ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ : ରୋହିତ, କୋହଲିଙ୍କ ଉପରେ ରହିବ ନଜର

ରବିବାର ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ। ଏହି ମ୍ୟାଚରେ ବିଜୟ ସହ ଭାରତ ନୂଆ ବର୍ଷରେ ନିଜର ଅଭିଯାନ ଆରମ୍ଭ କରିବାକୁ ଉଦ୍ୟମ କରିବ।

ବଡ଼ୋଦରା: ରବିବାର ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ। ଏହି ମ୍ୟାଚରେ ବିଜୟ ସହ ଭାରତ ନୂଆ ବର୍ଷରେ ନିଜର ଅଭିଯାନ ଆରମ୍ଭ କରିବାକୁ ଉଦ୍ୟମ କରିବ। ଏହି ମ୍ୟାଚରେ ଭାରତର ଦୁଇ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଉଭୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ । ଏହି ସିରିଜରେ କୋହଲି ୨ଟି ଶତକ ଅର୍ଜନ କରିଥିବାବେଳେ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ସେହିପରି ରୋହିତ ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ଖରାପ ଫର୍ମ କାରଣରୁ ଟି-୨୦ ଟିମରୁ ବାଦ ପଡ଼ିଥିବା ଶୁବମନ ଗିଲଙ୍କ ଉପରେ ବି ସମସ୍ତଙ୍କ ନଜର ରହିବ। ସେ ଏକ ଭଲ ଇନିଂସ ଖେଳି ଫର୍ମକୁ ଫେରିବାକୁ ଚେଷ୍ଟା କରିବେ ।

୧୫ ବର୍ଷ ପରେ ବଡ଼ୋଦରାକୁ ଫେରିଲା ପୁରୁଷ ଅନ୍ତର୍ଜାତୀୟ ମ୍ୟାଚ୍

ପ୍ରାୟ ୧୫ ବର୍ଷ ପରେ ବଡ଼ୋଦରାକୁ କୌଣସି ପୁରୁଷ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ ଫେରିଛି। ଶେଷଥର ପାଇଁ ୨୦୧୦ରେ ଏଠାରେ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିଲା । ଶେଷ ମ୍ୟାଚଟି ମଧ୍ୟ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ସେହି ମ୍ୟାଚରେ ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଶତକ ଅର୍ଜନ କରିବା ସହ ବିରାଟ କୋହଲି ଅର୍ଦ୍ଧଶତକ ଅର୍ଜନ ରିଥିଲେ। ବିଗତ କିଛି ବର୍ଷ ହେବ ଅହମ୍ମଦାବାଦର ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ଅଧିକାଂଶ ମ୍ୟାଚ ହେଉଥିବାବେଳେ ବଡ଼ୋଦରାରେ କେବଳ ରଣଜୀ, ବିଜୟ ହଜାରେ ପରି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିଲା । ଏବେ ୧୫ ବର୍ଷ ପରେ ପୁଣି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବାରୁ ବଡ଼ୋଦରା ପାଇଁ ଏହି ମ୍ୟାଚର ସ୍ବତନ୍ତ୍ର ଗୁରୁତ୍ବ ରହିଛି।

ସୌଜନ୍ୟ ସମ୍ବାଦ

 

Exit mobile version