ଖେଳମହାନଗର

New milestone: ଭାରତୀୟ ଭଲିବଲ୍‌ରେ ନୂଆ ମାଇଲ୍‌ଖୁଣ୍ଟ

କିଟ୍‍ ଓ କିସ୍‌ରେ ବ୍ୟାପକ ସୁବିଧା ସୁଯୋଗ ସହ ଓଡ଼ିଶାର ପରିବେଶ ଅତ୍ୟନ୍ତ ମନୋରମ। ଏଣୁ ଏଠାରେ ଲଗାତାର ୩ବର୍ଷ (୨୦୨୬, ୨୦୨୭ ଓ ୨୦୨୮) ଆମେ ଏଫ୍‍ଆଇଭିବି ବିଚ୍‍ ପ୍ରୋ ଟୁର୍‌....

ଭୁବନେଶ୍ୱର: କିଟ୍‍ ଓ କିସ୍‌ରେ ବ୍ୟାପକ ସୁବିଧା ସୁଯୋଗ ସହ ଓଡ଼ିଶାର ପରିବେଶ ଅତ୍ୟନ୍ତ ମନୋରମ। ଏଣୁ ଏଠାରେ ଲଗାତାର ୩ବର୍ଷ (୨୦୨୬, ୨୦୨୭ ଓ ୨୦୨୮) ଆମେ ଏଫ୍‍ଆଇଭିବି ବିଚ୍‍ ପ୍ରୋ ଟୁର୍‌ ଭଲିବଲ୍‍ ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଖେଳାଳି ଓ ଖେଳକୁ ଏକାଠି କରି ସମନ୍ବିତ ଭାଗୀଦାର ସହ ତୃଣମୂଳସ୍ତରରେ ଭଲିବଲ୍ ବିକାଶ ଏବଂ ଭାରତରୁ ଅଧିକରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବାକୁ ଯାଉଛୁ। ସବୁକିଛି ଠିକ୍ ରହିଲେ ୨୦୨୯ ସୁଦ୍ଧା ଭାରତକୁ ଅନ୍ତର୍ଜାତୀୟ ସ୍ତ‌ରରେ ଏକ ଭଲିବଲ୍ ଶକ୍ତିଭାବେ ଉପସ୍ଥାପନ କରିବା ଏବଂ ୨୦୩୨ ସୁଦ୍ଧା ଭଲିବଲ୍ ବିଶ୍ବ ଚାମ୍ପିଅନସିପ୍‌ରେ ଭାରତକୁ ଖେଳାଇବା ହେଉଛି ଆମର ଅସଲ ଲକ୍ଷ୍ୟ ବୋଲି ଅନ୍ତର୍ଜାତୀୟ ଭଲିବଲ୍‌ ସଂଘ (ଏଫ୍‌ଆଇଭିବି) ସଭାପତି ଫାବିଓ ଆଜେଭେଦୋ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଗତ ୧୧ ତାରିଖରୁ କିଟ୍ ଓ କିସ୍‌ରେ ଆୟୋଜିତ ଭଲିବଲ୍ ମହାକୁମ୍ଭର ସଫଳ ଆୟୋଜନକୁ ପ୍ରଶଂସା କରି ସେ କହିଛନ୍ତି, ଭାରତ ତଥା ଓଡ଼ିଶାରେ ତୃଣମୂଳସ୍ତରରେ ଭଲିବଲ୍‍ର ବିକାଶ ଓ ମହିଳା ସଶକ୍ତୀକରଣ ନିମନ୍ତେ ଏହି ମହାକୁମ୍ଭ ଆୟୋଜନ କରାଯାଇଛି। ୨୦୩୨ ସୁଦ୍ଧା ଭଲିବଲ୍‍ ମାଧ୍ୟମରେ ବିଶ୍ୱର ୧୨୦ କୋଟି ଲୋକଙ୍କୁ ଯୋଡ଼ିବାକୁ ଏଫ୍‍ଆଇଭିବି ଲକ୍ଷ୍ୟ ରଖିଛି। ଭଲିବଲ୍‍ର ଶକ୍ତି ମାଧ୍ୟମରେ ଲୋକଙ୍କୁ ଏକାଠି କରିବା ଏବଂ ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ବଜାୟ ରଖିବା ହେଉଛି ଏଫ୍‍ଆଇଭିବିର ମୂଳ ଉଦ୍ଦେଶ୍ୟ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଭଲିବଲ୍ ମହାକୁମ୍ଭ ଜରିଆରେ ହଜାର ହଜାର ବାଳିକା ଓ ମହିଳାଙ୍କୁ ଭଲିବଲ୍‌ର ପରିବର୍ତ୍ତନକାରୀ ଶକ୍ତି ଅନୁଭବ କରିବାର ସୁଯୋଗ ମିଳିଛି।। କିଟ୍‍ ଓ କିସ୍‍ର କନ୍ୟା କିରଣ ପଦକ୍ଷେପର ଏକ ଅଂଶ ଭାବରେ ମହିଳା ସଶକ୍ତୀକରଣ ଏବଂ ତୃଣମୂଳ ସ୍ତରରେ ଭଲିବଲ୍ ବିକାଶକୁ ପ୍ରୋତ୍ସାହିତ କରିବା ଏହି ଭଲିବଲ୍‍ ମହାକୁମ୍ଭର ଲକ୍ଷ୍ୟ। ସେହିଭଳି ରାଜ୍ୟଗୋଷ୍ଠୀ ଓ ଅଲିମ୍ପିକ୍ସରେ ଓଡ଼ିଶା ତଥା କିଟ୍ ଓ କିସ୍‌ର ଅଧିକରୁ ଅଧିକ ପିଲା ଖେଳୁଥିବାର ଦେଖିବା ହେଉଛି ମୋ ଜୀବନର ସବୁଠୁ ବଡ଼ ସ୍ବପ୍ନ। ଏହି ଅବସରରେ କିଟ୍‍, କିସ୍‍ ଓ ଏଫ୍‍ଆଇଭିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହ ତାଙ୍କ କରକମଳରେ ଏଫ୍‍ଆଇଭିବି-କିଟ୍‍, କିସ୍‍ ଉତ୍କର୍ଷ କେନ୍ଦ୍ର ଏବଂ ଏକ ପ୍ରଶଂସକ ଜୋନ୍‌ର ଉଦ୍‍ଘାଟନ ବି କରାଯାଇଥିଲା।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button