ରାଜ୍ୟ ସଭାରେ ଏମପି ନିରଞ୍ଜନ ବିଶିଙ୍କ ଦାବି, ସମ୍ବଲପୁର-କୋରାପୁଟ-ବାଲେଶ୍ୱରରେ ଏମ୍ସ….

ବଲାଙ୍ଗୀର,୧୩।୩(ସୁନିଲ୍ କୁମାର ମହାନ୍ତି): ରାଜ୍ୟ ସଭା ଏମପି ନିରଞ୍ଜନ ବିଶି ରାଜ୍ୟ ସଭାରେ ଓଡ଼ିଶାର ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ ) ପ୍ରତିଷ୍ଠା ପାଇଁ ଦୃଢ଼ ଦାବି କରିଛନ୍ତି ।
ସେ ଦାବି କରି କହିଛନ୍ତି ଯେ, ଓଡ଼ିଶାର ଭୌଗୋଳିକ ଅଞ୍ଚଳ ଓ ଜନସଂଖ୍ୟା ଆଧାର ଅନୁସାରେ ସମସ୍ତ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଆବଶ୍ୟକ। ବର୍ତ୍ତମାନ ଓଡିଶା ରାଜ୍ୟର ଭୁବନେଶ୍ୱରରେ ଏକ ଏମ୍ସ ହସ୍ପିଟାଲ ରହିଛି, ଯାହା ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ମାନକୁ ଉନ୍ନତ କରିଛି। କିନ୍ତୁ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଆଦିବାସୀ ବହୁଳ ଅଞ୍ଚଳ କୋରାପୁଟ ଓ ଉତ୍ତର ଉପକୂଳ ଅଞ୍ଚଳ ବାଲେଶ୍ୱରରେ ଏପର୍ଯ୍ୟନ୍ତ ଏଭଳିଆ ଉନ୍ନତ ଧରଣର ଚିକିତ୍ସା ସଂସ୍ଥା ନାହିଁ।

ଏହି ଏମ୍ସ ହସ୍ପିଟାଲ ଗୁଡ଼ିକ ସାଟେଲାଇଟ ସେଣ୍ଟର ନୁହେଁ, ବରଂ ଏମ୍ସ ଭୁବନେଶ୍ୱର ପରି ସମସ୍ତ ସୁବିଧା, ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ଉପକରଣ ହସ୍ପିଟାଲ ଭାବେ ସ୍ଥାପିତ ହେବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ବଲପୁର, କୋରାପୁଟ, ବାଲେଶ୍ୱରରେ ଏମ୍ସ ପ୍ରତିଷ୍ଠା ହେଲେ ଲୋକମାନେ ଉତ୍ତମ ମାନର ଚିକିତ୍ସା ସେବା ପାଇବେ ଓ ଏହି ଅଞ୍ଚଳରେ ଚିକିତ୍ସା,ଶିକ୍ଷା ଓ ଗବେଷଣାକୁ ମଧ୍ୟ ବିକଶିତ କରିପାରିବ। ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳିତ ଅଞ୍ଚଳ ରେ ଏମ୍ସ ସଂସ୍ଥାଗୁଡ଼ିକ ଶୀଘ୍ର ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ନିରଞ୍ଜନ ବିଶି ।

ସୌଜନ୍ୟ ଧରିତ୍ରୀ

Exit mobile version