ରାଉରକେଲା ୧୦।୦୧ : ରାଉରକେଲାରେ ଘଟିଲା ଅଘଟଣ । ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜରୁରୀ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ ପାଇଲଟଙ୍କ ସମେତ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ଏକ ଛୋଟ ବିମାନ । ଯେଉଁଥିରେ ପାଇଲଟ ସମେତ ୯ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଦକ୍ଷିଣ ରାଉରକେଲା ଆକାଶରେ ବିମାନଟି ଉଡୁଥିବା ବେଳେ ହଠାତ୍ ଯାନ୍ତ୍ରୀକି ତ୍ରୁଟି ଦେଖିବାକୁ ମିଳିଥିଲା । ଏହାପରେ ପାଇଲଟ ତୁରନ୍ତ ବିମାନକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏମରଜେନ୍ସି ଲାଣ୍ଡିଂ ବେଳେ ହଠାତ୍ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଇସ୍ପାତ ଜେନେରାଲ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବିମାନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ କ୍ୟାପଟେନ୍ ନବୀନ ଖାଡେଙ୍ଗା, ତରୁଣ ଶ୍ରୀବାସ୍ତବ ରହିଥିବା ବେଳେ ୪ ଜଣ ଯାତ୍ରୀ ରହିଛନ୍ତି । ସେମାନେ ହେଉଛନ୍ତି ସୁଶାନ୍ତ କୁମାର ବିଶ୍ୱାଳ, ଅନିତା ସାହୁ, ସୁନୀଲ ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ ।
ସେପଟେ ବିମାନ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ସମସ୍ତ ଆହତଙ୍କୁ ଯଥାସମ୍ଭବ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଗନ୍ନାଥଙ୍କ ନିକଟରେ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।ସେହିପରି ମନ୍ତ୍ରୀ ବିଭୂତି ଜେନା ମଧ୍ୟ ବିମାନ ଦୁର୍ଘଟଣାରେ ସମସ୍ତେ ସୁରକ୍ଷିତ ଅଛନ୍ତି । ବଡ଼ ଦୁର୍ଘଟଣା ହୋଇଛି, କିନ୍ତୁ କାହାର କୌଣସି କ୍ଷତ ହୋଇନାହିଁ । ତେବେ ଏହି ଦୁର୍ଘଟଣାରେ ଯଦି କାହାର ବି ଭୁଲ୍ ଅଛି ଏବଂ କେମିତି ଦୁର୍ଘଟଣା ଘଟିଲା । ତାର ପୁରା ତଦନ୍ତ କରାଯିବ ।
ସୌଜନ୍ୟ ସମ୍ବାଦ
