ରାଜ୍ୟ

Witchcraft Case: ଗୁଣିଗାରେଡ଼ି ବିଦ୍ୟାରେ ସିଦ୍ଧି ପାଇଁ ସାଙ୍ଗକୁ ବଳି: ପୂଜାଘରେ ପୋତିଥିଲା ମୁଣ୍ଡ, ପୋଖରୀରେ ଫିଙ୍ଗିଥିଲା ଗଣ୍ଡି…

ଦେଓଗାଁ/ଗୁଡ଼ଭେଲା, ୨୧/୦୮: ଘରେ ଗୁଣିଗାରେଡ଼ି ବିଦ୍ୟା କରୁଥିଲା । ମାନସିକ ପୂରଣ ପାଇଁ ସାଙ୍ଗକୁ ଘରକୁ ଡାକି ବଳି ଦେଇଦେଲା । ମୁଣ୍ଡକୁ ପୂଜାପାଠ କରୁଥିବା ଘର ଭିତରେ ପୋତିଦେଇ ଗଣ୍ଡିକୁ ପୋଖରୀରେ ଫିଙ୍ଗି ଦେଇଥିଲା । ୫ଦିନ ପରେ ମୁଣ୍ଡବିହୀନ ଗଳିତ ଶବ ପାଣିରେ ଭାସିବା ପରେ ଘଟଣା ସାମ୍ନାକୁ ଆସିଛି । ଏଭଳି ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ । ମୃତକ ତୁଷୁରା ଥାନା ଟେବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ଖର୍ସେଲ (୪୫) । ହତ୍ୟା ଅଭିଯୁକ୍ତ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁକୁ ପୁଲିସ୍ ଅଟକ ରଖିଛି ।

ଦେଓଗାଁ ଥାନା ବଗଡ଼ା ହାଇସ୍କୁଲ ନିକଟ ପୋଖରୀରେ ଗୁରୁବାର ଏକ ଗଳିତ ମୃତଦେହ ଭାସୁଥିବା ପିଲାମାନେ ଦେଖିଥିଲେ । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ଦେଓଗାଁ ପୁଲିସ୍ । ମୃତଦେହର ମୁଣ୍ଡ ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ପ୍ରଥମରୁ ସନ୍ଦେହ କରିଥିଲା । ଅନ୍ୟପଟେ ଟେବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ୫ ଦିନ ହେଲା ନିଖୋଜ ଥିବାରୁ ପୁଲିସ୍ ତାଙ୍କ ଘରକୁ ଖବର ପଠାଇଥିଲା । ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ପଚରାଉଚରା ବେଳେ ସନ୍ତୋଷ କିଛିଦିନ ହେଲା ଶତ୍ରୁଘ୍ନ ସହ ବୁଲାବୁଲି କରୁଥିବା ଜଣାପଡ଼ିଥିଲା । ଏସ୍‌ଡି ପିଓ ସରୋଜ ଉପାଧ୍ୟାୟ ଶତ୍ରୁଘ୍ନକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା ।

ସନ୍ତୋଷଙ୍କୁ ହତ୍ୟା କରିଥିବା ଶତ୍ରୁଘ୍ନ ମାନି ନେଇଥିଲା । ହେଲେ ପୁଲିସ୍‌କୁ ଭୁଆଁ ବୁଲାଇବାକୁ ମୃତଦେହ ଓ କଟାମୁଣ୍ଡ ପୋଖରୀରେ ଫିଙ୍ଗି ଦେଇଥିବା କହିଥିଲା । ଅଗ୍ନିଶମ କର୍ମଚାରୀ ଗଭୀର ପାଣିରେ ଦୀର୍ଘ ସମୟ ଖୋଜାଖୋଜି କରିଥିଲେ ହେଁ ମୁଣ୍ଡ ପାଇ ନ ଥିଲେ । ଘନଘନ ଜେରାରୁ ଅଭିଯୁକ୍ତ ସତ ଓଗାଳିଥିଲା । ସେ ରହୁଥିବା ଘର ଭିତରେ କଟାମୁଣ୍ଡ ପୋତି ଦେଇଥିବା କହିଥିଲା । ପୁଲିସ୍ ଉକ୍ତ ସ୍ଥାନ ଖୋଳି କଟାମୁଣ୍ଡ ଜବତ କରିଥିଲା । କଟାମୁଣ୍ଡ ପୋତାଯାଇଥିବା ଘରେ ତିନୋଟି ତମ୍ବା ନାଗ ଏବଂ କାଠଖୁଣ୍ଟରେ ପୂଜାର୍ଚ୍ଚନା କରି ବେଲପତ୍ର ଚଢ଼ାଯାଇଥିବା ଦେଖିବାକୁ ମିଳିଛି । ପାଶ୍ୱର୍ରେ ଥିବା ଏକ କାଠଖୁଣ୍ଟରେ ଧାର ଧାର ରକ୍ତର ଛିଟା ପଡ଼ିଥିଲା । ଅଭିଯୁକ୍ତ ଶତ୍ରୁଘ୍ନକୁ ପଚାରିବାରୁ ସେ ସନ୍ତୋଷଙ୍କୁ ବଳି ଦେଇଥିବା ସ୍ୱୀକାର କରିବା ସହ ସମସ୍ତ ଘଟଣା ବଖାଣିଥିଲା । ଏ ନେଇ ଆଇଆଇସି ସବିତା ଠେମରିଆ କହିଛନ୍ତି, ତଦନ୍ତ ପରେ ବିସ୍ତୃତ ସୂଚନା ଦିଆଯିବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button