ଓଡ଼ିଶାରେ ସାଧାରଣତଃ ଝିଅମାନେ ବାପଘରୁ ବିଦାୟ ନେବା ବେଳେ ବାପା-ମା’ ଓ ବନ୍ଧୁବାନ୍ଧବଙ୍କୁ ଧରି କାନ୍ଦିଥାଆନ୍ତି। ତେବେ ଏହି ପରମ୍ପରା ଧୀରେଧୀରେ ଏକ ପ୍ରକାର ଲୋପ ପାଇବାକୁ ବସିଲାଣି। ଏବେ ଏଭଳି ଦୃଶ୍ୟ କମ୍ ଦେଖିବାକୁ ମିଳୁଛି। ଓଡ଼ିଶାର ଏହି ପରଂପରାକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଛବି ‘କାନ୍ଦ ମାଷ୍ଟ୍ରେ’।
ବିଶ୍ବଜିତ୍ ଇତିଶ୍ରୀ ସିନେମା ବ୍ୟାନରରେ ନିର୍ମିତ ଏହି ଛବିର ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ବିଶ୍ବଜିତ ପଣ୍ଡା ଏବଂ କ୍ରିଏଟିଭ ପ୍ରଡ୍ୟୁସର ଅଛନ୍ତି ଇତିଶ୍ରୀ ପାଣିଗ୍ରାହୀ। ଏହାର କାହାଣୀ ଓ ସଂଳାପ ଜଣାଶୁଣା ନାଟ୍ୟକାର ତଥା ସାମ୍ବାଦିକ ଜାକିର ଖାନ୍ ଲେଖିଥିବା ବେଳେ ଚିତ୍ରନାଟ୍ୟରେ ଅଛନ୍ତି ଜାକିର ଓ ନିର୍ଦ୍ଦେଶକ ବିଶ୍ବଜିତ।
‘କାନ୍ଦ ମାଷ୍ଟ୍ରେ’ରେ ଲିପ୍ସା ମିଶ୍ର, ବିଭୁ ପ୍ରସାଦ, ପୃଥ୍ବୀରାଜ ନାୟକ, ଧରିତ୍ରୀ ଖଣ୍ଡୁଆଳ ଓ ଶ୍ବେତାଶ୍ରୀ ପାଢ଼ୀ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ସ୍ବର୍ଣ୍ଣ ପ୍ରସାଦ ସିନେମାଟୋଗ୍ରାଫି କରିଥିବା ବେଳେ ସମ୍ପାଦନା କରିଛନ୍ତି କୃତାର୍ଥ ଚିତ୍ତରଞ୍ଜନ ନାଟେକର ଓ ମଣ୍ଟୁ। ବିକାଶ ଦାସ ଓ ଶାନ୍ତନୁ ନାୟକ ଏହାର ସ୍ବର ସଂଯୋଜନା କରିଥିବା ବେଳେ ବାପୁ ଗୋସ୍ୱାମୀ ଓ ସନ୍ତୋଷ ନାୟକ ଗୀତ ରଚନା କରିଛନ୍ତି। ଚଳିତ ମାସ ୨୭ ତାରିଖରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ସୌଜନ୍ୟ ସମ୍ବାଦ
