ଭୁବନେଶ୍ବର: ମହାଶିବରାତ୍ରିରେ ଅନୁଷ୍ଠିତ ହେବ ଜାତୀୟସ୍ତର ଭଜନ ସମାରୋହ ।ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ ଆୟୋଜିତ ହେବ। ଏହା ଲିଙ୍ଗରାଜଙ୍କ ଭଜନ ମଣ୍ଡପଠାରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ମୁମ୍ବାଇର ଅନେକ କଣ୍ଠଶିଳ୍ପୀ ଯୋଗ ଦେଉଥିବା ବେଳେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ନୀତିନ ମୁକେଶ। ଏହା ଛଡ଼ା ଦେଶର ଅନ୍ୟ ପ୍ରାନ୍ତରୁ ମଧ୍ୟ ଅନେକ କଣ୍ଠଶିଳ୍ପୀ ଯୋଗ ଦେବେ।
ଏହି ଭଜନ ସମାରୋହରେ ନକଲି ଅମିତାଭ ବଚ୍ଚନ ଶଶୀକାନ୍ତ ପେଦଓ୍ବାଲ ମଧ୍ୟ ଯୋଗ ଦେବେ ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏକାମ୍ର ସଂସ୍କୃତିକା ପ୍ରକାଶନୀ ସଂସ୍ଥା। ଓଡ଼ିଶାରୁ ୩୦ରୁ ଉର୍ଦ୍ଧ୍ବ କଣ୍ଠ ଶିଳ୍ପୀ ମଧ୍ୟ ଏହି ସମାରୋହରେ ଯୋଗ ଦେବେ। ଭଜନ ସମାରୋହ ଭୋରରୁ ଆରମ୍ଭ ହେବ ଏବଂ ମହାଦୀପ ଉଠିବା ପରେ ମଧ୍ୟ ରହିବ ବୋଲି ଆୟୋଜକ କହିଛନ୍ତି।
ମହାଶିବରାତ୍ରି ଦିନ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପରାୟଣ ଓ ପ୍ରବଚନ କରାଯିବା। ଏହା ପରେ ସନ୍ଧ୍ୟା ୭ ଘଟିକାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହେବ । ଏହି ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାକୁ ସମ୍ମତି ପ୍ରଦାନ କରିଥିବା ଆୟୋଜକ କହିଛନ୍ତି।
ସଙ୍ଗୀତ ଜଗତର ଖ୍ୟାତନାମା କଳାକାରମାନଙ୍କୁ ‘ ଏକାମ୍ରଶ୍ରୀ ସମ୍ମାନ’ରେ ସମ୍ମାନିତ କରାଯିବ । ଏହା ସହ ସମସ୍ତ ସେବାୟତ ଙ୍କୁ ନେଇ ପୂର୍ବରୁ ସରକାରଙ୍କ ସହ ଆଲୋଚନା ହେଇଥିବା ସମୟ ଅନୁସାରେ ମହାଦୀପ ଉଠିବ ବୋଲି ମଧ୍ୟ ଏଠାରେ ସୂଚନା ଦେଇଛନ୍ତି ସେବାୟତ। ରାତି ୧୦ରେ ମହାଦୀପ ଉଠିବା ସମୟ ନିର୍ଦ୍ଧାରିତ ହୋଇଛି। ଏହି ସମୟ ଭିତରେ ଦୀପ ଉଠିବାକୁ ନେଇ ସମସ୍ତ ନିଯୋଗ ପ୍ରତିଶ୍ରୁତି ଦେଇଥିବା ବ୍ରାହ୍ମଣ ନିଯୋଗ ସଭାପତି କହିଛନ୍ତି।
ସୌଜନ୍ୟ Prameya News7
