76th Odisha State Police Hockey Championship କଳିଙ୍ଗ ଷ୍ଟାଡିୟମରେ ୭୬ତମ ରାଜ୍ୟ ପୁଲିସ ହକି ଚାମ୍ପିଅନସିପ୍–୨୦୨୬ ଆରମ୍ଭ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୭୬ତମ ରାଜ୍ୟ ପୁଲିସ ହକି ଚାମ୍ପିଅନସିପ୍–୨୦୨୬ ଆରମ୍ଭ ହୋଇଛି। ୧୮ଟି ପୁଲିସ ଦଳର ୩୬୦ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି, ଯାହା ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି (ସୋମବାର) ୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିଅନସିପ୍–୨୦୨୬ର ଶୁଭାରମ୍ଭ ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି।
ଏହି ଚାମ୍ପିଅନସିପ୍ରେ ରାଜ୍ୟର ବିଭିନ୍ନ ରେଞ୍ଜ ଓ ବାଟାଲିଅନରୁ ୧୮ଟି ପୋଲିସ ଦଳର ୩୬୦ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତା ଆସନ୍ତା ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଚାମ୍ପିଅନସିପ୍ର ପ୍ରଥମ ଦିନରେ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ କମିଶନରେଟ୍–ବି ୬–୦ ଗୋଲ୍ରେ କୋରାପୁଟ ଜିଲ୍ଲାକୁ ପରାସ୍ତ କରିଥିଲା। ସେହିପରି ବ୍ରହ୍ମପୁର ଜିଲ୍ଲା ୩–୧ ଗୋଲ୍ରେ ଓଏସ୍ଏପି ୮ମ ବାଟାଲିୟନ୍, ଛତ୍ରପୁରକୁ ପରାସ୍ତ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ୪ର୍ଥ ଆଇଆର୍ ବାଟାଲିୟନ୍, ଦେବଗଡ଼ ପେନାଲ୍ଟି ସୁଟ୍ଆଉଟ୍ରେ ୪–୨ ଗୋଲ୍ରେ ଓଏସ୍ଏପି ୩ୟ ବାଟାଲିୟନ୍, କୋରାପୁଟକୁ ପରାସ୍ତ କରିଥିବା ବେଳେ ଓଏସ୍ଏପି ୪ର୍ଥ ବାଟାଲିୟନ୍, ରାଉରକେଲା ୪–୦ ଗୋଲ୍ରେ ଓଆଇଏସ୍ଏଫ୍, ଭୁବନେଶ୍ୱରକୁ ପରାସ୍ତ କରିଥିଲା।
ଉଦ୍ଘାଟନୀ ସମାରୋହରେ ଶ୍ରୀ ପ୍ରକାଶ ମିଶ୍ର କହିଥିଲେ, ଭାରତୀୟ ହକିର ବିକାଶ ଓ ଲୋକପ୍ରିୟତାରେ ଓଡ଼ିଶାର ଅବଦାନ ଅତୁଳନୀୟ। ଭାରତୀୟ ହକି ଟିମ୍କୁ ରାଜ୍ୟ ସରକାରଙ୍କ ନିରନ୍ତର ପୃଷ୍ଠପୋଷକତା ଜାରି ରହିଛି। ଭାରତୀୟ ଜାତୀୟ ହକି ଟିମ୍ର ଜର୍ସିରେ ‘ଓଡ଼ିଶା’ ଲେଖାଯିବା ରାଜ୍ୟବାସୀଙ୍କ ପାଇଁ ଗୌରବର ବିଷୟ। ଓଡ଼ିଶା ପୁଲିସର ମହିଳା ହକି ଦଳ ସର୍ବଭାରତୀୟ ପୁଲିସ ହକି ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିବା ଉଲ୍ଲେଖନୀୟ ସଫଳତା।
ସୌଜନ୍ୟ ସମ୍ବାଦ



