Site icon Swayam News

ବ୍ୟାଙ୍କରେ ଆଦାନୀ ଋଣ ସମୀକ୍ଷା ଆରମ୍ଭ: ଷ୍ଟେଟ୍‌ ବ୍ୟାଙ୍କ ଦେଇଛି ୩୩,୮୦୦ କୋଟି

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଆଇନ ବିଭାଗ ଲାଞ୍ଚ କାରବାର ଅଭିଯୋଗ ଆଣିବା ପରେ ଭାରତରେ ତାଙ୍କ କମ୍ପାନିଗୁଡ଼ିକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକର ସମୀକ୍ଷା ଆରମ୍ଭ କରିଛନ୍ତି। ନୂଆ ଋଣ ଦେବା ପୂର୍ବରୁ ଯଥାର୍ଥ ଆକଳନକୁ ଆହୁରି କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି ନା ନାହିଁ ତାହା ଜାଣିବାକୁ ସେମାନେ ଉଦ୍ୟମ କରୁଛନ୍ତି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ ଓ ଆର୍‌ବିଏଲ୍‌ ବ୍ୟାଙ୍କ ଆଦାନୀ ଗ୍ରୁପ୍‌ର ବିଭିନ୍ନ ସଂସ୍ଥାକୁ ଋଣ ଦେଇଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଦାନୀ ଋଣର ସମୀକ୍ଷା ଆରମ୍ଭ କରାଯାଇଛି। ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଆଦାନୀ ଗ୍ରୁପ୍‌କୁ ୩୩,୮୦୦ କୋଟି ଟଙ୍କା ଋଣ ଦିଆଯାଇଛି। ଆଦାନୀ ଗ୍ରୁପ୍ ଏହାର ବିଭିନ୍ନ ପ୍ରକଳ୍ପ ଲାଗି ୨.୪ ଲକ୍ଷ କୋଟି ଟଙ୍କାର ଋଣ ଆଣିଛି। ସେଥିରୁ ୮୮,୧୦୦ କୋଟି ଟଙ୍କା ଦେଶ ଭିତର ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଠାରୁ ନେଇଛି।

ସେଥିରୁ ୭୫,୮୭୭ କୋଟି ଟଙ୍କା ମିଆଦୀ ଋଣ ହୋଇଥିବା ବେଳେ ୧୨,୨୨୩ କୋଟି ଟଙ୍କା ହେଉଛି କାର୍ଯ୍ୟକାରୀ ପୁଞ୍ଜି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକଠାରୁ କମ୍ପାନି ୧୫ ପ୍ରତିଶତ ଋଣ ନେଇଥିବା ବେଳେ ଘରୋଇ ବ୍ୟାଙ୍କରୁ ୪ ପ୍ରତିଶତ ଋଣ ନେଇଛି। ଆଦାନୀ ଗ୍ରୁପ୍‌ରେ ଭାରତୀୟ ଜୀବନ ବୀମା ନିଗମ ଓ ପାୱାର ଫାଇନାନ୍ସ କର୍ପୋରେସନ୍, ରୁରାଲ ଇଲେକ୍ଟ୍ରିଫିକେସନ କର୍ପୋରେସନ୍‌ର ମଧ୍ୟ ଟଙ୍କା ଲାଗିଛି। ଆଦାନୀ ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ କମ୍ପାନି ପାଖରେ ୫୯,୭୯୧ କୋଟି ଟଙ୍କାର ନଗଦ ରାଶି ରହିଛି। ଯଦି ସେହି ସବୁ ଟଙ୍କାକୁ ଋଣ ଶୁଝିବାରେ ବ୍ୟବହାର କରାଯିବ, ତଥାପି କମ୍ପାନି ଉପରେ ଆହୁରି ୧,୮୧,୬୦୪ କୋଟି ଟଙ୍କାର ଋଣ ରହିବ। କମ୍ପାନି ପାଖରେ ଯେତିକି ନଗଦ ରହିଛି ତାହା ୩୦ ମାସ ପର୍ଯ୍ୟନ୍ତର ଋଣ ଶୁଝିବା ଆବଶ୍ୟକତା ପୂରଣ କରିପାରିବ। ତେଣୁ ବ୍ୟାଙ୍କଗୁଡ଼ିକ ଦେଇଥିବା ଋଣ ପ୍ରତି ହଠାତ୍‌ କିଛି ବିପଦ ନଥିବା କୁହାଯାଉଛି।

ସୌଜନ୍ୟ – ସମ୍ବାଦ

Exit mobile version