ଭୁବନେଶ୍ବର: ସମୃଦ୍ଧ କୃଷକ ଯୋଜନାରେ ଚାଷୀମାନଙ୍କ ଠାରୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯାଉଛି। ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବଜେଟ୍ରେ ଏହି ଯୋଜନାରେ ୬୦୮୮ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ସେହିଭଳି ଚାଷୀମାନଙ୍କୁ ସମୟୋଚିତ ଅର୍ଥ ପୈଠ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ୫ ହଜାର କୋଟି ଟଙ୍କାର ଏକ ଆବର୍ତ୍ତନ ପାଣ୍ଠି ଗଠନ ପ୍ରସ୍ତାବ ବଜେଟ୍ରେ ରହିଛି।
ଚାଷୀଙ୍କୁ ଅତିରିକ୍ତ ସହାୟତା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଜରିଆରେ କାର୍ଯ୍ୟକାରୀ କରି ଆସୁଛନ୍ତି। ୨୦୨୫-୨୬ରେ ଏହି ଯୋଜନା ୫୧ ଲକ୍ଷ ୫୬ ହଜାର କୃଷକଙ୍କ ନିକଟରେ ସହାୟତା ପହଞ୍ଚି ପାରିଛି। ଏହି ପ୍ରମୁଖ ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ୨୦୨୬-୨୭ରେ ୨୦୩୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ମାଣ୍ଡିଆ ଭଳି ଜଳବାୟୁ ସହନଶୀଳ ଓ ପୁଷ୍ଟିକର ଶସ୍ୟକୁ ପୁନର୍ଜୀବିତ କରି ପୁଷ୍ଟିକର ଖାଦ୍ୟ ସୁରକ୍ଷା ଯୋଗାଇବା ପାଇଁ ‘ଶ୍ରୀ ଅନ୍ନ ଅଭିଯାନ’ ପାଇଁ ୨୦୨୬-୨୭ରେ ୪୦୦ କୋଟିର ବ୍ୟବସ୍ଥା କରାଯାଇଛି। ଧାନ ଉପରେ ଅତ୍ୟଧିକ ନିର୍ଭରଶୀଳତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜଳବାୟୁ ସହନଶୀଳ କୃଷିକୁ ପ୍ରାଥମିକତା ଦେଇ ବିଭିନ୍ନ କିସମର ଡାଲି, ତୈଳବୀଜ ଏବଂ ଦେଶୀ ସୁଗନ୍ଧିତ ଓ ଅଣସୁଗନ୍ଧିତ ଧାନ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ଏଥିଲାଗି ବୃହତ୍ ଉଠା ସେଚ ପ୍ରକଳ୍ପ ଅଞ୍ଚଳରେ ଫସଲର ବିବିଧକରଣ କାର୍ଯ୍ୟକ୍ରମ, ସ୍ବଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ୨୦୨୬-୨୭ରେ ମୋଟ ୪୬୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଦୀର୍ଘସ୍ଥାୟୀ ଜୀବିକା ନିର୍ବାହ ପାଇଁ ଉଚ୍ଚ-ମୂଲ୍ୟଯୁକ୍ତ ବାଣିଜ୍ୟ ଉପଯୋଗୀ ଏବଂ ଜୈବିକ ଚାଷର ସୁପରିକଳ୍ପନା କରି ୬ଟି ଜିଲ୍ଲାରେ କଫି ଚାଷ ପାଇଁ ୧୫୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ଏଥିସହିତ ପ୍ରଯୁକ୍ତିବିଦ୍ୟା ଦ୍ବାରା ଉନ୍ନତ ଆଖୁ ଚାଷ ନିମନ୍ତେ ୨୭ କୋଟି ଏବଂ ବଳଭଦ୍ର ଜୈବିକ ଚାଷ ମିସନ୍ ନିମନ୍ତେ ୨୮ କୋଟିର ବ୍ୟବସ୍ଥା ବଜେଟ୍ରେ କରାଯାଇଛି।
ଓଡ଼ିଶାର କୃଷି ଜୈବ ବିବିଧତା ଏବଂ ପାରମ୍ପରିକ ଖାଦ୍ୟ ପ୍ରଣାଳୀର ସମୃଦ୍ଧି ଓ ପୁନରୁଦ୍ଧାର ପାଇଁ ସରକାର ଚଳିତ ଆର୍ଥିକବର୍ଷରେ ଓଡ଼ିଶାରେ ବିସ୍ମୃତ ଖାଦ୍ୟ/ଅବହେଳିତ ଶସ୍ୟର ପୁନରୁଦ୍ଧାର ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ୨୦୨୬-୨୭ ଆର୍ଥିକବର୍ଷ ନିମନ୍ତେ ୫୫ କୋଟି ଟଙ୍କା ପ୍ରଦାନ କରାଯାଇଛି।
ସୌଜନ୍ୟ ସମ୍ବାଦ
