ଭୁବନେଶ୍ୱରରେ ବାଇକ ଚାଳକଙ୍କୁ ଅଂଶୁଘାତର ଶିକାର, ବେହୋସ୍ ହୋଇଗଲେ ଆମ ବସ୍‌ର ଦୁଇ ମହିଳା କଣ୍ଡକ୍ଟର

ଭୁବନେଶ୍ୱର: ସାରା ରାଜ୍ୟରେ ନିଆଁ ବର୍ଷା। ଉପକୂଳରୁ ଆଭ୍ୟନ୍ତରୀଣ, ପଶ୍ଚିମରୁ ଦକ୍ଷିଣ ନାହିଁ ନିସ୍ତାର। ୪୪ ଡିଗ୍ରୀ ସହ ଶୀର୍ଷରେ ଝାରସୁଗୁଡା। ୪୨.୧ ଡିଗ୍ରୀରେ ସନ୍ତୁଳି ହେଲା ଭୁବନେଶ୍ୱର। ପୁଣି ଆହୁରି ଦୁଇଦିନ ଅସମ୍ଭାଳ ହେବ। ଏନେଇ ଚେତାବନୀ ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।

ଗରମ ଏମିତି ହେଲା ଯେ ଆଚାର୍ଯ୍ୟବିହାରରୁ ବାଣୀବିହାର ରାସ୍ତାରେ ଜଣେ ବାଇକ୍ ଚାଳକ ସନଷ୍ଟ୍ରୋକର ଶିକାର ହେଲେ। ମୁଣ୍ଡରେ ପାଣି ଢାଳିବାରୁ ସ୍ବାଭାବିକ ପରିସ୍ଥିତିକୁ ଆସିଲେ । ଆମ ବସ୍ ଭିତରେ ଦୁଇ ମହିଳା କଣ୍ଡକ୍ଟର ହଠାତ୍ ଅଚେତ ହୋଇ ପଡିଲେ। ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ଜି କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଏମ୍ସ୍ରେ ଭର୍ତ୍ତି କରାଯାଇଛି।

ଭୁବନେଶ୍ଵରେ ଗୁରୁବାର ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ବର୍ଷ ରାଜଧାନୀରେ ଏହା ସର୍ବୋଚ୍ଚ ତାପମାତ୍ରା ଭାବେ ରେର୍କଡ ହୋଇଛି। ଗତକାଲି ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ ଥିଲା।

ଘରୁ ବାହାରିଲେ ଟାଇଁ ଟାଇଁ ଖରାରେ ଦେହହାତ ପୋଡ଼ିଗଲା ଭଳି ଲାଗୁଛି। ୧୨ଟା ବେଳକୁ ରାସ୍ତା ଶୂନଶାନ। ରେଳଷ୍ଟେସନ ବାହାରେ ଯାତ୍ରୀ ସର୍ବାଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଷ୍ଟେସନ କାମ ଚାଲୁଥିବାରୁ ବାହାରେ ବସିବାକୁ ଜାଗା ନାହିଁ । ସେହିପରି ଷ୍ଟେସନର ବସଷ୍ଟାଣ୍ଡରେ ମଧ୍ୟ ଅନୁରୂପ ଅବସ୍ଥା । ଯାତ୍ରୀ ବସିବାକୁ ଜାଗା ନଥିବା ବେଳେ, ତାତି ଆହୁରି କଷ୍ଟ ଦେଉଥିଲା ।

ବାଣୀବିହାର ବସଷ୍ଟାଣ୍ଡ ପାଖରେ ଖରାରେ ସନ୍ତୁଳି ହୋଇଯାଇଥିଲେ ଯାତ୍ରୀ। ସେଠାରେ ଷ୍ଟାଣ୍ଡ ନଥିବାରୁ ଗଛମୂଳେ ଆଶ୍ରୟ ନେଇଥିଲେ ଲୋକେ। ଲୋୟର ପିଏମ୍ଜି, ରସୁଲଗଡ, ପଳାଶୁଣି, ପଟିଆରୁ ଜୟଦେବ ବିହାର ରାସ୍ତା ଖାଁ ଖାଁ ଲାଗିଥିଲା ।

ବିଏମ୍ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିଛି, ହେଲେ ଏହି ସବୁ ଜଳଛତ୍ରରେ ପାଣି ମିଳୁନି। ଖାଲି ସେଡ୍ କରି ବିଏମ୍ସି ଛାଡି ଦେଇଛି । କୌଣସି ସାମାଜିକ ସଂଗଠନ ରାଜି ନ ହେବାରୁ ଏବେ ଅନେକ ସ୍ଥାନରେ ଖାଲି ବାଉଁଶ ବନ୍ଧା ହୋଇଛି। ହେଲେ ଜଳଛତ୍ର ଖୋଲି ପାରିନି । ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ଅଧିକ ଖରା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି

ବୁଲା ପଶୁ ପକ୍ଷୀ । ସରକାରଙ୍କ ନିୟମ ଅନୁସାରେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷ କରି ପାର୍କ, ଖୋଲା ସ୍ଥାନରେ ପାଣି କୁଣ୍ଡ ରଖିବାକୁ କୁହାଯାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ହାତ ଗଣତି ସ୍ଥାନରେ ଜଳଛତ୍ର ଖୋଲିଛି। ଫଳରେ ଉଭୟ ପଶୁପକ୍ଷୀ ଏବଂ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୌଜନ୍ୟ Prameya News7