହେଉଥିବା ପରିବର୍ତ୍ତନ ସ୍ପଷ୍ଟ ଭାବେ ଦେଖାାଯିବ।
ସୌଜନ୍ୟ ସମାଜ




