ବିଶ୍ବର ନୂଆ ମାନଚିତ୍ର ଉପରେ ଆପତ୍ତି ଉଠାଇଲା ଭାରତ

ନୂଆଦିଲ୍ଲୀ : ବିଶ୍ବର ନୂଆ ମାନଚିତ୍ର ଉପରେ ଭାରତ ଆପତ୍ତି ଉଠାଇଛି। ଏ ନେଇ ବୈଦେଶିକ ମନ୍ତ୍ରାଳୟ ରବିବାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। କୁହାଯାଇଛି ଯେ ଜାମ୍ମୁ-କାଶ୍ମୀର ଓ ଲଦାଖ ସମେତ ସମଗ୍ର ଅଞ୍ଚଳ ଭାରତର ସରକାରୀ ନକ୍ସା ହିସାବରେ ସ୍ଥାନ ପାଇବା ଉଚିତ। ଭାରତର କୌଣସି ଅଞ୍ଚଳକୁ ଅନୁଚିତ କିମ୍ବା ଭ୍ରମାତ୍ମକ ଭାବେ ଦର୍ଶାଇବାକୁ କେବେ ବି ସ୍ବୀକାର କରାଯିବ ନାହିଁ। ଭାରତର ସୀମା ଅଟଳ। ଏହା ସହ କୌଣସି ସାଲିସ କରାଯିବ ନାହିଁ। ମିଳିତ ଜାତିସଂଘରେ ମାନଚିତ୍ର ପରିବର୍ତ୍ତନ ପ୍ରସ୍ତାବରେ ଭୋଟିଂକୁ ନେଇ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ବିଶ୍ବର ନୂଆ ମାନଚିତ୍ରରେ ଦେଶ ଓ ମହାଦେଶ ଗୁଡ଼ିକର ଆକାର ଓ ପ୍ରକୃତ କ୍ଷେତ୍ରଫଳ ଦର୍ଶାଯିବ ବୋଲି କୁହାଯାଇଥିଲା। ଏହି ସମର୍ଥନର ଅର୍ଥ କୌଣସି ସ୍ବତନ୍ତ୍ର ମାନଚିତ୍ରକୁ ମଞ୍ଜୁରୀ ଦେବା ନୁହେଁ। ସୂଚନାଯୋଗ୍ୟ ଯେ ମିଳିତ ଜାତିସଂଘ ମହାସଭାରେ ଶୁକ୍ରବାର ବିଶ୍ବ ମାନଚିତ୍ର ବଦଳାଇବା ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ କରିଥିଲା। ଏହି ନୂଆ ମାନଚିତ୍ରରେ ଆଫ୍ରିକା ପୂର୍ବାପେକ୍ଷା ବଡ଼ ଏବଂ ୟୁରୋପ ଓ ଉତ୍ତର ଆମେରିକା କ୍ଷୁଦ୍ର ଦେଖାଯିବ।
ସୌଜନ୍ୟ ସମାଜ




