ମଞ୍ଜ କଥା: ଜମି ବଞ୍ଚିଲେ ଗାଁ ବଞ୍ଚିବ
ଓଡ଼ିଶାର ଯେ କୌଣସି ରାଜପଥରେ ଗଲାବେଳେ ଉଭୟ ପାର୍ଶ୍ବରେ ହସୁଥିବା ଧାନକ୍ଷେତ କଥା ଆପଣମାନେ ଭୁଲି ନଥିବେ। ପିଢ଼ି ପରେ ପିଢ଼ିକୁ ଅନ୍ନ ଯୋଗାଉଥିବା ଏହି ଜମିର ହିଡ଼ ଉପରେ ବସି ଦିନେ ଚାଷୀ ଓଡ଼ିଶାର ଭାଗ୍ୟ ଲେଖୁଥିଲା।

ଭବାନୀ ଶଙ୍କର ତ୍ରିପାଠୀ
ଓଡ଼ିଶାର ଯେ କୌଣସି ରାଜପଥରେ ଗଲାବେଳେ ଉଭୟ ପାର୍ଶ୍ବରେ ହସୁଥିବା ଧାନକ୍ଷେତ କଥା ଆପଣମାନେ ଭୁଲି ନଥିବେ। ପିଢ଼ି ପରେ ପିଢ଼ିକୁ ଅନ୍ନ ଯୋଗାଉଥିବା ଏହି ଜମିର ହିଡ଼ ଉପରେ ବସି ଦିନେ ଚାଷୀ ଓଡ଼ିଶାର ଭାଗ୍ୟ ଲେଖୁଥିଲା। ତା’ ପାଖ ଜମିରେ ଧଳା ବଗମାନେ ଚାଲିଚାଲି କ୍ଷେତରେ ଜମିଥିବା ପାଣି ଭିତରୁ ଶିକାର ଖୋଜୁଥିଲେ। ଏହାକୁ କେବେ କେବେ ଚଳଚ୍ଚିତ୍ର ନିର୍ମାତାମାନେ ତାଙ୍କ କ୍ୟାମେରା ଲେନ୍ସରେ ତୋଳି ଧରିଛନ୍ତି। ଆଉ କେବେ କବି, ଲେଖକଙ୍କ ଭାଷାରେ ଏହାର ରୂପାନ୍ତର ଘଟିଛି।
ବିକଶିତ ଓଡ଼ିଶା ନିର୍ମାଣର ସ୍ବପ୍ନରେ ମୋହାଚ୍ଛନ୍ନ ବିନ୍ଧାଣିମାନେ ସମ୍ଭବତଃ ଲକ୍ଷ୍ୟ କରିପାରିନାହାନ୍ତି ଯେ ଏକଦା ସୁନା ଫଳୁଥିବା ଏ ସବୁ କ୍ଷେତକୁ ଇତିମଧ୍ୟରେ କେହି ଘେରାବନ୍ଦୀ କରି ସାରିଲାଣି। ଅେନକ ଧାନ ଜମି ସାମନାରେ ଗୋଟିଏ ରଙ୍ଗୀନ ସାଇନବୋର୍ଡ ଛିଡ଼ା ହୋଇ ଡାକୁଛି, “ପ୍ରିମିଅମ ପ୍ଲଟ୍, ସ୍ୱଚ୍ଛ ମାଲିକାନା; ବାଇପାସରୁ କୋଡ଼ିଏ ମିନିଟ୍।” ବିଚରା ସେ ବଗ ଇଟା-ପଥର ଗଦା ଉପରେ ହତଭମ୍ବ ହୋଇ ପାଣିକୁ ଖୋଜୁଛି, ଯାହାର ଆଉ କୁଆଡ଼େ ଯିବାକୁ ବାଟ ନାହିଁ।
