Elephant: ଅଛୁଆଁ ହୋଇଗଲା ହାତୀଛୁଆ: ମା’ ଗ୍ରହଣ କଲାନି, ନନ୍ଦନକାନନ ଗଲା
ଖାଲରେ ପଡ଼ି କଲବଲ ହେଉଥିଲା ହାତୀଛୁଆ। ତାକୁ ବାହାର କରିବାକୁ ବିକଳ ହେଉଥିଲା ମା’ ହାତୀ। ବାରମ୍ବାର ଖାଲ ପାଖକୁ ଯାଇ ଚେଷ୍ଟା କରୁଥିଲା। ୨୪ ଘଣ୍ଟା ଧରି ପ୍ରଚେଷ୍ଟା ସହ ଛୁଆକୁ ଜଗିରହିଥିଲା ମା’ ହାତୀ।

କେନ୍ଦୁଝର: ଖାଲରେ ପଡ଼ି କଲବଲ ହେଉଥିଲା ହାତୀଛୁଆ। ତାକୁ ବାହାର କରିବାକୁ ବିକଳ ହେଉଥିଲା ମା’ ହାତୀ। ବାରମ୍ବାର ଖାଲ ପାଖକୁ ଯାଇ ଚେଷ୍ଟା କରୁଥିଲା। ୨୪ ଘଣ୍ଟା ଧରି ପ୍ରଚେଷ୍ଟା ସହ ଛୁଆକୁ ଜଗିରହିଥିଲା ମା’ ହାତୀ। ମାତ୍ର ନିଜ ସନ୍ତାନକୁ ଉଠାଇ ପାରିନଥିଲା। ଏଭଳି ଉଦ୍ୟମ ଭିତରେ ଭୋକିଲା, ଶୋଷିଲା ମା’ ହାତୀ ଥକିଯାଇଥିଲା। ଏହି ଦୃଶ୍ୟକୁ ନିକଟବର୍ତ୍ତୀ ଗ୍ରାମବାସୀ ଲକ୍ଷ୍ୟ କରୁଥିଲେ। ଶେଷରେ ବନ ବିଭାଗ ଟିମ୍ ମେସିନ୍ ନେଇ ପହଞ୍ଚିଥିଲା। ନିରାଶ ମା’ ହାତୀ ଚାଲିଯାଇଥିଲା କିଛି ଦୂରକୁ। ସେଠାରୁ କରୁଣ ଦୃଷ୍ଟିରେ ଚାହିଁ ରହିଥିଲା ଉଦ୍ଧାରକାରୀ ଦଳଙ୍କୁ। ଶେଷରେ ମାଟି ଖୋଳି ଛୁଆହାତୀକୁ ଉଦ୍ଧାର କରାଯାଇଥିଲା। ତା’ ଦେହରେ ଯେମିତି ମଣିଷର ହାତ ନ ବାଜେ, ସେଥିପ୍ରତି ଯତ୍ନବାନ ହୋଇଥିଲା ବନ ବିଭାଗ। ବହୁ ଉଦ୍ୟମ ପରେ ହାତୀଛୁଆ ବାହାରି ଆସିଥିଲା ସତ, କିନ୍ତୁ ମା’ହାତୀ ଶେଷଥର ପାଇଁ ନିଜ ଛୁଆକୁ କରୁଣାପୂର୍ଣ୍ଣ ଦୃଷ୍ଟିରେ ଚାହିଁ ସେଠାରୁ ଚାଲିଯାଇଥିଲା। ଏହା ପରେ ବନ ବିଭାଗ ୪ଥରରୁ ଅଧିକ ଉଦ୍ୟମ କରିଥିଲେ ମଧ୍ୟ ଛୁଆକୁ ଦଳରେ ମିଶାଇ ପାରିନଥିଲା। ମା’ ହାତୀ ତଥା ହାତୀପଲ ପାଇଁ ସତେ ଯେମିତି ଅଛୁଆଁ ହୋଇଗଲା ଛୁଆହାତୀ। ଆଜି ଗୋଠଛଡ଼ା ଏହି ହାତୀଛୁଆକୁ ସ୍ବତନ୍ତ୍ର ପରିବହନ ଯାନ ‘କ୍ଲ କ୍ରୁଜର’ରେ କେନ୍ଦୁଝର ବନଖଣ୍ଡରୁ ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଛି।



