ହୁତି କବ୍ଜାରେ ଲୋହିତ ସାଗରର ଆଉ ୨ ଦ୍ବୀପ
ସନା : ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଉପସାଗରୀୟ ଦେଶରେ ପୁଣି ଭୟଙ୍କର ସଂଘର୍ଷ ଆରମ୍ଭ ହୋଇଯାଇଛି। ଏହା ୟେମେନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଗୋଟିଏ ପରେ ଗୋଟିଏ ଅଞ୍ଚଳ ଓ ଦ୍ବୀପ ଉପରୁ ସରକାର ନିୟନ୍ତ୍ରଣ ହରାଇବାରେ ଲାଗିଥିବାବେଳେ ହୁତି ବିଦ୍ରୋହୀଙ୍କ ସୀମା ବଢ଼ିବାରେ ଲାଗିଛି। ଲୋହିତ ସାଗର (ଦକ୍ଷିଣ)ର ଆଉ ଦୁଇ ଗୁରୁତ୍ବପୂର୍ଣ୍ଣ ଦ୍ବୀପ ‘ଗ୍ରେଟର ହନିଶ’ ଓ ‘ଲେସର ହନିଶ’କୁ କବଜା କରିନେଇଛି। ଏଠାରେ ନିଜ ସଦସ୍ୟଙ୍କୁ ମୁତୟନ କରାଯାଇଛି। ଏହି ଦୁଇ ଦ୍ବୀପ ବାବ ଅଲ-ମନ୍ଦାବରୁ ପ୍ରଣାଳୀରୁ ପ୍ରାୟ ୧୬୦ କିମି ଉତ୍ତରରେ ରହିଛି। ଗତ ସପ୍ତାହରେ ଲୋହିତ ସାଗର କୂଳରେ ଥିବା ବନ୍ଦର ସହର ମୋଖ ଓ ବାବ ଅଲ ମନ୍ଦାବରେ ଥିବା ମାୟୁନ ଦ୍ବୀପକୁ ହୁତି ବିଦ୍ରୋହୀ କବଜା କରି ନେଇଥିଲେ। ପୂର୍ବରୁ ଏହା ସାଉଦି ଆରବ ସମର୍ଥନ ପାଇଥିବା ୟେମେନ ସେନା ନିୟନ୍ତ୍ରଣରେ ଥିଲା। ଏହି ଦ୍ବୀପକୁ କବଜା କରିବା ଦ୍ବାରା ଏହି ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ମାର୍ଗ ହୁତି ବିଦ୍ରୋହୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି। ବାବ ଅଲ-ମନ୍ଦାବ ପ୍ରଣାଳୀ ଦେଇ ଏସିଆରୁ ୟୁରୋପ ଜାହାଜଗୁଡ଼ିକୁ କମ ସମୟ ଲାଗିଥାଏ। ଏହି ପ୍ରଣାଳୀ ପାର୍ ହେବା ପରେ ଜାହାଜଗୁଡ଼ିକ ସ୍ବେଜ କେନାଲ ଦେଇ ଭୂମଧ୍ୟସାଗରରେ ପହଞ୍ଚି ଥାଏ।
ଅନ୍ୟପକ୍ଷରେ ୟେମେନ ଓ ସାଉଦି ଆରବ ସେନା ହୁତି ବିଦ୍ରୋହୀଙ୍କ ଠିକଣା ଉପରେ ରବିବାର ରାତିରେ ଆକାଶ ମାର୍ଗରୁ ଆକ୍ରମଣ କରିଛନ୍ତି। ଏହାର ଜବାବରେ ହୁତି ବିଦ୍ରୋହୀ ଆଜି ସାଉଦି ଆରବ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ କରିଛି। ଆକ୍ରମଣ ଆଶଙ୍କା ମଧ୍ୟରେ ସାଉଦିର ଦୁଇ ସହର ଅବହା ଓ ଖମିସ ମୁସୈତରେ ଯୁଦ୍ଧର ସାଇରନ ବାଜିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ସାଉଦି ସୀମା ନିକଟରେ କୌଣସି ଏକ କ୍ଷେପଣାସ୍ତ୍ର ମାଡ଼ ହେବାରୁ ଦୁଇ ଜଣ ଆହତ ହୋଇଛନ୍ତି। ଗୋଟିଏ ମସଜିଦ ଓ ଅନ୍ୟ କୋଠାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛିି। ଏହାକୁ ଦେଖି ଇରାନ ସହ ଆଜି ହେବାକୁ ଥିବା ବୈଠକକୁ ଉପସାଗରୀୟ ଦେଶଗୁଡ଼ିକ ରଦ୍ଦ କରିଦେଇଛନ୍ତି। ଇରାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଇସମାଇଲ ବାଘେଇ ଏହି ସୂଚନା ଦେଇଛନ୍ତି। ସାଉଦିର ନିବେଦନରେ ଏପରି କରାଯାଇଥିବା ସେ କହିଛନ୍ତି।
ଏହି ସଂଘର୍ଷ ୟୁରୋପ ଓ ଏସିଆ ଉପରେ ଗଭୀର ପ୍ରଭାବ ପକାଇପାରେ। ବାବ ଅଲ-ମନ୍ଦାବରେ ଜାହାଜ ଚଳାଚଳ ବନ୍ଦ ହୋଇଗଲେ ଅଶୋଧିତ ତୈଳ ଦର ଆହୁରି ଅଧିକ ବୃଦ୍ଧି ପାଇବ। ମାଲ ପରିବହନରେ ଅଧିକ ବ୍ୟୟ ସହିତ ସମୟ ମଧ୍ୟ ଲାଗିବ। ଏସିଆ ଓ ୟୁରୋପ ମଧ୍ୟରେ ପରିଚାଳିତ ଜାହାଜଗୁଡ଼ିକୁ ଆଫ୍ରିକା ଚାରିପାଖେ ବୁଲି ଯିବାକୁ ପଡ଼ିବ। ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ମାର୍ଗ ବନ୍ଦ ରହିଲେ ଖାଇବା ତେଲ, ପେଟ୍ରୋଲ-ଡିଜେଲ ଓ ଅନ୍ୟ ଆମଦାନୀ ହେଉଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବ। ଆମଦାନୀ ଖର୍ଚ୍ଚ ବଢ଼ିବା ଯୋଗୁଁ ଦରଦାମ ବୃଦ୍ଧି ପାଇବ।
ସୌଜନ୍ୟ ସମାଜ




