ଗୁଜରାଟର ୬ ଅଣପଞ୍ଜିକୃତ ଦଳକୁ ୧୭୦୦ କୋଟି ଚାନ୍ଦା

ନୂଆଦିଲ୍ଲୀ : ଗୁଜରାଟର ୬ଟି ରାଜନୈତିକ ଦଳକୁ ୨୦୨୩-୨୪ ଆର୍ଥିକ ବର୍ଷରେ ୧୭୦୦ କୋଟି ଟଙ୍କା ଚାନ୍ଦା ମିଳିଥିବା ଜଣାଯାଇଛି। ଚାନ୍ଦା ପାଇଥିବା ଦଳଗୁଡିକ ହେଲେ ଆମ୍ ଜନମତ ପାର୍ଟି, ଭାରତୀୟ ନ୍ୟାସନାଲ ଜନତା ଦଳ, ଗରିବ କଲ୍ୟାଣ ପାର୍ଟି, ନ୍ୟୁ ଇଣ୍ଡିଆ ୟୁନାଇଟେଡ୍ ପାର୍ଟି, ସତ୍ୟବାଦୀ ରକ୍ଷକ ପାର୍ଟି ଓ ସ୍ବତନ୍ତ୍ର ଅଭିବ୍ୟକ୍ତି ପାର୍ଟି। ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ ରିଫର୍ମ (ଏଡିଆର) ରିପୋର୍ଟ ଅନୁଯାୟୀ ଏହି ୬ଟି ରାଜନୈତିକ ଦଳ ନିର୍ବାଚନ କମିସନଙ୍କ ନିକଟରେ ଅଣପଞ୍ଜିକୃତ ରାଜନୈତିକ ଦଳ ଭାବେ ପଞ୍ଜିକୃତ ହୋଇଛନ୍ତି। ଏହି ୬ଟି ଦଳ ଯେଉଁ ଚାନ୍ଦା ପାଇଛନ୍ତି ତାହା କଂଗ୍ରେସ, ଆମ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି, ସିପିଆଇ(ଏମ୍) ଓ ନ୍ୟାସନାଲ ପିପୁଲ୍ସ ପାର୍ଟି ଭଳି ଜାତୀୟ ରାଜନୈତିକ ଦଳଗୁଡିକ ଠାରୁ ଅଧିକ। ଏହି ୫ଟି ଜାତୀୟ ଦଳ ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୮୦ କୋଟି ଟଙ୍କା ଚାନ୍ଦା ପାଇଥିଲେ। ଆମ୍ ଜନମତ ପାର୍ଟି ସର୍ବାଧିକ ୬୨୦ କୋଟି ଟଙ୍କା ଚାନ୍ଦା ପାଇଛି। ଯାହା କଂଗ୍ରେସ ଦଳର ଚାନ୍ଦା ୨୮୧ କୋଟିର ଦୁଇଗୁଣା ଠାରୁ ଅଥିକ। ୨୦୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେଣୁ ଏହାର ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଏହି ଚାନ୍ଦା ଦିଆଯାଇଥିଲା। ୧୭୦୦କୋଟିର ଚାନ୍ଦା ପାଇଥିବା ରାଜନୈତିକ ଦଳଗୁଡିକ ମାତ୍ର ୧୫ଜଣ ପ୍ରାର୍ଥୀ ଦେଇଥିଲେ। ଯେତେବେଳେ କି କମ୍ ଚାନ୍ଦା ପାଇଥିବା ୫ଟି ଜାତୀୟ ରାଜନୈତିକ ଦଳ ୮୯୩ ଜଣ ପ୍ରାର୍ଥୀ ଦେଇଥିଲେ। ବିପୁଳ ପରିମାଣର ଚାନ୍ଦା ପାଇଥିବା ଏହି ଅଣପଞ୍ଜିକୃତ ରାଜନୈତିକ ଦଳ ମଧ୍ୟରୁ ୪ଟି ଗୁଜରାଟର ନରୋଦାର ହୋଇଥିବାବେଳେ ୨ଟି ଅହମଦାବାଦରେ ଅବସ୍ଥିତ।
ସୌଜନ୍ୟ ସମାଜ