ଏ ଦୁଇଟି ଦୃଶ୍ୟକୁ ଆପଣମାନେ କୌଣସି କାହାଣୀର ଆଦ୍ୟାଂଶ କିମ୍ବା ଗୋଟିଏ ସାମାନ୍ୟ ପରିସ୍ଥିତିର ବର୍ଣ୍ଣନା ବୋଲି ଭାବିବା ଉଚିତ ନୁହେଁ। ବରଂ, ଗୋଟିଏ ଜାତିର ସବୁଜ ଅର୍ଥନୀତି, ସାମାଜିକ ଜୀବନକୁ ରୁନ୍ଧି ଦେବାକୁ କିଛି ପ୍ରଭାବଶାଳୀ ବା ଧନାଢ଼୍ୟଙ୍କ ଭୀଷଣ ଷଡ଼୍ଯନ୍ତ୍ର ବୋଲି ବିଚାର କରନ୍ତୁ; ଯାହାର ପରିଣାମ ଭୋଗିବାକୁ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ି ନପାରେ।
ଉଭୟ କୃଷି ଓ ରାଜସ୍ବ ବିଭାଗର ବଡ଼ପଣ୍ଡାଙ୍କ ନିଅଣ୍ଟିଆ ଦୂରଦୃଷ୍ଟି, ଲୋକପ୍ରିୟ ସରକାର ବା ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ପାରଦର୍ଶିତାର ଅଭାବ ତଥା ଶାସନରେ ‘ଅନିୟମିତତା’କୁ ବଳ ଦେଉଥିବା ଢଙ୍ଗର ଏହା ଏକ ପ୍ରତିଫଳନ ମାତ୍ର। ସିଧା କହିଲେ, ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଏସବୁ ଜମି କିଣାବିକାର ତାଲିକା ଯେତେ ଲମ୍ବା ହେବ; ରାଜ୍ୟରେ ଭୂମି ସହିତ ସଂଲଗ୍ନ ପ୍ରସଙ୍ଗ ସେତେ ଗମ୍ଭୀର ରୂପ ଧାରଣ କରିବ, ଏହା ନିଃସନ୍ଦେହ। ଏଇଥିପାଇଁ ଯେ ଚାଷୀର ଚାଷ ପାଇଁ ଦୁଆର ଖୋଲିବାକୁ କୁନ୍ଥକୁନ୍ଥ ଆମ ବ୍ୟାଙ୍କ ଏସବୁ ଜମିରେ ପ୍ରାସାଦ ନିର୍ମାଣ ଲାଗି ନିମିଷକରେ ସବୁ ସୁଯୋଗ ଜୁଟାଇ ଦିଅନ୍ତି। ଚିକ୍ଚିକ୍ ଘରକୁ ଦେଖି ସରକାର ତୁରନ୍ତ ଦାବି କରନ୍ତି ଯେ ବିକଶିତ ଓଡ଼ିଶା ଆଡ଼କୁ ଆମେ ଆଉ ପାଦେ ବଢ଼ିଲୁ। ଏଭଳି ନିର୍ମାଣକୁ ଆୟକର ରିଟର୍ନରେ ଛାଡ଼ ଦେଇ କେନ୍ଦ୍ର ସରକାର ମଧ୍ୟ ପୁରସ୍କୃତ କରିଥାନ୍ତି।
ଅସଲ କଥା ହେଲା, ଗୋଟିଏ ବର୍ଷାରେ ଏ ପ୍ରଶଂସା ଓ ସଫଳତା ଭିନ୍ନ ଏକ ଚିତ୍ର ସହିତ ଗଣମାଧ୍ୟମର ଶିରୋନାମା ପାଲଟେ। ତଥାକଥିତ ଏହି ନୂଆ କଲୋନି ବୁଡ଼େ। ଏସବୁ ଅଞ୍ଚଳର ଚଳତ୍ ଚିତ୍ର ଟିଭି ପରଦାରେ ବଖାଣିଲା ବେଳେ ଇଂରେଜୀ କୁହା ବାବୁମାନେ ‘ଅର୍ବାନ୍ ଫ୍ଲଡିଂ’, ‘ରୁରାଲ୍ ଫ୍ଲଡିଂ’ ଭଳି ଶବ୍ଦମାନ ଫିଙ୍ଗି ଦାୟିତ୍ବ ଝାଡ଼ିଦିଅନ୍ତି। ଯେଉଁ ବ୍ୟବସ୍ଥା କଂକ୍ରିଟ ଜଙ୍ଗଲକୁ ପ୍ରୋତ୍ସାହନ ଦେଇଥିଲା, ସେହି ବ୍ୟବସ୍ଥା ପୁଣି ରିଲିଫ୍ ପାଣ୍ଠି ସହିତ ପହଞ୍ଚିଯାଏ।
