ନିକଟରେ ସଞ୍ଜୟ ଦତ୍ତ ତାଙ୍କ ପ୍ରଶଂସକମାନଙ୍କୁ ଚମକେଇ ଦେଇଛନ୍ତି। ତାଙ୍କ ଅଭିନୀତ ‘ଧୁରନ୍ଧର୍’ ଓ ‘ଧୁରନ୍ଧର: ଦ ରିଭେଞ୍ଜ’ର ଜୋର୍ଦାର୍ ସଫଳତା ପରେ ନିକଟରେ ସଞ୍ଜୟ ଏବେ ୧୯୯୩ର ସୁପର୍ହିଟ୍ ଫିଲ୍ମ ‘ଖଲ୍ନାୟକ୍’ର ସିକ୍ବେଲ୍ ଘୋଷଣା କରିଛନ୍ତି। ଏହି ଫିଲ୍ମ ‘ଖଲ୍ନାୟକ୍ ରିଟର୍ଣ୍ଣସ୍’ ହେବ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ଜିଓ ଷ୍ଟୁଡିଓଜ୍ର ଜ୍ୟୋତି ଦେଶପାଣ୍ଡେ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ନୂଆ ଫିଲ୍ମ ଘୋଷଣାର ଠିକ୍ ପରେ ପରେ ସଞ୍ଜୟ ଏହାର ଫାଷ୍ଟ୍ ଲୁକ୍ ମଧ୍ୟ ସେୟାର୍ କରିଛନ୍ତି। ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ସେୟାର୍ କରି ସେ ଲେଖିଛନ୍ତି, ‘‘କେତେକ କାହାଣୀର ଅନ୍ତ ଘଟେନାହିଁ। ଏହା ପୁଣି ଥରେ ଆରମ୍ଭ ହୋଇଥାଏ।’’ ଭିଡିଓରେ ଜଣେ ବ୍ୟକ୍ତିକୁ ସଞ୍ଜୟ ଧମକ୍ ଦେବା ସହ ତାଙ୍କ ଲୋକପ୍ରିୟ ସଂଳାପ ‘ନାୟକ୍ ନହୀଁ ଖଲ୍ନାୟକ୍ ହୁଁ ମୈଁ’କୁ ଦୋହରାଉଛନ୍ତି। ତାଙ୍କର ଏହି ସଂଳାପ ପ୍ରଶଂସକମାନଙ୍କୁ ପୁରୁଣା ଦିନକୁ ଫେରାଇ ନେଇଛି।
ଆପଣ ଜାଣିଥିବେ ଯେ, ୧୯୯୩ରେ ରିଲିଜ୍ ହୋଇଥିବା ‘ଖଲ୍ନାୟକ୍’ ସଞ୍ଜୟ ଦତ୍ତଙ୍କ କ୍ୟାରିୟର୍ର ଅନ୍ୟତମ ଚର୍ଚ୍ଚିତ ଫିଲ୍ମ। ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଞ୍ଜୟ, ବଲ୍ଲୁ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଭୂମିକାରେ ନଜର ଆସିଥିଲେ। ତାଙ୍କ ସହ ମାଧୁରୀ ଦୀକ୍ଷିତ, ଜ୍ୟାକି ଶ୍ରଫ୍, ରାକ୍ଷୀ ଗୁଲଜାର୍ ଓ ଅନୁପମ୍ ଖେର୍ ଏଥିରେ ଅନ୍ୟ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ବଲ୍ଲୁ ଜେଲ୍ରୁ ଫେରାର୍ ହେବା ଓ ତାକୁ ଧରିବା ଲାଗି ହୋଇଥିବା ଅଭିଯାନକୁ ନେଇ ଫିଲ୍ମର କାହାଣୀ ପ୍ରସ୍ତୁତ ହୋଇଥିଲା। ଏଥିରେ ସଞ୍ଜୟଙ୍କ ଲୁକ୍ ଓ ସଂଳାପକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ସେହି ବର୍ଷ ଏହା ସର୍ବାଧିକ ରୋଜଗାର ବି କରିଥିଲା। ତେଣୁ ଏହାର ସିକ୍ବେଲ୍ ଘୋଷଣା ପରେ ସିନେପ୍ରେମୀଙ୍କର ଉତ୍ସୁକତା ବଢ଼ିଯାଇଛି।
ସୌଜନ୍ୟ ସମ୍ବାଦ

