Site icon Swayam News

ବର୍ଡର-ଗାଭାସ୍କର ଟ୍ରଫି: ଆଜି ଭାରତ-ପ୍ରଧାନମନ୍ତ୍ରୀ ଏକାଦଶ ଅଭ୍ୟାସ ମ୍ୟାଚ୍‌

କାନବେରା: ବର୍ଡର-ଗାଭାସ୍କର ଟ୍ରଫିରେ ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ଅଷ୍ଟ୍ରେଲିଆ ରାଜଧାନୀ କାନବେରା ଉପରେ ଭାରତୀୟଙ୍କ ନଜର ରହିଛି। ଶନିବାରଠୁ ଏଠାରେ ଭାରତ ସହିତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ଦୁଇଦିନିଆ ଦିବା-ରାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ଶୁକ୍ରବାର ଏଠାରେ ବର୍ଷା ହେବାରୁ ଭାରତୀୟ ଖେଳାଳିଙ୍କ ପ୍ରସ୍ତୁତି ସାମାନ୍ୟ ବାଧାପ୍ରାପ୍ତ ହୋଇଛି। ତଥାପି ବର୍ଷାକୁ ଖାତିର ନକରି ଖେଳାଳିମାନେ ଅଭ୍ୟାସ ଜାରି ରଖିଥିଲେ। ଅଭ୍ୟାସ ବେଳେ ଅଧିକ ନଜର ଦୁଇ ଜଣଙ୍କ ଉପରେ ରହିଥିଲା। ପ୍ରଥମେ ଅଧିନାୟକ ରୋହିତ ଶର୍ମା, ଯିଏକି ପିତୃତ୍ବ ଛୁଟି କଟାଇବା ପରେ ଦଳ ସହିତ ଯୋଗ‌ ଦେଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଖେଳି ନଥିବାରୁ ଲୟ ଫେରିପାଇବା ଉପରେ ତାଙ୍କର ଧ୍ୟାନ ଥିଲା। ସେହିପରି ବାମ ହାତ ଆଙ୍ଗୁଠି ଆଘାତରୁ ସୁସ୍ଥ ହେବା ପରେ ଶୁବମନ ଗିଲ୍‌ ମଧ୍ୟ ପ୍ରଥମ ଥର ନେଟ୍ସକୁ ଆସିଛନ୍ତି। ତେଣୁ ଆରମ୍ଭରୁ ସେ ଥ୍ରୋଡାଉନ୍‌ ସହିତ କିଛି ସମୟର ଅଭ୍ୟାସ ପରେ ଧୀରେଧୀରେ ଗତି ବଢ଼ାଇଥିଲେ। ପରବର୍ତ୍ତୀ ସମ‌ୟରେ ସ୍ପିନ୍‌ ଓ ଦ୍ରୁତ ବୋଲିଂକୁ ସେ ସଫଳତାର ସହ ସାମ୍ନା କରୁଥିବା ଦେଖାଯାଇଥିଲା। ଏମାନଙ୍କୁ ଛାଡ଼ିଦେଲେ ବିରାଟ କୋହଲିଙ୍କଠୁ ଆରମ୍ଭ କରି ହର୍ଷିତ ରାଣାଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜନିଜ ଅଭ୍ୟା‌ସ ଜାରି ରଖିଥିଲେ। ଅଧିକାଂଶ ଖେଳାଳି ମୁଖ୍ୟ ପଡ଼ିଆରେ ୱାର୍ମ ଅପ୍‌ କରିବା ପରେ ଫୁଟ୍‌ବଲ୍‌ ଖେଳିବାରେ ସମୟ ବିତାଇଥିଲେ।

ନେଟ୍ସ କଲେ ରୋହିତ, ଗିଲ୍‌
କିଏ, କେଉଁ ସ୍ଥାନରେ ଖେଳିବ?

ରୋହିତ ଓ ଶୁବମନ ନେଟ୍ସକୁ ଫେରିବା ପରେ ମ୍ୟାଚ୍‌ ବେଳକୁ ଦଳ ଗଠନ ରୋଚକ ହେବ। କାରଣ ପାଳି ଆରମ୍ଭ କରିଥିବା କେଏଲ୍‌ ରାହୁଲ୍‌ ପ୍ରଥମ ମ୍ୟାଚ୍‌ରେ ୨୬ ଓ ୭୭ ରନ୍‌ କରିଥିବାରୁ ଦଳରେ ସ୍ଥାନ ପକ୍କା କରିଛନ୍ତି। ଦ୍ବିତୀୟ ମ୍ୟାଚ୍‌ ବେଳକୁ ଯଶସ୍ବୀ ଜୟସ୍ବାଲ୍‌ଙ୍କ ସହିତ ରୋହିତ ପାଳି ଆରମ୍ଭ କରିବାକୁ ଥିବାରୁ ରାହୁଲ୍‌ ମଧ୍ୟକ୍ରମରେ ଖେଳିବା ନିଶ୍ଚିତ। ପୁଣି ଶୁବମନ୍‌ ଯଦି ଖେଳନ୍ତି, ତାହେଲେ ତାଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ପଡ଼ିପାରେ। ଏପରିସ୍ଥଳେ ଦେବଦତ୍ତ ପଡ଼ିକଲ୍‌ ଓ ଧ୍ରୁବ ଜୁରେଲ୍‌ ସେମାନଙ୍କ ସ୍ଥାନ ହରାଇପାରନ୍ତି ବୋଲି ପୂର୍ବତନ ଟେଷ୍ଟ୍‌ କ୍ରିକେଟର୍‌ ଚେତେଶ୍ବର ପୂଜାରା କହିଛନ୍ତି। ପୂଜାରାଙ୍କ ମତରେ, ରାହୁଲ୍‌ଙ୍କୁ ପ୍ରଥମ ତିନି ସ୍ଥାନରେ ଖେଳାଇବା ଉଚିତ ହେବ ଏବଂ ଶୁବମନଙ୍କୁ ପଞ୍ଚମ ସ୍ଥାନରେ ବ୍ୟାଟିଂକୁ ଛାଡ଼ିଲେ ଦଳକୁ ଫାଇଦା ମିଳିବ। ‌ଶୁବମନ୍‌ ବ୍ୟାଟିଂକୁ ଆସିବା ବେଳକୁ ବଲ୍‌ ପୁରୁଣା ହୋଇଯାଇଥିବ, ଫଳରେ ତାଙ୍କୁ ଆକ୍ରମଣାତ୍ମକ ଖେଳିବା ସହଜ ହେବ। ଏପରି ‌ହେଲେ ଋଷଭ ପନ୍ତଙ୍କୁ ଷଷ୍ଠ ସ୍ଥାନରେ ବ୍ୟାଟିଂକୁ ପଠାଇଲେ ସନ୍ତୁଳନ ରକ୍ଷା ହୋଇପାରିବ।
ସୌଜନ୍ୟ-ସମ୍ୱାଦ

Exit mobile version