ସିଏଜି ରିପୋର୍ଟ: ୧୧.୪% ବଢ଼ିଛି ଓଡ଼ିଶା ଅର୍ଥନୀତି, ରାଜସ୍ବ ସଂଗ୍ରହ ଢାଞ୍ଚା ଦୁର୍ବଳ

ଓଡ଼ିଶା ଅର୍ଥନୀତି ୨୦୨୩-୨୪ ଆର୍ଥିକବର୍ଷ ତୁଳନାରେ ୨୦୨୪-୨୫ରେ ୧୧.୪୦ ପ୍ରତିଶତ ହାରରେ ବଢ଼ିଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ୮.୯୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୫.୪୦ ଲକ୍ଷ କୋଟି ଟଙ୍କାରେ ରହିଥିଲା।

ଭୁବନେଶ୍ବର: ଓଡ଼ିଶା ଅର୍ଥନୀତି ୨୦୨୩-୨୪ ଆର୍ଥିକବର୍ଷ ତୁଳନାରେ ୨୦୨୪-୨୫ରେ ୧୧.୪୦ ପ୍ରତିଶତ ହାରରେ ବଢ଼ିଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ୮.୯୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୫.୪୦ ଲକ୍ଷ କୋଟି ଟଙ୍କାରେ ରହିଥିଲା। ତେଣୁ ବାର୍ଷିକ ବିକାଶ ହାର ଏହି ସମୟ ମଧ୍ୟରେ ୧୩.୩୦ ପ୍ରତିଶତ ରହିଛି ବୋଲି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ପକ୍ଷରୁ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଉପସ୍ଥାପିତ ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରୁଥିଲେ ମଧ୍ୟ ରାଜସ୍ବ ସଂଗ୍ରହ ଢାଞ୍ଚା ଦୁର୍ବଳ ରହିଛି। ଏଥିସହିତ ବ୍ୟୟ ପରିଚାଳନା ଓ ଆର୍ଥିକ ରିପୋର୍ଟିଂ ଯାହା ରହିଛି ସେଥିରେ ରାଜ୍ୟର ଦୀର୍ଘମିଆଦୀ ବିତ୍ତୀୟ ସ୍ଥିତି ଖରାପ ହେବ ବୋଲି ସତର୍କ କରାଇ ଦେଇଛନ୍ତି ସିଏଜି।

ଆଲୋଚ୍ୟ ବର୍ଷରେ ଓଡ଼ିଶାର ରାଜସ୍ବ ବଳକା ୨୨,୬୫୧ କୋଟି ଟଙ୍କା ରହିଛି, ଯାହାକି ଜିଏସ୍‌ଡିପିର ୨.୫୪ ପ୍ରତିଶତ। ସେହିଭଳି ବିତ୍ତୀୟ ନିଅଣ୍ଟ ୨୫,୦୪୨ କୋଟି ଟଙ୍କାରେ ରହିଛି, ଯାହା ଜିଏସ୍‌ଡିପିର ୨.୮୧ ପ୍ରତିଶତ। ନିୟମ ଅନୁଯାୟୀ ବିତ୍ତୀୟ ନିଅଣ୍ଟ ଜିଏସ୍‌ଡିପିର ୩ ପ୍ରତିଶତ ମଧ୍ୟରେ ରହିଛି। ସେହିଭଳି ରାଜ୍ୟର ମୋଟ ଋଣ ବୋଝ ଜିଏସ୍‌ଡିପିର ୧୫.୪୮ ପ୍ରତିଶତରେ ରହିଛି। କିନ୍ତୁ ରାଜ୍ୟର ଅର୍ଥନୈତିକ ବିକାଶ ତୁଳନାରେ ରାଜସ୍ବ ବୃଦ୍ଧି ତାଳ ଦେଇ ବଢ଼ୁନାହିଁ। ରାଜସ୍ବ ଆୟ ୨୦୨୪-୨୫ରେ ମାତ୍ର ୨.୪୩ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ କୋଟିରେ ରହିଛି। ରାଜସ୍ବ ବଳକା ୦.୨୧ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ନିଜସ୍ବ ଟିକସ ଆୟ ୦.୦୨ ପ୍ରତିଶତକୁ କମିଛି। ବ୍ୟୟ ଦୃଷ୍ଟିରୁ ଦେଖିଲେ ରାଜ୍ୟର ରାଜସ୍ବ ବ୍ୟୟ ରାଜସ୍ବ ଆୟର ୮୭.୬୯ ପ୍ରତିଶତ ରହିଛି। ଏଥିଯୋଗୁ ବିକାଶ ପାଇଁ ଆର୍ଥିକ ସ୍ବଚ୍ଛଳତା ସଙ୍କୁଚିତ ହେଉଛି। ସବ୍‌ସିଡି ବ୍ୟୟ ୯୧୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସମୃଦ୍ଧ କୃଷକ ଯୋଜନା ଏହାର ଏକ ବଡ଼ କାରଣ ବୋଲି କୁହାଯାଇଛି।

 

 

ସୌଜନ୍ୟ ସମ୍ବାଦ

Exit mobile version