କେବଳ ସେତିକି ନୁହେଁ, ଦିନ କେତେଟା ପରେ ଆଉ ଏକ ଲଜ୍ଜାଜନକ ସତ୍ୟ ଦୁନିଆ ସାମ୍ନାକୁ ଆସେ। କିଛି କ୍ଷମତାସଂପନ୍ନ ବ୍ୟକ୍ତିଙ୍କୁ ଭିଜିଲାନ୍ସ ବା ଅର୍ଥନୈତିକ ଅପରାଧ ଶାଖା ଯେବେ ଧରେ, ଟିଭି ପରଦା ଓ ଖବରକାଗଜରେ ନାମକୁ ମାତ୍ର ବ୍ୟାଙ୍କ ଋଣ ଏବଂ ଅନିୟମିତତାର ପୁଞ୍ଜିରେ ଚାଷ ଜମିରୁ ‘ଆଲିସାନ’ ଘର, ପ୍ଲଟ୍ ଓ ଫାର୍ମହାଉସ ଭଳି ସଂପତ୍ତିର ଫଟୋ ଦେଖିବାକୁ ମିଳେ।
ଏସବୁକୁ ଗୋଟିଏ ଲେନ୍ସରେ ଦେଖିଲେ, ସଙ୍କେତ ମିଳେ ଯେ ସରକାରଙ୍କ ନୀତି, ଆୟକର ଢାଞ୍ଚା, ବିଲ୍ଡରଙ୍କ କୌଶଳ, ଲୋକଙ୍କ ଭିତରେ ଏକାଧିକ ଗୃହ ନିର୍ମାଣ ନିଶା ରାଜ୍ୟମାନଙ୍କୁ ଅତି ନିରବରେ ଏକ ଭୀଷଣ ବିପର୍ଯ୍ୟୟ ଭିତରକୁ ଟାଣି ନେଲାଣି। ଜଳବାୟୁ ପରିବର୍ତ୍ତନକୁ ବି ଏହା ଇନ୍ଧନ ଯୋଗାଉଛି।
ଏ କଥା କେହି ଅସ୍ବୀକାର କରିବେ ନାହିଁ, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆଲୋଚନା ଚକ୍ର ଭିତରେ ବାନ୍ଧି ରଖିବାର ସମୟ ସରିଯାଇଛି। ‘ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ’ ଓ ‘ଡାଉନ୍ ଟୁ ଆର୍ଥ’ ରିପୋର୍ଟ ଏହି ଯୁକ୍ତିକୁ ବଳ ଦିଏ। ଏଥିରେ କୁହାଯାଇଛି, ୨୦୨୫ ଜାନୁଆରିରୁ ନଭେମ୍ବର ୩୩୪ ଦିନ ଭିତରୁ ୩୩୧ ଦିନ ଭାରତ ଚରମ ପାଣିପାଗର ଶିକାର ହୋଇଛି।
