Delhi AQI: ଦୀପାବଳି ପୂର୍ବରୁ ଦିଲ୍ଲୀରେ ଭୀଷଣ ହେଲା ବାୟୁ ପ୍ରଦୂଷଣ: ଏକ୍ୟୁଆଇ ୩୫୦ ପାଖାପାଖି ପହଞ୍ଚିଲା
ଦୀପାବଳି ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀରେ ଭୀଷଣ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି। ସୋମବାର ସକାଳ ୭ଟା ପୂର୍ବରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଷରଧାମ ମନ୍ଦିର ଓ ଆଇଟିଓ ଆଖପାଖ ଅଞ୍ଚଳରେ...

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀରେ ଭୀଷଣ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି। ସୋମବାର ସକାଳ ୭ଟା ପୂର୍ବରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଷରଧାମ ମନ୍ଦିର ଓ ଆଇଟିଓ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୪୯ ରେକର୍ଡ କରାଯାଇଥିଲା। ଏହି ସମୟରେ ଇଣ୍ଡିଆ ଗେଟ୍ ଓ ଜନପଥ ଆଖପାଖ ଅଞ୍ଚଳରେ ଏକ୍ୟୁଆଇ ୩୩୫ ଥିଲା। ଚଳିତ ଋତୁରେ ପ୍ରଥମ ଥର ପାଇଁ ଏକ୍ୟୁଆଇ ୩୦୦ ଅତିକ୍ରମ କରିଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ରବିବାର ଦିଲ୍ଲୀର ଦୈନିକ ହାରାହାରି ଏକ୍ୟୁଆଇ ୨୬୧ ରହିଥିଲା। ଏହାର ଦିନକ ପୂର୍ବରୁ ଏହି ସଂଖ୍ୟା ୧୧୭ ଥିଲା। ଅର୍ଥାତ୍ ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରଦୂଷଣର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି।
ପାଗ ବଦଳିବା ସହ ପ୍ରଦୂଷଣ ବଢ଼ିଛି
ଦିଲ୍ଲୀର ୫୮ଟି ବାୟୁ ମାପ କେନ୍ଦ୍ର ମଧ୍ୟରୁ ୩୬ଟିରେ ବାୟୁର ମାନ ଅତି ଖରାପ ରହିଛି। ଜାହାଙ୍ଗୀରପୁରୀରେ ଏକ୍ୟୁଆଇ ୪୧୭ ରହିବା ସହ ସ୍ଥିତି ଅତି ସାଂଘାତିକ ହୋଇଛି। ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ସାମୟିକ ଆଶ୍ୱସ୍ତି ମିଳିଥିଲା। ଶୁକ୍ରବାର ଏକ୍ୟୁଆଇ ୬୦କୁ ଖସିଥିଲା। କିନ୍ତୁ ବର୍ଷା ପରେ ପାଗ ବଦଳିବା ସହ ପୁଣି ପ୍ରଦୂଷଣ ବଢ଼ିଛି। କମ୍ ପବନ, ଥଣ୍ଡା ଓ କୁହୁଡ଼ି ଯୋଗୁଁ ଧୂଳିଧୂଆଁ ବାୟୁମଣ୍ଡଳରୁ ସହଜରେ ଦୂର ହୋଇପାରୁନାହିଁ। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂତନ କଟକଣା ନଭେମ୍ବର ୧ ତାରିଖରୁ ଲାଗୁ ହୋଇଛି। ତଥାପି, କଟକଣାର ପ୍ରଥମ ଦିନରେ ରବିବାର ବାୟୁ ଗୁଣବତ୍ତା ଖରାପ ବର୍ଗରେ ପହଞ୍ଚିଥିଲା।
ସୌଜନ୍ୟ ସମ୍ବାଦ




