ସାପ କାମୁଡ଼ିଲା ବୋଲି ମୃତଦେହକୁ ଛୁଇଁଲେନି ପରିବାର, ମାନବିକତା ଦେଖାଇ ଶବ ବୋହିଲେ ଥାନା ଅଧିକାରୀ

କରଞ୍ଜି, ୨୪/୦୯: ମଣିଷପଣିଆ ଆଜି ବି ବଞ୍ଚିଛି। ଏହାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ଯଶିପୁରରେ। ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ପରିବାର ଲୋକେ ମୃତଦେହକୁ ଛୁଇଁବାକୁ ମନା କରିଦେଇଥିଲେ। ଏଭଳି ଦୁଃଖଦ ସମୟରେ ଆଗକୁ ଆସି ମାନବିକତାର ପରିଚୟ ଦେଇଛନ୍ତି ଯଶିପୁର ଥାନା ଅଧିକାରୀ ରାଜେଶ କୁମାର ସେଠୀ।
ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଭଣ୍ଡାରିପୋଷି ଗାଁର ଦୁଃଖିନି ଦେହୁରୀ ଗତକାଲି ନିକଟସ୍ଥ ଜଙ୍ଗଲକୁ ଡାଳ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ଖବର ପାଇ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ କୌଣସି କାରଣରୁ ପରିବାର ଲୋକେ ମୃତଦେହକୁ ଛୁଇଁବାକୁ ମନା କରିଦେଇଥିଲେ।
ଏହି ସମୟରେ ଥାନା ଅଧିକାରୀ ରାଜେଶ କୁମାର ସେଠୀ ନିଜେ ଆଗକୁ ଆସିଥିଲେ। ଥାନାର ଅନ୍ୟ କର୍ମଚାରୀଙ୍କ ସହ ମିଶି ସେ ନିଜେ ବୃଦ୍ଧାଙ୍କ ମୃତଦେହକୁ ଘଟଣାସ୍ଥଳରୁ ବୋହି ଆଣିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା।ଦୁଃଖ ଓ ଅସହାୟତାର ଏହି ମୁହୂର୍ତ୍ତରେ ଥାନା ଅଧିକାରୀଙ୍କ ଏଭଳି ପଦକ୍ଷେପ ସ୍ଥାନୀୟ ଲୋକଙ୍କ ମନ ଜିତିଛି। ପୋଲିସର ଏହି ମାନବିକତା ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ପ୍ରଶଂସା କରାଯାଉଛି।
ସୌଜନ୍ୟ ପ୍ରମେୟ