କ୍ଷୟକ୍ଷତିର ହିସାବ ଯୁଦ୍ଧ ଭଳି ଭୀଷଣ। ଅତି କମ୍ରେ ୪,୪୧୯ ଜଣଙ୍କ ଜୀବନ ଯାଇଛି। ପ୍ରାୟ ୧.୭୪ କୋଟି ହେକ୍ଟର ଫସଲ ନଷ୍ଟ ହୋଇଛି। ୧.୮ ଲକ୍ଷରୁ ଅଧିକ ଘର ଭାଙ୍ଗିଛି, ପାଖାପାଖି ୭୭,୦୦୦ ଗୃହପାଳିତ ପଶୁ ମରିଛନ୍ତି। ଆଖି ଆଗକୁ ଆସୁଥିବା ଅନ୍ୟ ସତ୍ୟଟି ହେଉଛି, ପ୍ରତିଟି ସଂଖ୍ୟା ପଛରେ ଗୋଟିଏ ପରିବାରର ବିପର୍ଯ୍ୟସ୍ତ ଅର୍ଥନୀତି ଚିତ୍ର ଲୁଚି ରହିଛି। ଜୀବନଜୀବିକାର କାହାଣୀ ବି। ଚାରି ପାଦ ପଛକୁ ଯାଇ ଦେଖିଲେ ୨୦୨୨ ତୁଳନାରେ ମୃତ୍ୟୁ ସଂଖ୍ୟା ୪୭ ପ୍ରତିଶତ ବଢ଼ିଛି ଏବଂ ଫସଲ କ୍ଷତି ପ୍ରାୟ ନଅ ଗୁଣ ବୃଦ୍ଧି ପାଇଛି।
ଆନ୍ଦୋଳିତ କରୁଥିବା ଭିନ୍ନ ଦିଗଟି ମଧ୍ୟ ହେଲା, ଋତୁମାନେ ପରିଚୟ ହରାଇଲେଣି। ୨୦୨୫ ମସିହାର ଫେବ୍ରୁଆରି ୧୨୪ ବର୍ଷର ସବୁଠୁ ଅଧିକ ଗରମ ମାସର ଅନୁଭୂତି ରଖିଛି। ପ୍ରଥମ ଥର ପାଇଁ ଜାନୁଆରି-ଫେବ୍ରୁଆରି ଶୀତରେ ଗ୍ରୀଷ୍ମପ୍ରବାହ ରେକର୍ଡ କରିଛି। ଶୀତର ୫୯ ଦିନ ଭିତରୁ ୫୧ ଦିନ ପ୍ରବଳ ବର୍ଷା ଓ ବନ୍ୟା ଦେଖିଲା। ମୌସୁମୀର ୧୨୨ ଦିନର ଆୟୁ ମଧ୍ୟରେ କେଉଁଠି ନା କେଉଁଠି ବନ୍ୟା, ଭୂସ୍ଖଳନ ଓ ବାଦଲଫଟା ପୋଷାକ ପିନ୍ଧି ପ୍ରକୃତି ରୌଦ୍ର ରୂପ ଧାରଣ କରିଥିଲା। ଅତଏବ ପାଣିପାଗ ବିଜ୍ଞାନୀଙ୍କ ‘ସ୍ୱାଭାବିକ ପାଣିପାଗ’ର ପୂର୍ବାନୁମାନକୁ ବିଭ୍ରାନ୍ତି ନା ଦୁଃସ୍ବପ୍ନ ବୋଲି କୁହାଯିବ?
ହେେଲ, ଅବସୋସ ହେଲା ଯେ ଜଳବାୟୁର ଏ ଚରମ ସ୍ଥିତିରୁ ଆମେ କିଛି ଶିକ୍ଷା ଲାଭ କରୁନାହାନ୍ତି। ଗାଁ ମୁଣ୍ଡ, ଜାତୀୟ ରାଜପଥ ସଂଲଗ୍ନ ହେକ୍ଟର ହେକ୍ଟର ଧାନକ୍ଷେତ, ପ୍ରତିଟି ପୋଖରୀ, ଜଳାଶୟରେ ପ୍ରତି ଦିନ ବୁଲଡୋଜର ପଶୁଛି। ଏହାକୁ ଆମେ ବିକାଶର ଅନ୍ତୁଡ଼ିଶାଳ କହିବା ନା ବିନାଶ ପାଇଁ ପ୍ରସ୍ତୁତି? ଆମ ପିଲାମାନେ ଯଦି ଦିନେ ପଚାରିବେ, “ଜେଜେବାପାଙ୍କ ଧାନକ୍ଷେତ କେଉଁଠି ଥିଲା?” ସେଦିନ ଆମେ ଆଉ କାହାର କଂକ୍ରିଟ କାନ୍ଥକୁ ଆଙ୍ଗୁଠି ଦେଖାଇବା କି?
