ରାଜ୍ୟ

Village: ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ: ବେକ, ମୁଣ୍ଡ, କାନମୂଳରେ ବାଜିଛି ଖଣ୍ଡା ଓ ଭୁଜାଲି ଚୋଟ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଢୋଲମରା ଗ୍ରାମର ଜଣେ ଯୁବକଙ୍କୁ ପୂର୍ବଶତ୍ରୁତାରୁ ଗାଁ ଦାଣ୍ଡରେ ବାପା ଓ ଦୁଇ ପୁଅ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଭୁଜାଲିରେ ହାଣିଛନ୍ତି। ଯୁବକଙ୍କ ମୁଣ୍ଡ, ବେକ ଓ କାନମୂଳରେ ଭୁଜାଲି ଚୋଟ ବାଜିଛି। ଗୁରୁତର ଆହତ ଯୁବକ ଦିବ୍ୟରଞ୍ଜନ ସାମଲଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ରାଜନଗର ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଢୋଲମରା ଗ୍ରାମର ପ୍ରଦୀପ ବିଶ୍ବାଳଙ୍କୁ ଗିରଫ କରାଯାଇଥିଲା ବେଳେ ତାଙ୍କ ଦୁଇ ପୁଅ ଫେରାର ଥିବା ପୁଲିସ ସୂଚନା ଦେଇଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ବେକ, ମୁଣ୍ଡ, କାନମୂଳରେ ବାଜିଛି ଖଣ୍ଡା ଓ ଭୁଜାଲି ଚୋଟ
ବାପା ଗିରଫ, ଦୁଇ ପୁଅ ଫେରାର

ସୂଚନା ମୁତାବକ, ଢୋଲମରା ଗ୍ରାମର ଦିବ୍ୟରଞ୍ଜନ ସାମଲଙ୍କର ଚାନ୍ଦିବାଉଁଶମୂଳ ପଞ୍ଚାୟତ ବାଉଁଶମୂଳ ବଜାରରେ ଏକ ୯୯ ଷ୍ଟୋର୍‌ (ଦୋକାନ) ରହିଛି।ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ସେ ଦୋକାନ ବନ୍ଦ କରି ଘରକୁ ଯାଉଥିଲେ। ଏତିକି ବେଳେ ପାଳନ୍ଦା ପୋଲ ନିକଟରେ ପ୍ରଦୀପ ବିଶ୍ବାଳ, ତାଙ୍କ ଦୁଇପୁଅ ଗୁନା ଓ ସୁନିଆ ତାଙ୍କୁ ଅଟକାଇଥିଲେ। ତୁମ ଦୋକାନ ପାଖରେ ମାଡ଼ ଖାଇଲି, ତମେ ବାହାରିଲ ନାହିଁ କାହିଁକି ବୋଲି ଗୁନା ପଚାରିଥିଲା। ଏହାକୁ ନେଇ ଦୁଇପୁଅ ଓ ବାପାଙ୍କ ସହ ଦିବ୍ୟଙ୍କର ବଚସା ହୋଇଥିଲା। ଏହି ସମୟରେ ବାପପୁଅ ତିନିଜଣ ଖଣ୍ଡା ଓ ଭୁଜାଲିରେ ଦିବ୍ୟଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡାଚୋଟ ବାଜିବା ପରେ ଦିବ୍ୟ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରିଥିଲେ। ମାତ୍ର ବାପପୁଅ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ମାରି ଚାଲିଥିଲେ। ସ୍ଥାନୀୟ ଲୋକ ପହଞ୍ଚିଯିବାରୁ ବାପ-ପୁଅ ସେଠାରୁ ପଳାଇ ଯାଇଥିଲେ। ଏହାପରେ ଦିବ୍ୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଥିଲା। ଏ ନେଇ ଆହତ ଦିବ୍ୟଙ୍କ ମା’ ରାଜନଗର ଥାନାରେ ଏତଲା ଦେଇଛନ୍ତି।

 

 

ସୌଜନ୍ୟ ସମ୍ବାଦ

 

Show More
Back to top button