ଜୀବନଚର୍ଯ୍ୟା

ନୀରବ ହୃଦୟର ସ୍ପନ୍ଦନ, ଅଢେଇ ଅକ୍ଷର ପ୍ରେମ: ବିଶ୍ୱାସ ଓ ଭରସାର ଅତୁଟ ବନ୍ଧନ

ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ । ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି ପ୍ରେମୀଯୁଗଳ । ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ । ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର । କିନ୍ତୁ ଏହା ପୂର୍ବରୁ ଭାଲେଣ୍ଟାଇନ୍ସ ସପ୍ତାହ ୭ଫେବୃଆରୀରୁ ଆରମ୍ଭ ହୁଏ । ଭାଲେଣ୍ଟାଇନ୍ ସପ୍ତାହ ୭ ଫେବୃଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ପାଳନ କରାଯାଏ ।

ଭୁବନେଶ୍ୱର ୧୪/୦୨: ଅନାବନା ମନର ଭାବନା । ଅଢେଇ ଅକ୍ଷର ଶବ୍ଦ । ବ୍ୟକ୍ତିଗତ ସ୍ନେହ ଓ ସଂଯୋଗ । ଦୁଇ ହୃଦୟ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ । ପ୍ରେମ ଯାହା ସଜ୍ଞା ହୀନ । ପ୍ରେମ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ହୋଇପାରେ । ପ୍ରେମ ପ୍ରେମିକର ଭାବନା… ପ୍ରେମ ଆଖିରେ ହୁଏ, ଛାତିରେ ହୁଏ । ପ୍ରେମ ବି ହୋଇଯାଏ ପ୍ରଥମ ଛୁଆଁରେ । କିଏ କୁହେ ପ୍ରେମ ପାଇଁ ଶବ୍ଦ ନାହିଁ । ଦୁଇ ପ୍ରେମ ପକ୍ଷୀଙ୍କ ରାଗ, ରୁଷା, ଅଭିମାନ, ଆକର୍ଷଣର ଫେଣ୍ଟାଫେଣ୍ଟି ରୂପର ନାଁ ପ୍ରେମ । ତେଣୁ ତ ପ୍ରେମ ସୀମାହୀନ ସାଗର, ଆକାଶଠୁ ବିଶାଳ…

ଆଜି ହେଉଛି ପ୍ରେମୀ ଯୁଗଳଙ୍କ ପାଇଁ ଖାସ୍ ଦିନ । ଫେବୃଆରୀ ୧୪କୁ ବା ଭାଲେଣ୍ଟାଇନ୍ସ ଡେ’ । ତେବେ ଏହି ଭାଲେଣ୍ଟାଇନ୍ସ ଡେ’ ପାଳ ପଛରେ ରହିଛି ଇତିହାସ । ଭାଲେଣ୍ଟାଇନ୍ ଡେ’ର କାହାଣୀ ରୋମ୍ର ଜଣେ ସନ୍ଥଙ୍କ ଉପରେ ଆଧାରିତ। ତାଙ୍କର ନାଁ ସେଣ୍ଟ୍ ଭାଲେଣ୍ଟାଇନ୍ ଥିଲା । ଏହାର ଇତିହାସ ସହିତ ଜଡିତ ଅନେକ କାହାଣୀ ଅଛି, କିନ୍ତୁ ସବୁଠାରୁ ପ୍ରସିଦ୍ଧ କାହାଣୀଟି ତୃତୀୟ ଶତାବ୍ଦୀର ରୋମ ସହିତ ଜଡିତ।

