ନୋଏଡ଼ା: ଥାର୍ ନିଶା ସଜାଇଦେଲା ଚୋର। ଘରେ ପଶି ଚୋରି କରିବାକୁ ପଛାଇଲେନି ୪ନାବାଳକ। ଚୋରି କରି ଜମା କରିଥିଲେ ୨୦ଲକ୍ଷ ଟଙ୍କା। ୨୪ଘଣ୍ଟା ଭିତରେ ଖୁଲାସା କଲା ପୁଲିସ। ଏବେ ୪ନାବାଳକଙ୍କୁ ଅଟକ ରଖିଛି ପୁଲିସ। ଏହି ଘଟଣାଟି ଘଟିଛି ନୋଏଡା ଗୌତମ ବୁଦ୍ଧ ନଗରର ଜେୱାର ପୁଲିସଷ୍ଟେସନ୍ ଅଞ୍ଚଳରେ।
ଗ୍ରେଟର ନୋଏଡା ଏଡିସିପି ସୁଧୀର କୁମାରଙ୍କ କହିବା ଅନୁସାରେ, ଗତ ଜାନୁଆରୀ ମାସ ୩୦ ତାରିଖରେ ଥାନାକୁ ଏକ ଅଭିଯୋଗ ଆସିଥିଲା। ଘରେ କେହି ନଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ଆଲମିରା ଭାଙ୍ଗି ୨୦ଲକ୍ଷ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ଆଣିଥିଲେ ଜଣେ ବ୍ୟକ୍ତି। ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଚିହ୍ନଟ ହୋଇଥିବା ଅଭିଯୁକ୍ତମାନେ କୌଣସି ପେସାଦାର ଅପରାଧୀ ନଥିଲେ। ଏମାନେ ଥିଲେ ବୁଦ୍ଧ ନଗରର ଜେୱାର ଅଞ୍ଚଳର ଚାରିଜଣ ନାବାଳକ। ଚିହ୍ନଟ ପରେ ଏହି ୪ଜଣ ନାବାଳକଙ୍କୁ ଜଵାର ରିଷି ରୋଡ୍ ନିକଟରୁ ବାନ୍ଧିଥିଲା ପୁଲିସ।
୪ଜଣଙ୍କୁ ଗିରଫ କରି ପଚରାଉଚରା କରିବା ପରେ ଜଣାପଡ଼ିଥିଲା, କଳା ଥାର୍ କିଣିବାର ନିଶା ଲାଗିଥିଲା, ସେଥିପାଇଁ ପଡ଼ୋସି ଘରୁ ଲୁଟ କରିଥିଲେ ଏହି ୪ନାବାଳକ। ଚୋରି କରିବା ପରେ ୨୦ଲକ୍ଷ ଟଙ୍କାକୁ ପରସ୍ପର ମଧ୍ୟରେ ବାଣ୍ଟିବାକୁ ଯୋଜନା କରିଥିଲେ, କିନ୍ତୁ ଏହା ପୂର୍ବରୁ ପୁଲିସ ଏମାନଙ୍କୁ ଗିରଫ କରିଥିଲା। ପୁଲିସ ଅଭିଯୁକ୍ତଙ୍କଠାରୁ ଚୋରି ହୋଇଥିବା ୨୦ ଲକ୍ଷ ଟଙ୍କା ଜବତ କରିଛି। ଭାରତୀୟ ଦଣ୍ଡ ସଂହିତା (ବିଏନଏସ୍) ର ପ୍ରାସଙ୍ଗିକ ଧାରା ଅନୁଯାୟୀ ଜେୱାର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଯେହେତୁ ସମସ୍ତ ଅଭିଯୁକ୍ତ ନାବାଳକ, ତେଣୁ ସେମାନଙ୍କ ବିରୁଦ୍ଧରେ କିଶୋର ନ୍ୟାୟ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୌଜନ୍ୟ ସମ୍ବାଦ
