୧୦ ଘଣ୍ଟାର ଅପରେସନ ପରେ ନାବାଳକ ଉଦ୍ଧାର, ସକାଳୁ ପଥର ସନ୍ଧିରେ ଫସି ରହିଥିଲେ

ନୟାଗଡ଼: ପଥର ସନ୍ଧିରେ ଫସିଥିବା ନାବାଳକ ଉଦ୍ଧାର। ସକାଳ ୭ଟାରୁ ପାହାଡ଼ ପଥର ସନ୍ଧିରେ ଫସି ରହିଥିଲେ। ପ୍ରାୟ ୧୦ ଘଣ୍ଟାର ଅପରେସନ ପରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ମହୁଫେଣା ଭାଙ୍ଗିବାକୁ ଯାଇ ଫସି ଯାଇଥିଲେ ନାବାଳକ ଶିବ। ବାଉଁଶଗାଡ଼ିଆ କାନିପଦା ନିକଟ ପାହାଡ଼ରେ ଏହି ଘଟଣା ଘଟିଛି। ଉଦ୍ଧାର ପରେ ନାବାଳକକୁ ହସ୍ପିଟାଲ୍ ପଠାଯାଇଛି

ଆଜି ଓଡ଼ଗାଁ ବାଉଁଶଗାଡ଼ିଆର ଜଣେ ନାବାଳକ ଶିବ ପ୍ରଧାନ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଜଙ୍ଗଲ ଯାଇଥିଲେ। ହେଲେ  ଅସାବଧାନତା ବଶତଃ ସେ ଏକ ପଥର ସନ୍ଧି ଭିତରେ ଫସିଯାଇଥିଲେ । ପ୍ରାୟ ସକାଳ ୭ଟା ସମୟରେ ଏହି ଘଟଣା ଘଟିଥିଲା. ଏହା ପରେ ପ୍ରାୟ ସକାଳ ୧୦ଟା ସମୟରେ ଏ ନେଇ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବହୁତ ବଡ଼ ପଥର ଖଣ୍ଡ ହୋଇଥିବାରୁ ଏବଂ ଅଜଗର ସାପ ଥିବାରୁ ନାବାଳକକୁ ସୁରକ୍ଷିତ ବାହାର କରିବା ଉଦ୍ଧାରକାରୀ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ନୟାଗଡ଼ ଏବଂ ଓଡ଼ଗାଁର ଚାରୋଟି ଟିମ୍ ଉଦ୍ଧାର ଆରମ୍ଭ କରିଥିଲେ ।

ଶେଷରେ ଭୁବନେଶ୍ୱରରୁ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଷ୍ଟ୍ରାଇକିଂ ଫୋର୍ସ ଭୁବନେଶ୍ୱରରୁ ଯାଇଥିଲେ । ଶିବଙ୍କୁ ମଝିରେ ମଝିରେ ପାଣି ପିଇବାକୁ ମଧ୍ୟ ଦିଆଯାଉଥିଲା । ଲିଫ୍ଟିଂ ମେସିନ ସାହାଯ୍ୟରେ ପଥର ଖଣ୍ଡ ଉଠାଇ ରଖାଯିବା ପରେ ଶେଷରେ ସନ୍ଧ୍ୟା ୪ଟା ପରେ ନାବାଳକକୁ ଉଦ୍ଧାର କରାଯାଇଛି । ନାବାଳକୁ ଉଦ୍ଧାର କରାଯିବା ପରେ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ପରେ ତାକୁ ପରିବାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ।

ତେବେ ଏ ନେଇ ପ୍ରତିକ୍ରିୟା ରଖି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ  କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ବହୁତ ଚ୍ୟାଲେଞ୍ଜିଂ ଥିଲା । ଅନେକ ପ୍ରତିକୂଳ ସ୍ଥିତି ସତ୍ତ୍ୱେ ନାବାଳକକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଯେଉଁମାନେ ଏଥିରେ ସାମିଲ ଥିଲେ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ପରସ୍କୃତ କରାଯିବ।

 

 

 

 

ସୌଜନ୍ୟ Prameya News7