ଉତ୍ପନ୍ନ ସ୍ଥିତିକୁ ଲକ୍ଷ୍ୟ କରିବା ପରେ ସରକାରଙ୍କୁ ଏକ ପ୍ରଶ୍ନ ପଚାରିବାକୁ ମନ କହେ। ବିପର୍ଯ୍ୟୟ ମୁକାବିଲାରେ ପ୍ରଶଂସିତ ଓଡ଼ିଶା ଆଜି ସହରର ବର୍ଷାପାଣି ଆଗରେ ଅସହାୟ କାହିଁକି? ଆମ ବିଚାରରେ ସରଳ ଉତ୍ତରଟି ହେଲା, ଅତି ବୁଦ୍ଧିମାନ ମଣିଷ ନିଜ ପାଇଁ ସମୃଦ୍ଧି ସାଉଁଟୁ ସାଉଁଟୁ ବିପର୍ଯ୍ୟୟକୁ କୋଳେଇ ନେଇଛି। ବର୍ଷା ପାଣି ଶୋଷିବାକୁ କ୍ଷେତ ନାହିଁ କି ପେଟରେ ଆଶ୍ରୟ ଦେବାକୁ ବିଶାଳ ପୋଖରୀ ନାହିଁ। ଆଗକୁ ବହିଯିବା ପାଇଁ ଥିବା ନାଳ ମଧ୍ୟ ଅଣନିଶ୍ବାସୀ ପ୍ରାୟ। ଏହାକୁ ଦୈବୀ ଦୁର୍ବିପାକ କହିପାରିବା ନାହିଁ; ବରଂ ଆମ ଶାସନର ଦୂରଦୃଷ୍ଟିହୀନତା ବୋଲି ମାନିବା। ଆମ ଆବଶ୍ୟକତା ଓ ଲୋଭ (ଆୟକର ଛାଡ଼ ଗଣିତ) ଏଥି ପାଇଁ ଦାୟୀ ବୋଲି ସ୍ବୀକାର କରିବା।
କେନ୍ଦ୍ର ସରକାର ଛଅ ଦଶନ୍ଧିରୁ ଅଧିକ ପୁରୁଣା ଆୟକର ଆଇନକୁ ବଦଳାଇଲେ। ମୂଳ ଦର୍ଶନ କିନ୍ତୁ ଅପରିବର୍ତ୍ତିତ ରହିଲା। ଆୟକର ପ୍ରକ୍ରିୟାରେ ଏକାଧିକ ଗୃହ ନିର୍ମାଣ ପ୍ରତି ଦୟାଳୁ ମନୋଭାବ ବି। ଓଲଟା ଯିଏ ନିଜ ପୈତୃକ ଗାଁରେ ଆମ୍ବ, କାଜୁ, ଶାଗୁଆନ, ବାଉଁଶ କିମ୍ବା ମିଶ୍ରିତ କୃଷି-ବନ ସୃଷ୍ଟି କରିବାକୁ ଚାହେଁ, ତା’ ପ୍ରତି ଏ ଆଇନ ପୂର୍ବବତ୍ ନିର୍ବିକାର। ଯିଏ ମାଟିକୁ ବଞ୍ଚାଉଛି, ତା’ ପାଇଁ କଠୋର! ଅବଶ୍ୟ, କେନ୍ଦ୍ର ସରକାର ଜାଣିଶୁଣି ଏଭଳି କୃଷି-ବିରୋଧୀ ଷଡ଼୍ଯନ୍ତ୍ର କରି ନଥିବେ। ହେଲେ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ଏବଂ ସବୁଜ ପରିବେଶ ସୃଷ୍ଟିରେ ଏହି ଆଇନ ବାଧକ ସାଜିଛି।
ଏକଥା କହିବା ବେଳେ ସତର୍କ ଅଛୁ ଯେ ଆମେ ସହରୀକରଣକୁ ବିରୋଧ କିମ୍ବା କେହି ଘର ଖଣ୍ଡେ ପାଇବାରୁ ବଞ୍ଚିତ ହେଉ ବୋଲି ଚାହୁଁ ନାହୁଁ। ଭାରତକୁ ଘର ଦରକାର। ହେଲେ, କ୍ଷେତ, ଜଙ୍ଗଲ, ପୋଖରୀ ଓ ବାସଯୋଗ୍ୟ ଗାଁ ମଧ୍ୟ ଆବଶ୍ୟକ। ଏଣୁ ଦ୍ବିତୀୟ ଘର ନିର୍ମାଣକୁ ଆୟକରରେ ପ୍ରୋତ୍ସାହନ ନ ମିଳୁ। ବରଂ ଏକ ସବୁଜ ଜମିରେ ନିବେଶ ପାଇଁ ଆୟକର ଛାଡ଼ ହେଉ। ଘରୋଇ ବନୀକରଣ, କୃଷି-ବନ, ଉଦ୍ୟାନ ଚାଷ ଓ ପରିବେଶ ପୁନରୁଦ୍ଧାରରେ ଟଙ୍କା ଲଗାଉଥିବା ନାଗରିକ ତଥା ନର୍ସରି, ପୋଖରୀ, ଜଳସେଚନ, ଅମଳ ଓ ପ୍ରକ୍ରିୟାକରଣରେ ଗାଁର ଯୁବକଙ୍କୁ କାମ ଦେଉଥିବା ନିବେଶକୁ ଆୟକରରେ ପ୍ରାଥମିକତା ମିଳୁ।
