90% of the rich: ଧନୀ କୋଇଡ଼ାରେ ୯୦% ଗରିବ

ସୁନ୍ଦରଗଡ଼ ଜିଲ୍ଲା ଶେଷ ପ୍ରାନ୍ତରେ କେନ୍ଦୁଝର ସୀମାକୁ ଲାଗିଛି ୧୫ ପଞ୍ଚାୟତ ବିଶିଷ୍ଟ କୋଇଡ଼ା ବ୍ଲକ୍। ମୂଲ୍ୟବାନ ଖଣିଜ ସମ୍ପଦ ପାଇଁ ସାରାବିଶ୍ବରେ ନିଜର ପରିଚୟ ରଖିଥିବା ଏହି ବ୍ଲକ୍‌ ବର୍ଷକୁ...

କୋଇଡ଼ା:ସୁନ୍ଦରଗଡ଼ଜିଲ୍ଲା ଶେଷ ପ୍ରାନ୍ତରେ କେନ୍ଦୁଝର ସୀମାକୁ ଲାଗିଛି ୧୫ ପଞ୍ଚାୟତ ବିଶିଷ୍ଟ କୋଇଡ଼ା ବ୍ଲକ୍। ମୂଲ୍ୟବାନ ଖଣିଜ ସମ୍ପଦ ପାଇଁ ସାରାବିଶ୍ବରେ ନିଜର ପରିଚୟ ରଖିଥିବା ଏହି ବ୍ଲକ୍‌ ବର୍ଷକୁ ରାଜ୍ୟକୁ ପ୍ରାୟ ୧୫ ହଜାର କୋଟିର ଖଣି ରାଜସ୍ବ ଦେଇଥାଏ। କୋଇଡ଼ା ଖଣି ଅଞ୍ଚଳରେ ବର୍ତ୍ତମାନ ୩୩ଟି ଖଣି ଓ ୫ଟି ରେଳସାଇଡିଂ କାର୍ଯ୍ୟ କରୁଛି। ଏତେ ସବୁ ଥିବା ସତ୍ତ୍ବେ କୋଇଡ଼ା ଅଞ୍ଚଳବାସୀଙ୍କ ପାଇଁ ରୋଜଗାର ନାହିଁ। ଅଶିକ୍ଷା, ବେକାରି ସାଙ୍ଗକୁ ଅପପୁଷ୍ଟି, ରକ୍ତହୀନତା ଭଳି ସମସ୍ୟା ଲାଗି ରହିଥିବାବେଳେ ସ୍ବାସ୍ଥ୍ୟସେବା ଶୂନ କହିଲେ ଚଳେ। ଆଜି ବି ବ୍ଲକ୍‌ର ୯୦ ପ୍ରତିଶତ ଲୋକ ଗରିବ। ମାଗଣା ଚାଉଳ ବଞ୍ଚିବାର ଏକମାତ୍ର ସାହାଭରସା। ଅନ୍ୟ ସରକାରୀ ଯୋଜନା ଅଞ୍ଚଳବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି।

