ଯନ୍ତର ମନ୍ତରରେ ଛାତ୍ର ବିକ୍ଷୋଭବେଳେ ପୁଲିସର ବଳ ପ୍ରୟୋଗ ଅଭିଯୋଗ ; ତଦନ୍ତ କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ଯନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ ବଳ ପ୍ରୟୋଗ କରିିଥିବା ଅଭିଯୋଗ ଲାଗିଛି। ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କଠୋର ମନୋଭାବ ଗ୍ରହଣ କରିଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନର ତଦନ୍ତ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ ଗୁରୁବାର ସୁପ୍ରିମକୋର୍ଟ କମିଟି ଗଠନ ସହ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର ସୁଭାଷ ରେଡ୍ଡୀଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେହିପରି ପଞ୍ଜାବ-ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରବି ଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ସଲିନ୍ଦର କୌର, ସିବିଆଇର ପୂର୍ବତନ ନିର୍ଦେଶକ ଋଷି କୁମାର ଶୁକ୍ଳା ଓ ମେଘାଳୟର ଅବସରପ୍ରାପ୍ତ ଡିଜିପି ଏଲଆର ବିଷ୍ଣୋଇ କମିଟିର ସଦସ୍ୟ ହୋଇଛନ୍ତି। ଗତ ୧୮ ତାରିଖର ଶୁଣାଣିରେ କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ଜୁଲାଇ ୨୦ରେ ହୋଇଥିବା କକ୍ରୋଚ ଜନତା ପାର୍ଟି (ସିଜେପି) ‘ସଂସଦ ଅଭିମୁଖେ ପଦଯାତ୍ରା’ ବେଆଇନ ଥିଲା। ଏଥିପାଇଁ ଅନୁମତି ଦିଆଯାଇ ନ ଥିଲା। ବିକ୍ଷୋଭକାରୀ ବ୍ୟାରିକେଡ ଭାଙ୍ଗି ପୁଲିସ ସହ ମାରପିଟ କରିଥିଲେ। ତେଣୁ ସ୍ଥିତି ସମ୍ଭାଳିବା ପାଇଁ ପୁଲିସକୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା।
ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଏହି ଉଚ୍ଚସ୍ତରୀୟ କମିଟି ୮ଟି ପ୍ରସଙ୍ଗର ଯାଞ୍ଚ କରିବ। ସେଥିରେ ଆବଶ୍ୟକତାଠାରୁ ଅଧିକ ବଳ ପ୍ରୟୋଗ କରାଯାଇନି କି? ପୁଲିସ କାର୍ଯ୍ୟାନୁଷ୍ଠାନ ଉଚିତ ଥିଲା କି ନାହିଁ ? ପେଲେଟ ଗନରେ କଟକଣା ଲାଗିବ କି ନାହିଁ? ପୁଲିସ କର୍ମଚାରୀଙ୍କ ପରିଚୟ ସ୍ପଷ୍ଟ ହେଉ? ବିକ୍ଷୋଭକାରୀଙ୍କ ଉପରେ କାହିଁକି ନଜର ରଖା ଯାଇଥିଲା? ବିକ୍ଷୋଭକାରୀଙ୍କୁ ଲକ୍ଷ୍ୟ ରଖି ହିଂସା କରାଯାଇ ନ ଥିଲା ତ? ଆହତଙ୍କ ଚିକିତ୍ସା, ଆର୍ଥିକ ସହାୟତା ଓ କ୍ଷତିପୂରଣ ବ୍ୟବସ୍ଥାର ଯାଞ୍ଚ କରାଯିବ। ବିଏନଏସଏସର ଧାରା ୧୫୨ ଓ ୧୬୩ ନିୟମର ଯାଞ୍ଚ କରାଯିବ। ଏହା ବ୍ୟତୀତ ପୁଲିସ କର୍ମଚାରୀଙ୍କ ବିରୋଧରେ ହୋଇଥିବା ହିଂସା, ମହିଳାଙ୍କୁ ଅସମ୍ମାନ ଓ ସାର୍ବଜନୀନ ସମ୍ପତ୍ତି କ୍ଷୟକ୍ଷତିର ମଧ୍ୟ ତଦନ୍ତ କରାଯିବ। ପୁଲିସର ଅତ୍ୟଧିକ ବଳ ପ୍ରୟୋଗ ବିରୋଧରେ ଦାୟର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷାରେ ଜାଲିଆତିକୁ ନେଇ ଯନ୍ତର ମନ୍ତରରେ ସିଜେପି ୪୯ ଦିନ ପର୍ଯ୍ୟନ୍ତ ବିକ୍ଷୋଭ କରିଥିଲା। ଜୁଲାଇ ୨୫ରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏହା ବନ୍ଦ ହୋଇଥିଲା।
ସୌଜନ୍ୟ ସମାଜ




