ମହାନଗର

Tamato Price Crash ଟମାଟର ଦର ହ୍ରାସ ଯୋଗୁ ଚାଷୀ ହତାସ

ଗ୍ରୀଷ୍ମ ଋତୁରେ ସ୍ଥାନୀୟ ଟମାଟୋ ଚାଷ କମ ହୋଇଥାଏ ଓ ସପ୍ଲାଇ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଓ ଦକ୍ଷିଣ ଭାରତରୁ ଆସିଥାଏ। ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା କାରଣରୁ ଦୁବାଇ, କତାର ଓ ସାଉଦୀ ଆରବ ଭଳି ପ୍ରମୁଖ ବଜାରମାନଙ୍କୁ ଟମାଟର ରପ୍ତାନୀ ପାଖାପାଖି ବନ୍ଦ ରହିଛି।

ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରାରମ୍ଭ ସହ ଦେଶରେ ପନିପରିବା ଦର ତଳ ଉପର ହେବା ଏକ ସାଧାରଣ କଥା। ହେଲେ ଏଥର ଟମାଟର ବେପାର ଟ୍ରେଣ୍ଡର ବିପରୀତ କାରବାର ହେଉଛି। ଗ୍ରୀଷ୍ମରେ ଟମାଟର ମହଙ୍ଗା ହେବା କଥା, ହେଲେ ଏବେ ଦେଶର ଖୁଚୁରା ବଜାରରେ କେଜି ପିଛା ଦର ୨୦ ଟଙ୍କା ପର୍ଯ୍ୟନ୍ତ ଖସି ଆସିଛି। ଟମାଟର ଦର ଏପରି ଅପ୍ରତ୍ୟାସିତ ହ୍ରାସ ହେବା ଯଦିଓ ଖାଉଟିଙ୍କୁ ସୁହାଇଛି ଚାଷୀଙ୍କୁ କିନ୍ତୁ ହତାସ କରିଛି। ଋତୁରେ ଦି ପଇସା ଅମଳ ଆଶା ରଖିଥିବା ଚାଷୀ ଏବେ ହତାସ ହେଉଛନ୍ତି। କାରଣ ଚାଷୀଙ୍କୁ କମ ଦରରେ ଟମାଟୋ ବିକ୍ରି କରିବାକୁ ପଡୁଛି।

ଟମାଟର କାହିଁକି ଶସ୍ତା?
ଗ୍ରୀଷ୍ମ ଋତୁରେ ସ୍ଥାନୀୟ ଟମାଟୋ ଚାଷ କମ ହୋଇଥାଏ ଓ ସପ୍ଲାଇ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଓ ଦକ୍ଷିଣ ଭାରତରୁ ଆସିଥାଏ। ଆନ୍ଧ୍ରପ୍ରଦେଶର ମଦନପଲ୍ଲୀ କ୍ଷେତ୍ର ଟମାଟର ଉତ୍ପାଦନ ପାଇଁ ପ୍ରସିଦ୍ଧ। ଚଳିତବର୍ଷ ମଧ୍ୟ ଏଠାରେ ପ୍ରଚୁର ଟମାଟର ଚାଷ ହୋଇଛି ତେବେ ରପ୍ତାନୀ ହ୍ରାସ ଯୋଗୁ ବଜାରକୁ ସପ୍ଲାଇ ବଢିବାରେ ଲାଗିଛି। ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା କାରଣରୁ ଦୁବାଇ, କତାର ଓ ସାଉଦୀ ଆରବ ଭଳି ପ୍ରମୁଖ ବଜାରମାନଙ୍କୁ ଟମାଟର ରପ୍ତାନୀ ପାଖାପାଖି ବନ୍ଦ ରହିଛି। ଏଣୁ ଏହି ଅତିରିକ୍ତ ଟମାଟର ଏବେ ଦେଶର ଘରୋଇ ବଜାରରେ ଖପେଇବାକୁ ଉଦ୍ୟମ କରାଯାଉଥିବା ବେଳେ ଦର ହ୍ରାସ ହେଉଛି।

ଟମାଟରର ଉପଯୋଗ କମ
ଏଥର ବଜାରରେ ଘରୋଇ ଚାହିଦା ମଧ୍ୟ କମ୍ ରହିଛି। ଏଲପିଜି ସଂକଟ କାରଣରୁ ଦେଶରେ ରେଷ୍ଟୁରାଣ୍ଟ ଓ ଢାବା ସଞ୍ଚାଳନ ପ୍ରଭାବିତ ହୋଇଛି। ଏଣୁ ଟମାଟର ଖର୍ଚ୍ଚ କମିଯାଇଛି। ବ୍ୟବସାୟୀଙ୍କ ଅନୁସାରେ ଏହି ସମୟରେ ପାଇକାରୀ ବଜାରରେ ପ୍ରତି କେଜି ଟମାଟୋ ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଛି। ସେହି ଅନୁସାରେ ପରିବହନ ଖର୍ଚ୍ଚ କୁ ବାଦ ଦେଲେ ଚାଷୀ ଦର ପ୍ରତି କେଜି ୫ରୁ ୭ ଟଙ୍କା ରହୁଛି। ଏଣୁ ଖୁଚୁରା ବଜାରରେ ଟମାଟୋ କେଜି ପିଛା ୨୦ରୁ ୩୦ ଟଙ୍କା ମଧ୍ୟରେ ମିଳିଯାଉଥିବା ବେଳେ ଗ୍ରାହକଙ୍କୁ ଦର ବେଶ୍ ସୁହାଇଛି।

ଗତବର୍ଷ ଗ୍ରୀଷ୍ମରେ ୩୦-୫୦ ଟଙ୍କା ମଧ୍ୟରେ ରହୁଥିଲା ଦର
ସାଧାରଣତଃ ଦେଶରେ ଗ୍ରୀଷ୍ମ ଋତୁରେ ଟମାଟର ଦର ଉଚ୍ଚା ରହିଥାଏ। ବଜାର ଦର ସ୍ୱଭାବିକ ଥିଲେ ୩୦ରୁ ୫୦ ଟଙ୍କା ମଧ୍ୟରେ ଦର ରହେ। ଯୋଗାଣ ଅନୁରୂପ ଦର ବଜାରରେ ଥାଏ। ଯଦି ଯୋଗାଣ ସ୍ୱଭାବିକ ଥାଏ ତେବେ ଦର ଏହି ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ରହେ। ଯଦି ଯୋଗାଣ ପ୍ରଭାବିତ ହୁଏ ତେବେ କେଜି ୫୦ରୁ ୮୦ ଟଙ୍କାକୁ ପହଞ୍ଚିଥାଏ ଓ କେବେ କେବେ ୧୦୦ ଟଙ୍କା ମଧ୍ୟ ହୁଏ। ହେଲେ ଏଥର ପଶ୍ଚିମ ଏସିୟା ଉତ୍ତେଜନା ପରିସ୍ଥିତିକୁ ବିପରୀତ କରିଛି। ରପ୍ତାନୀ ବନ୍ଦ ଥିବା ବେଳେ ଅମଳ ଏବେ ଦେଶ ବାହାରକୁ ଯାଇ ପାରୁନଥିବାରୁ ଦେଶରେ ଫସଲ ଦର କମିବା ଚାଷୀଙ୍କୁ ହତାସ କରିଛି।

ସୌଜନ୍ୟ Prameya News7

Show More
Back to top button