କୋଇଡ଼ା ବ୍ଲକ୍‌ରେ ରହିଛି ୧୧୨ଟି ରାଜସ୍ୱଗ୍ରାମ। ଲୋକସଂଖ୍ୟା ପାଖାପାଖି ୧ ଲକ୍ଷ। ୨୫ ହଜାର ପରିବାର (୯୦ ହଜାର ଲୋକ) ସରକାରୀ ରାସନକାର୍ଡ ଚାଉଳ ଉପରେ ନିର୍ଭରଶୀଳ। ବର୍ଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଦେଉଥିବା କୋଇଡ଼ା ବ୍ଲକ୍‌ରେ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ଆଜି ବି ଅନେକ ଗାଁ ବଞ୍ଚିତ। ଅନେକ ବୁଢ଼ାବୁଢ଼ୀ ଭତ୍ତା ପାଉନାହାନ୍ତି। ବାରମ୍ବାର ନିବେଦନ ପରେ ମଧ୍ୟ ଅଧିକାଂଶ ‌ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ସୁଫଳ ପାଇନାହାନ୍ତି। ଏବେ ବି ଅନେକ ରାଜସ୍ବ ଓ ପଡ଼ାଗାଁକୁ ରାସ୍ତା ନାହିଁ। ଆବଶ୍ୟକ ସମୟରେ ଦମକଳ କିମ୍ବା ଆମ୍ବୁଲାନ୍ସ ଯାଇପାରେନି। ଖଟିଆ ପାଲଟେ ଭରସା। ଅଧିକାଂଶ ଗାଁରେ ଅଙ୍ଗନବାଡ଼ି କିମ୍ବା ବିଦ୍ୟାଳୟ ନାହିଁ। ବନ୍ୟଜନ୍ତୁ ଭୟ ଭିତରେ ପାହାଡ଼ଜଙ୍ଗଲ ରାସ୍ତାରେ ପିଲାଙ୍କୁ ଦୂରକୁ ଛାଡ଼ିବାକୁ ଅଭିଭାବକ ରାଜି ହୁଅନ୍ତି ନାହିଁ। ବାଟ ପାଇଁ ପାଠ ବନ୍ଦ ହୋଇଥାଏ। ଅଧିକାଂଶ ଗାଁକୁ ବିଜୁଳି ପହଞ୍ଚିନି।

କିଛି ଗାଁ’କୁ ସୌରପ୍ରକଳ୍ପରେ ଆଲୋକୀକରଣ କରାଯାଇଥିଲା। କିନ୍ତୁ କିଛିଦିନ ପରେ ସେ ସବୁ ଅଚଳ। ୩୩ଟି ଖଣି, ୫ଟି ରେଳସାଇଡିଂ ଥିବା ସତ୍ତ୍ବେ ଖଣି, ପରିବହନ ସବୁଥିରେ ବାହାର ରାଜ୍ୟ ଲୋକଙ୍କ ପ୍ରଭାବ। ପେଟକୁ ଦାନାମୁଠାଏ ପାଇଁ ଅହରହ ସଂଘର୍ଷ ଭିତରେ ବ୍ଲକ୍‌ବାସୀ ନୟାନ୍ତ। ‘ପେଟ ପାଇଁ କେତେ ନାଟ’ ଭିତରେ ଏହି ବ୍ଲକ୍ ଦେଖିଛି ଶିଶୁଟିଏ ଅଇଁଠା ଖଲିପତ୍ର ଚାଟିବାର ଦୃଶ୍ୟ ତ କୁନିକୁନି ଝିଅଙ୍କ ମୁଣ୍ଡରେ କାଠର ବୋଝ। ଦେଶ ଓ ରାଜ୍ୟର ବିକାଶ ପାଇଁ ନିଜର ସବୁକିଛି ତ୍ୟାଗ କରିଥିବା ଅଞ୍ଚଳବାସୀଙ୍କ ବିକାଶ ମାନଚିତ୍ରରେ ସ୍ଥାନ କେଉଁଠି ବୋଲି ଏବେ ବି ସମସ୍ତଙ୍କ ମନକୁ ଆନ୍ଦୋଳିତ କରେ।
ଦୁଇ ଥର ବିଧାୟକ, ଛଅ ଥର ସାଂସଦ ନିର୍ବାଚିତ ହୋଇଥିବା ଜୁଏଲ ଓରାମ୍‌ଙ୍କ ଭଳି ଜଣେ ଅଭିଜ୍ଞସଂପନ୍ନ ରାଜନେତାଙ୍କୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ପାଇଛନ୍ତି ଅଞ୍ଚଳବାସୀ। ଯେଉଁଠି ଚାରି ଥର ବିଧାୟକ ହୋଇଥିବା ଆଦିବାସୀ ନେତା ଲକ୍ଷ୍ମଣ ମୁଣ୍ଡା ଶ୍ରେଷ୍ଠ ବିଧାୟକ ମାନ୍ୟତା ପାଉଛନ୍ତି ସେଇଠି ଆଦିବାସୀଙ୍କ ପ୍ରକୃତ ବିକାଶ କେତେ ପଛରେ ତାହା ନିଜ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିବେନି।

ସୌଜନ୍ୟ ସମ୍ବାଦ

Exit mobile version