ରାଜ୍ୟ

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ କେନ୍ଦ୍ରର ଉଦ୍‌ବେଗ: ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରଣାଳୟ

ରାଜ୍ୟରେ ବିଗୁଡ଼ୁଥିବା ଆଇନଶୃଙ୍ଖଳା ପରିସ୍ଥିତି, ହାଜତ ହିଂସା, ହତ୍ୟା, ଦୁଷ୍କର୍ମ ଓ ପୁଲିସର କ୍ଷମତା ଅପବ୍ୟବହାର ଭଳି ସଙ୍ଗିନ ଅଭିଯୋଗକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁତ୍ବର ସହ ନେଇଛି।

ଭୁବନେଶ୍ବର (ହିତେଶ ନାୟକ): ରାଜ୍ୟରେ ବିଗୁଡ଼ୁଥିବା ଆଇନଶୃଙ୍ଖଳା ପରିସ୍ଥିତି, ହାଜତ ହିଂସା, ହତ୍ୟା, ଦୁଷ୍କର୍ମ ଓ ପୁଲିସର କ୍ଷମତା ଅପବ୍ୟବହାର ଭଳି ସଙ୍ଗିନ ଅଭିଯୋଗକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁତ୍ବର ସହ ନେଇଛି। ଅଭିଯୋଗ ଆଧାରରେ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କଠାରୁ ଜବାବ ଲୋଡ଼ିଛି। ଏ ସଂକ୍ରାନ୍ତରେ ଗତ ସେପ୍ଟେମ୍ବର ୧୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି। ଏହାକୁ ଆଧାର କରି ଅକ୍ଟୋବର ୧୬ରେ ରାଜ୍ୟ ଗୃହ ବିଭାଗ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅଭିଯୋଗଗୁଡ଼ିକ ଉପରେ ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିବାକୁ କହିଛି। ଗୋଟିଏ ପଟେ ରାଜ୍ୟରେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଅନ୍ୟପଟେ ପୁଲିସ ବିଭାଗରେ କର୍ମଚାରୀ ଅଭାବ ଲାଗିରହିଛି। ଏଭଳି ସ୍ଥିତିରେ କେନ୍ଦ୍ରର ଚିଠି ରାଜ୍ୟର ପୁଲିସ ପ୍ରଶାସନ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି।

ଡିଜିପିଙ୍କୁ ରିପୋର୍ଟ ତଲବ କଲେ ରାଜ୍ୟ ସରକାର

ସୂଚନା ମୁତାବକ, ରାଜ୍ୟରେ ଭିଡ଼ ହିଂସା, ହାଜତରେ ନିର୍ଯାତନା, ମହିଳା ବିରୋଧୀ ହିଂସା, ଜଘନ୍ୟ ହତ୍ୟାକାଣ୍ଡ ଓ ପୁଲିସର କ୍ଷମତା ଅପବ୍ୟବହାର ଭଳି ଘଟଣାକୁ ନେଇ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କ ପକ୍ଷରୁ କେନ୍ଦ୍ର ନିକଟରେ ଅଭିଯୋଗ ପରେ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ବିଶେଷକରି ବାଲିଅନ୍ତାରେ ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ଘଟଣାଠାରୁ ଆରମ୍ଭ କରି ଗଞ୍ଜାମରେ ଜଣେ ଜମି ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ଘଟଣା ପର୍ଯ୍ୟନ୍ତ ବିଭିନ୍ନ ଅପରାଧ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି। ରାଜ୍ୟ ଗୃହ ବିଭାଗର ସ୍ବତନ୍ତ୍ର ଶାଖା ପକ୍ଷରୁ ଅନୁସଚିବ ଚିତ୍ତରଞ୍ଜନ ନାଏକ ଡିଜିପିଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି ଓ ସଂଲଗ୍ନ ଦସ୍ତାବିଜ ପଠାଇଛନ୍ତି। ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଗୃହ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି। ଚିଠିର ନକଲ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ଓଡ଼ିଶାର ନ୍ୟାସନାଲ୍‌ କ୍ରାଇମ୍‌ ଇନ୍‌ଭେଷ୍ଟିଗେସନ୍‌ ବ୍ୟୁରୋର ରାଜ୍ୟ ନିର୍ଦ୍ଦେଶକଙ୍କୁ ମଧ୍ୟ ପଠାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ଆଇନଶୃଙ୍ଖଳା ପରିଚାଳନା କ୍ଷେତ୍ରରେ ଏକ ବଡ଼ ଆହ୍ବାନ ପାଲଟିଛି। ଏହାସହ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ପ୍ରସଙ୍ଗ ମଧ୍ୟ ଅସମାହିତ ରହିଛି। ଏଭଳି ସମୟରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ କେନ୍ଦ୍ରର ଚିଠି ଗୁରୁତ୍ବ ବହନ କରୁଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button