ରାଜ୍ୟ

ସଂଶୋଧିତ ଇଂଲିଶ ବନାନ ତ୍ୱରିତ କାର୍ଯ୍ୟକାରୀ ଲାଗି ନିର୍ଦ୍ଦେଶ, ସବୁ ଜିଲାପାଳଙ୍କୁ ରାଜସ୍ବ ସଚିବଙ୍କ ଚିଠି

ଭୁବନେଶ୍ୱର,୨୧।୭(ସୁନିତ୍‌ ମିଶ୍ର): ରାଜ୍ୟର ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ଗୁଡ଼ିକ ନାମର ସଂଶୋଧିତ ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସବୁ ଜିଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି।

ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ୨୨ ଜୁନ୍‌ରେ ଓଡ଼ିଆ ଉଚ୍ଚାରଣ ସହ ସାମଞ୍ଜସ୍ୟ ରଖି ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ଇଂଲିଶ ବନାନ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ସଂଶୋଧନ କେବଳ ଇଂଲିଶ ବନାନ୍‌ ସମ୍ବନ୍ଧୀୟ ଏବଂ ପ୍ରଶାସନିକ ଏକକଗୁଡ଼ିକର ନାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ଉଲ୍ଲେଖିତ ସଂଶୋଧିତ ଇଂଲିଶ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଚାର, ଅଧିସୂଚନା, ଅଭିଲେଖ, ଓ୍ବେବ୍‌ସାଇଟ୍‌, ପୋର୍ଟାଲ, ବିଜ୍ଞାପନ ତଥା ନାମଫଳକ ଓ ଅନ୍ୟାନ୍ୟ ସରକାରୀ ବ୍ୟବହାରରେ ଅନିବାର୍ଯ୍ୟ ଭାବେ ପ୍ରୟୋଗ କରାଯିବ। ଏହାସହ ଜିଲାସ୍ତରର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍ଥାନୀୟ ସଂସ୍ଥା ଓ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକୁ ଏହି ସଂଶୋଧିତ ବନାନର ସମ୍ପୂର୍ଣ୍ଣ ବ୍ୟବହାର ସୁନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି। ଏହାସହ ଏ ସମ୍ପର୍କରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବଳିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଉପରୋକ୍ତ ଚିଠି ପାଇବାର ୧୫ ଦିନ ମଧ୍ୟରେ ବିଭାଗକୁ ପ୍ରେରଣ କରିବାକୁ କୁହାଯାଇଛି।

ସେହିପରି ସମ୍ପୃକ୍ତ ପ୍ରଶାସନିକ ଏକକଗୁଡ଼ିକରେ ବ୍ୟବସାୟିକ ଓ ବେସରକାରୀ ସଂସ୍ଥାଗୁଡ଼ିକୁ ସଂଶୋଧିତ ଇଂଲିଶ ବନାନ୍‌ ଅନୁଯାୟୀ ନିଜର ନାମଫଳକ ପରିବର୍ତ୍ତନ କରିବାକୁ ୬ ମାସର ସମୟ ଦିଆଯାଇଛି। ସଂଶୋଧିତ ଇଂଲିଶ ବନାନର ସମ୍ପୂର୍ଣ୍ଣ ବ୍ୟବହାର ଦ୍ୱାରା ରାଜ୍ୟର ଭାଷାଗତ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ସହିତ ସମସ୍ତ ସରକାରୀ ଅଭିଲେଖ ଓ ପ୍ରଶାସନିକ କାର୍ଯ୍ୟରେ ସମାନତା ଓ ସଠିକତା ବଜାୟ ରହିବ।

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button