ରୋମ ସମ୍ରାଟ କ୍ଲାଉଡିୟସ୍ ଦ୍ୱିତୀୟ ବିଶ୍ୱାସ କରୁଥିଲେ ଯେ ବିବାହ ସୈନିକମାନଙ୍କୁ ଦୁର୍ବଳ କରିଥାଏ, ତେଣୁ ସେ କମ୍ ବୟସର ସୈନିକମାନଙ୍କର ବିବାହକୁ ନିଷେଧ କରିଥିଲେ। କିନ୍ତୁ ସନ୍ଥ ଭାଲେଣ୍ଟାଇନ୍ ରାଜାଙ୍କ ଆଦେଶକୁ ଅବମାନନା କରି ଗୁପ୍ତ ଭାବରେ ଅନେକ ସୈନିକଙ୍କୁ ବିବାହ କରାଇଥିଲେ । ଯେତେବେଳେ ରାଜା ଏହା ଜାଣିପାରିଲେ, ସେ ଫେବୃଆରୀ ୧୪ ତାରିଖରେ ସନ୍ଥ ଭାଲେଣ୍ଟାଇନଙ୍କୁ ମୃତ୍ୟୁଦଣ୍ଡ ଦେଲେ।

କୁହାଯାଏ ଯେ ସନ୍ଥ ଭାଲେଣ୍ଟାଇନଙ୍କୁ ଯେଉଁ ଜେଲରେ ବନ୍ଦୀ କରାଯାଇଥିଲା, ସେହି ଜେଲରଙ୍କ ଝିଅକୁ ସେ ପ୍ରେମ କରି ବସିଥିଲେ । ତାଙ୍କୁ ଫାଶୀ ହେବା ପୂର୍ବରୁ, ସନ୍ଥ ଭାଲେଣ୍ଟାଇନ ଜେଲରଙ୍କ ଝିଅକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଶେଷରେ ସେ “ତୁମର ଭାଲେଣ୍ଟାଇନ” ଲେଖିଥିଲେ । ସେବେଠାରୁ, ଏହି ଦିନଟିକୁ ପ୍ରେମ ଏବଂ ସମର୍ପଣର ପ୍ରତୀକ ଭାବରେ ବିବେଚନା ହେଲା । ଏବଂ ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ଭାବରେ ପାଳନ ଆରମ୍ଭ ହେଲା ।

ରୋମାନ୍ ଫେଷ୍ଟିଭାଲରୁ ଭାଲେଣ୍ଟାଇନ୍ ଡେ’ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟାଦ୍ଦ ୪୯୬ ରେ ବିଶ୍ୱରେ ପ୍ରଥମ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଇଥିଲା। ଏହା ପରେ, ପଞ୍ଚମ ଶତାବ୍ଦୀରେ ରୋମର ପୋପ୍ ଜେଲାସିୟସ୍ ଫେବୃଆରୀ ୧୪କୁ ସେଣ୍ଟ ଭାଲେଣ୍ଟାଇନ୍ ଡେ’ ଭାବରେ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଫେବୃଆରୀ ୧୪ କୁ ଭାଲେଣ୍ଟାଇନ ଡେ’ ଭାବରେ ରୋମ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ।

ଭାଲେଣ୍ଟାଇନ୍ସ ଡେ’ କେବଳ ଦମ୍ପତିଙ୍କ ପାଇଁ ନୁହେଁ; ଏହା ପ୍ରେମ ଏବଂ ବନ୍ଧୁତାରେ ଗଭୀରତା ଦେଖାଇବାର ଦିନ। ଏହି ଦିନଟି ଆମକୁ ଶିଖାଏ ଯେ ଆମ ପ୍ରିୟଜନଙ୍କ ପ୍ରତି ଆମର ପ୍ରେମ ପ୍ରକାଶ କରିବା କେତେ ଗୁରୁତ୍ୱପୂର୍ଣ୍ଣ। ସାରା ବିଶ୍ୱରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ ଏବଂ ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଦମ୍ପତିମାନେ ପରସ୍ପରକୁ ଉପହାର, କାର୍ଡ, ଫୁଲ ଏବଂ ରୋମାଣ୍ଟିକ ଶୁଭେଚ୍ଛା ପଠାନ୍ତି। ଆପଣ ମଧ୍ୟ ଆପଣଙ୍କ ଜୀବନର ସେହି ବିଶେଷ ବ୍ୟକ୍ତିଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’କୁ ମଧ୍ୟ ସ୍ୱତନ୍ତ୍ର କରିପାରିବେ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button