ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା; ମଥାନିରେ ବିପଦ ସଙ୍କେଦ ଉପରେ ଜଳକା, ବୈତରଣୀ ବନ୍ୟାରେ ଯାଜପୁର-ଭଦ୍ରକ ଯୋଗାଯୋଗ ବିଚ୍ଛିନ୍ନ

ଭୁବନେଶ୍ବର, ୨୯/୦୭ (ଡିଜିଟାଲ୍ ଡେସ୍କ): ବାଲେଶ୍ବର ଜଳକା ନଦୀରେ ବନ୍ୟା। ଚଳିତ ବର୍ଷ ଜଳକା ନଦୀରେ ପ୍ରଥମ ବନ୍ୟା ଆସିଛି । ନଦୀର ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ଏବେ ଜଳସ୍ତର ୬.୯୦ ମିଟର ରହିଛି। ବନ୍ୟା ପାଇଁ ଚାଷଜମି ଜଳମଗ୍ନ ହୋଇ ରହିଛି। ଫଳରେ ଏବେ ଧାନ ରୁଆ କାମ ଚାଲି ଥିବାରୁ ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି।
ବାଲେଶ୍ବର:
ସେପଟେ ଲଗାଣ ବର୍ଷା ଥମିଥିଲେ ମଧ୍ୟ ବାଲେଶ୍ୱର ସହରବାସୀଙ୍କ ଦୁର୍ଦ୍ଦଶା କମିନାହିଁ। ଗତକାଲିର ପ୍ରବଳ ବର୍ଷା ପରେ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଡ୍ରେନେଜ୍ ପାଣି ଜମି ରହିଛି । ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ସ୍ଥାନରେ ଲୋକେ ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ ଓଡ୍ରାଫ୍ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ବର୍ଷା କମିଥିଲେ ମଧ୍ୟ ଅନେକ ସ୍ଥାନରେ ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହୋଇନାହିଁ। ଏପଟେ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ କିଛି ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇ ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି।
ଯାଜପୁର:
ଯାଜପୁରରେ ବନ୍ୟା ପରିସ୍ଥିତି। ଲଗାଣ ବର୍ଷାରେ ଫୁଲିଛି ବୈତରଣୀ ନଦୀ। କୋରେଇ ବ୍ଲକର ଗୌରପୁର, ରଣପୁର, ମୁକୁନ୍ଦପୁର, ବନ୍ଦାଳ, ମୁଳାପାଳ ପଞ୍ଚାୟତରେ ପଶିଛି ବନ୍ୟାଜଳ। ଅନେକ ଗାଁର ଲୋକେ ପାଣି ଘେରରେ ରହିଛନ୍ତି। ପାଣି ବଢୁଥିବାରୁ ଗାଁ ଗୁଡ଼ିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାରେ ଲାଗିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ସୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୋରେଇ ବ୍ଲକ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।
ସେପଟେ ଭଦ୍ରକ ଛତାବର୍ ବଳିଘାଇରୁ ଯାଜପୁର ଟାଉନ ମୁଖ୍ୟ ରାସ୍ତା ଯାଏ ଉପରେ ୫ ଫୁଟ ଉଚ୍ଚର ପାଣି ଚାଲୁଛି। ଫଳରେ ଯାଜପୁରରୁ ଭଦ୍ରକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦଶରଥପୁର ବ୍ଲକ ଜୟନ୍ତରା ନିକଟରେ ବୈତରଣୀରେ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି । ପାଖା ପାଖି ଶହେରୁ ଅଧିକ ଲୋକଙ୍କ ଘରେ ପାଣି ପଶିଛି। ଯାଜପୁର ବ୍ଲକର ୫ରୁ ଅଧିକ ଗାଁ ଜଳ ମଗ୍ନ ହୋଇଛି । ସେହିପରି ବୈତରଣୀ ନଦୀର ଶାଖା ବୁଢ଼ା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ଦଶରଥପୁର ବ୍ଲକର ପ୍ରସିଦ୍ଧ ଶୈବ ପୀଠ ସିଦ୍ଧେଶ୍ବର ମନ୍ଦିରରେ ବନ୍ୟା ପାଣି ପଶିଛି ।
ଛେଣ୍ଡିପଦା:
ଲଗାଣ ବର୍ଷା ଯୋଗୁଁ ଛେଣ୍ଡିପଦାରେ ବନ୍ୟା ପରି ସ୍ଥିତି । ଲଗାଣ ବର୍ଷାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବେହାଲ ହୋଇପଡିଛି। ଯୁଆଡେ ଦେଖିବେ ସିଆଡେ କେବଳ ପାଣି ଆଉ ପାଣି। ବାଗଡିଆ, ବରସାହି, ପିପଳବାହାଳ,ପାତ୍ରପଡା, ସାପୋଇନାଳୀ ସମେତ ଅନେକ ଗାଁରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଘରଦ୍ୱାର, ରାସ୍ତାଘାଟ ଓ ଚାଷଜମିରେ ପଶିଛି ବନ୍ୟା ପାଣି। ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଲୋକଙ୍କ ସାଧାରଣ ଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଛି। ଖାଦ୍ୟ, ପାନୀୟ ଜଳ ଓ ଔଷଧ ପାଇଁ ହାହାକାର ସ୍ଥିତି ଦେଖାଦେଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଦାବୀ କରିଛନ୍ତି ଗ୍ରାମବାସୀ।
ସୌଜନ୍ୟ ପ୍ରମେୟ