ସରକାର, ନୀତି ନିର୍ଧାରକମାନେ ଭୁଲିଯାଆନ୍ତୁ ନାହିଁ ଯେ ବଜେଟ୍ର ଗୋଟିଏ ବଡ଼ ଅଂଶ ଗାଁ ବିକାଶ ପାଇଁ ଉଦ୍ଦିଷ୍ଟ। ହେଲେ, ସେଠାକାର ଯୁବକ ସୁରତ, ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ତା’ର ଜୀବନଜୀବିକା ଖୋଜୁଛି। ଏହା ଦେବାଳିଆ ଶାସନ ବ୍ୟବସ୍ଥାର ଗୋଟିଏ ଭୟାନକ ଦୃଶ୍ୟ ବୋଲି ବାର୍ତ୍ତା ଯାଉଛି। ଏଣୁ ବେଳ ଥାଉ ଥାଉ ଚେତନ୍ତୁ। ହେଜନ୍ତୁ ଯେ ଜମି ଯେତେବେଳେ ପ୍ଲଟ୍ ଭାବେ ବିକ୍ରି ପାଇଁ ଅପେକ୍ଷା ନ କରି ରୋଜଗାରର ମୁଖ୍ୟ ଆୟୁଧ ହେବ, ସେବେ ପ୍ରତି ଗାଁ ତା’ର ସନ୍ତାନଙ୍କୁ ଦାଦନ ଯିବାକୁ ଅନୁମତି ଦେବନି। କୃଷି-ବନ, ଉଦ୍ୟାନ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପର୍ଯ୍ୟଟନ ଓ ଗ୍ରାମୀଣ ଉଦ୍ୟୋଗ ଆଦି ଦ୍ବାରା ଏହା ସମ୍ଭବ ହୋଇପାରେ।
ହଁ, ‘ଯଶସ୍ବୀ ପ୍ରଧାନମନ୍ତ୍ରୀ’ ଭଳି ଘୋଷା ଅଭିବ୍ୟକ୍ତି ଧରିଥିବା ଆମ ସରକାର ମଧ୍ୟ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ବିରୋଧୀ କାର୍ଯ୍ୟରେ ବ୍ୟସ୍ତ। କାରଣ, ଆତ୍ମନିର୍ଭର ଭାରତ କହିଲେ କେବଳ ବଡ଼ କାରଖାନା ବା ସେମିକଣ୍ଡକ୍ଟରକୁ ବୁଝାଏ ନାହିଁ। ସ୍ୱାବଲମ୍ବୀ କହିଲେ, ବ୍ୟକ୍ତି ନିଜ ସମ୍ପଦର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକିଂ ଓ ବିକ୍ରି ନିଜେ କରିପାରେ। ଥରେ ଏମାନଙ୍କୁ ନେଇ ଗାଁ ସମୃଦ୍ଧ ହେଲେ ପ୍ରବାସ ବାଧ୍ୟବାଧକତା ନ ହୋଇ ଇଚ୍ଛାର ବିଷୟ ହୋଇଯିବ। ଆବାସ, ଯାନବାହନ ଓ ଜଳ ନିଷ୍କାସନର ଭାରରେ ଚାପି ହୋଇଯାଉଥିବା ସହରଗୁଡ଼ିକ ନିଃଶ୍ୱାସ ନେବାକୁ ସୁଯୋଗ ପାଇବେ।
ଏବେ ତ ନିଦ ଭାଙ୍ଗୁ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୪୭୪୨୭୪
ସୌଜନ୍ୟ ସମ୍ବାଦ




