କଟକ ୧୭।୨: ଆଉ ମାତ୍ର ଦିନକ ପରେ ମାଟ୍ରିକ୍ ପରୀକ୍ଷା । ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ, ମୋଟ୍ ୩୦୮୨ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । କପି କରୁଥିବା ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କପି ଯୋଗାଇଲେ କିମ୍ବା କିଛି ଅନିୟମିତତା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ବୋଲି ବୋର୍ଡ ସଭାପତି କହିଛନ୍ତି ।
ସେହିଭଳି ଜରୁରୀକାଳୀନ ପରିସ୍ଥିତି ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯାଇଛି । ସକାଳ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ପୂର୍ବରୁ ୯ଟା ୧୫ ମିନିଟ୍ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା । ଏଥିରେ ଆଉ ୧୫ ମିନିଟ୍ ବୃଦ୍ଧି କରାଯାଇଥିବା କହିଲେ ବୋର୍ଡ ସଭାପତି । ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପାଇଁ ଅତିରିକ୍ତ ୫୦ ମିନିଟ୍ ସମୟ ଦିଆଯିବ । ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସହାୟକ ଲେଖାଳି ଯୋଗାଇଦେବେ ସେଣ୍ଟର । ଯଦି ନିଜେ ଚାହିଁବେ ତେବେ ଦଶମ ଶ୍ରେଣୀରୁ ତଳ ଶ୍ରେଣୀର ଛାତ୍ରଙ୍କୁ ସହାୟକ ଲେଖାଳି ଭାବେ ଭିନ୍ନକ୍ଷମ ପରୀକ୍ଷାର୍ଥୀ ଆଣି ପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆସନ୍ତା ୧୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ପରୀକ୍ଷା । ଏନେଇ ୩୦୮୨ ସେଣ୍ଟର ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ପ୍ରଶ୍ନପତ୍ର ପାଇଁ ୩୨୨ଟି ନୋଡାଲ ସେଣ୍ଟର ସୃଷ୍ଟି କରାଯିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି । ଯେଉଁଥିରେ ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ରଖିବାକୁ ବୋର୍ଡ ପକ୍ଷରୁ ଯୋଜନା କରାଯାଇଛି । ସମସ୍ତ ନୋଡାଲ ସେଣ୍ଟର ଗୁଡ଼ିକୁ ସିସିଟିଭି ନଜରରେ ରଖାଯିବ । ଚଳିତବର୍ଷ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ର ଗୁଡ଼ିକ ମଧ୍ୟ ସିସିଟିଭି ନଜରରେ ରହିବ ।
ସୌଜନ୍ୟ Prameya News7
