ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ ଗାଁର ବବି ନାଏକ(୩୫) କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଗାଁର ଯୁବତୀ ଯୁବକଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି। ଦିନେ ରୋଜଗାର ଅନ୍ବେଷଣରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନେ ଏବେ ଗାଁରେ ରହି ଏହି ବଗିଚାରେ କାମ କରି ପରିବାର ଚଳାଉଛନ୍ତି। ଏହା କେବଳ ଗୋଟିଏ ଚାଷ ନୁହେଁ, ବରଂ ଗାଁର ଅର୍ଥନୀତିକୁ ବଦଳାଇବାର ଏକ ନୂଆ ପ୍ରୟାସ। ସବୁଠାରୁ ବଡ କଥା ହେଉଛି ଦିନେ ଯେଉଁ ନୂଆପଡା ବଜାର ଛତିଶଗଡରୁ ଆସୁଥିବା କଦଳୀ ଉପରେ ନିର୍ଭର କରୁଥିଲା। ଆଜି ସେହି ନୂଆପଡା ମାଟିରୁ ଛତିଶଗଡକୁ ଯାଉଛି ଟ୍ରକ ଟ୍ରକ କଦଳୀ। ଅର୍ଥାତ ଆମଦାନୀକାରୀ ମାଟି ଏବେ ପାଲଟିଛି ରପ୍ତାନିକାରୀ। ପରିଶ୍ରମ, ପ୍ରୋତ୍ସାହନ ଓ ନୂଆ ପଦ୍ଧତି କିପରି ଜଣେ ଚାଷୀଙ୍କ ଭାଗ୍ୟ ବଦଳାଇ ଦେଉଛି। ବଗିଚା ଭିତରେ ଝୁଲୁଛି ସୁନା ରଙ୍ଗର ସ୍ବପ୍ନ। କେଉଁଠି ଫଳର ଭାରରେ ଗଛ ନଇଁ ପଡୁଛି ତ ଆଉ କେଉଁଠି ଫଳର ଆକାର ଦେଖି ଆଖି ଅଟକି ଯାଉଛି। ଗୋଟିଏ ଗଛରେ ପ୍ରାୟ ୨୦ ରୁ ୩୦ କିଲୋଗ୍ରାମ ପର୍ଯ୍ୟନ୍ତ କଦଳୀ ଅମଳ ହେଉଥିବା ଚାଷୀ କହିଛନ୍ତି। ଏହି ଅର୍ଥକାରୀ ଚାଷ ଏବେ ବିଶିବାହାଲ ଗାଁର ମହିଳା ଚାଷୀ ବବିଙ୍କ ଜୀବନରେ ଆଣିଛି ନୂଆ ଆଶା ଓ ସମୃଦ୍ଧି। ପୂର୍ବରୁ ପାରମ୍ପାରିକ ଚାଷ କରି ବହୁତ କ୍ଷତିର ସାମ୍ନା କରିବାକୁ ପଡୁଥିଲା। ବର୍ତ୍ତମାନ କଦଳୀ ଚାଷକୁ ଆପଣେଇ ଚାଷୀଙ୍କ ମୁହଁରେ ହସ ଫୁଟାଇଛି। ୨ଏକରରୁ ଅଧିକ ଜମିରେ କଦଳୀ ଚାଷ କରି ପୂର୍ବରୁ ବାର୍ଷିକ ୩ ଲକ୍ଷ ଟଙ୍କା ଆୟ କରିଥିବାବେଳେ ଚଳିତ ଅମଳରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲାଭ ହେବାର ଆଶା ରଖିଛନ୍ତି। ଚାଷୀଙ୍କ ଏହି ସଫଳତା ପଛରେ ରହିଛି ବିଭାଗୀୟ ସହଯୋଗ ଓ ଚାଷୀଙ୍କ ନିଷ୍ଠା। ଜିଲା ପ୍ରଶାସନ ମଧ୍ୟ ଏହି ଅର୍ଥକାରୀ ଫସଲକୁ ଅଧିକ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛି। ଉଦ୍ୟାନ ବିଭାଗ ପକ୍ଷରୁ ମିଳିଥିବା ଚାରା ଏବଂ ଓର୍ମାସର ସହଯୋଗ ତାଙ୍କ ଚାଷକୁ ଦେଉଛି ନୂଆ ଦିଗ। ସମୟୋପଯୋଗୀ ଯନତ୍, କୀଟନାଶକ ପ୍ରୟୋଗ ଓ ଅକ୍ଳାନ୍ତ ପରିଶ୍ରମର ଫଳ ଏବେ ବଗିଚାରେ ହସୁଛି। କଦଳୀର ଆକାର ଓ ହୃଷ୍ଟପୃଷ୍ଟ ଦେଖି ଅମଳ ଆରମ୍ଭ ହେବା ପରେ ବେପାରିମାନେ ନିଜେ ଚାଷୀଙ୍କ ଘରଦ୍ୱାରକୁ ଆସି କଦଳୀ କିଣି ନେଉଛନ୍ତି। ଏପରିକି ପଡୋଶୀ ରାଜ୍ୟ ଛତିଶଗଡର ବେପାରି ମଧ୍ୟ କଦଳୀ ନେବାରେ ଲମ୍ବା ଲାଇନ ଲଗାଇଛନ୍ତି। କଦଳୀର ଆକାର ବଡ ରହିଥିବାରୁ ଛତିଶଗଡ ବଜାରରେ ଚାହିଦା ଅଧିକ ରହିଛି ଓ ପ୍ରତିଦିନ ଛତିଶଗଡକୁ ମିନି ଟ୍ରକରେ ଯାଉଛି। ଏସଂକ୍ରାନ୍ତରେ ନୂଆପଡା ଜିଲାପାଳ ମଧୁସୁଦନ ଦାଶଙ୍କୁ ପଚାରିବାରୁ ମାଟିକୁ ମା’ଭଳି ଭରସା କରି,ପରିଶ୍ରମକୁ ପୁଞ୍ଜି କରି ଆଜି ଲକ୍ଷପତି ହୋଇଛନ୍ତି ମହିଳା ଚାଷୀ। କଦଳୀ ଚାଷର ଏହି ସଫଳ କାହାଣୀ କେବଳ ଜଣେ ଚାଷୀଙ୍କ ଭାଗ୍ୟକୁ ବଦଳାଇନି,ଅନ୍ୟ ଚାଷୀ ଓ ମହିଳାମାନଙ୍କ ପାଇଁ ମଧ୍ୟ ଦେଖାଇଛି ସମ୍ମାନର ନୂଆ ପଥ। ଏହା ଜିଲାର ଅନ୍ୟ ମହିଳା ଚାଷୀମାନଙ୍କ ପାଇଁ ପ୍ରେରଣା ହେବ। ମହିଳାମାନେ ଆଗକୁ ଆସନ୍ତୁ ଓ ରୋଜଗାର କିମ୍ବା ବିଭିନ୍ନ ଚାଷ କରି ସ୍ବାବଲମ୍ବୀ ହୁଅନ୍ତୁ ବୋଲି ଜିଲା ପ୍ରଶାସନ ପକ୍ଷରୁ ପ୍ରୋତ୍ସାହିତ କରୁଛୁ ବୋଲି କହିଥିଲେ।
ସୌଜନ୍ୟ ଧରିତ୍ରୀ




