ରାଜ୍ୟ

₹2,100 Crore Approved: ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୨୧୦୦ କୋଟି: ପ୍ରଦୀପ ପୁରୋହିତ

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ଓ ସମ୍ପ୍ରସାରଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ୨୧୦୦ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଥିବା ବରଗଡ଼ ସାଂସଦ ତଥା ବିମାନବନ୍ଦର ପରାମର୍ଶଦାତା କମିଟିର ଅଧ୍ୟକ୍ଷ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ଓ ସମ୍ପ୍ରସାରଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ରନ୍‌ୱେ ସମ୍ପ୍ରସାରଣ ପାଇଁ ୧୬୮.୮୮ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିବା ବେଳେ ଯାତ୍ରୀ ସଂଖ୍ୟାରେ ୪୧.୨ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି ।  ନୂଆ ଟର୍ମିନାଲ୍‌ ଓ ବିମାନ ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପଶ୍ଚିମ ଓଡ଼ିଶାର ବିମାନ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ସମ୍ପ୍ରସାରଣ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି । ବିମାନବନ୍ଦରର ଭିତ୍ତିଭୂମି ବିକାଶ, ରନ୍‌ୱେ ସମ୍ପ୍ରସାରଣ, ନୂତନ ଟର୍ମିନାଲ୍‌ ନିର୍ମାଣ ଓ ଅଧିକ କ୍ଷମତାସମ୍ପନ୍ନ ବିମାନ ଚଳାଚଳ ପାଇଁ ଆବଶ୍ୟକ ସୁବିଧା ବିକାଶ ନେଇ ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଏଥିପାଇଁ ୨୧୦୦ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଥିବା ବରଗଡ଼ସାଂସଦ ତଥା ବିମାନବନ୍ଦର ପରାମର୍ଶଦାତା କମିଟିର ଅଧ୍ୟକ୍ଷ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।

ବିମାନବନ୍ଦର ପରାମର୍ଶଦାତା କମିଟିର ବୈଠକରେ ଭିତ୍ତିଭୂମିର ଉନ୍ନତି, ଯାତ୍ରୀଙ୍କ ପାଇଁ ସୁବିଧା ବୃଦ୍ଧି ଏବଂ ନୂଆ ବିମାନ ସଂଯୋଗ ଉପରେ ଆଲୋଚନା ହୋଇଛି । ସାଂସଦ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଦ୍ୱିତୀୟ ସକାଳୁଆ ବିମାନ ଚଳାଚଳ ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇଥିଲା । ଏଥିସହ ଚେନ୍ନାଇ, ଜୟପୁର ଓ ବିଶାଖାପାଟଣାକୁ ସିଧାସଳଖ ବିମାନ ସଂଯୋଗ ସ୍ଥାପନ ନେଇ ମଧ୍ୟ ପ୍ରସ୍ତାବ ରହିଛି ।

ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ 

ଯାତ୍ରୀଙ୍କ ସୁବିଧା ପାଇଁ ବିମାନବନ୍ଦର ପରିସରରେ ଏଟିଏମ୍ ସ୍ଥାପନ, ରେଷ୍ଟୁରାଣ୍ଟ ଓ ଖାଦ୍ୟ ଷ୍ଟଲ୍ ଖୋଲିବା ଉପରେ ଆଲୋଚନା ହୋଇଛି । ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ, ଐତିହ୍ୟସ୍ଥଳ ଓ ଦର୍ଶନୀୟ ସ୍ଥାନ ସମ୍ପର୍କରେ ଯାତ୍ରୀଙ୍କୁ ସୂଚନା ଦେବା ପାଇଁ ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ସୂଚନା କେନ୍ଦ୍ର ଖୋଲିବାକୁ ମଧ୍ୟ ଯୋଜନା ରହିଛି । ଏହା ସହ ବିମାନବନ୍ଦରରେ ଜରୁରୀକାଳୀନ ଚିକିତ୍ସା ସେବା ପାଇଁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ନିୟୋଜନ ଏବଂ ଭବିଷ୍ୟତର ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଜୋର୍ ଦିଆଯାଇଛି । ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବିମାନବନ୍ଦର ପରାମର୍ଶଦାତା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button