ରାଜ୍ୟ

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜିଲା ପାଇଁ ରେଡ୍‌ ଓ୍ବାର୍ନିଂ ଜାରି କରାଯିବା ପରେ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇଉଠିଛି। ଏହାକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ସୋମବାର (ଆଜି ଗୋଟିଏ ଦିନ) ପାଇଁ ବନ୍ଦ ରଖାଯାଇଛି। ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଆଦେଶକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ସରୋଜ ଭୁଏ ସୂଚନା ଦେଇଛନ୍ତି।

ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବରଗଡ଼ ଜିଲାପାଳ ଏହି ଛୁଟି ଘୋଷଣା କରିଛନ୍ତି। ଜିଲାର ସମସ୍ତ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ସହିତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିବ।

ଜିଲାର ତଳିଆ ଅଞ୍ଚଳଗୁଡ଼ିକରେ କୃତ୍ରିମ ବନ୍ୟା ଏବଂ ଜଳବନ୍ଦୀ ସମସ୍ୟା ଉପୁଜିବାର ଭୟ ରହିଛି। ସେହିପରି ଗ୍ରାମାଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ଥିବା ରାସ୍ତାଘାଟ ଓ ପୋଲ ଉପରେ ବର୍ଷାପାଣି ପ୍ରବାହିତ ହେବାର ସମ୍ଭାବନା ଥିବାରୁ ପିଲାମାନଙ୍କର ସ୍କୁଲ ଆସିବା ବିପଜ୍ଜନକ ହୋଇପାରେ। ଏହି ସବୁ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ପ୍ରଶାସନ ତୁରନ୍ତ ଏହି ପଦକ୍ଷେପ ନେଇଛି।

ବର୍ଷା ପରିସ୍ଥିତି ଉପରେ କ୍ରମାଗତ ନଜର ରଖିବା ପାଇଁ ସମସ୍ତ ବ୍ଲକ ଅଧିକାରୀ ଓ ତହସିଲଦାରମାନଙ୍କୁ ଆଲର୍ଟ ରହିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଜରୁରୀକାଳିନ ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସାଧାରଣ ଜନତାଙ୍କୁ ବିନା ଆବଶ୍ୟକତାରେ ଘରୁ ନ ବାହାରିବାକୁ ଏବଂ ନଦୀ, ନାଳ କିମ୍ବା ବିପଜ୍ଜନକ ପୋଲ ନିକଟକୁ ନ ଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button