ବିଶେଷ

Environmental warrior: ପରିବେଶ ଯୋଦ୍ଧା: ଗଛ ଓ ଚଢ଼େଇଙ୍କ ସେବାରେ ରଞ୍ଜନ

ପ୍ରକୃତି ଆମର ମାଆ। ତା’ର ଯତ୍ନ ନେବା ଆମର କର୍ତ୍ତବ୍ୟ। ଏ ଚିନ୍ତାଧାରା ନେଇ ନିଜକୁ ପରିବେଶ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରିଛନ୍ତି ରଞ୍ଜନ କୁମା‌ର ମହାପାତ୍ର। ପରିବେଶ ପାଇଁ କାମ କରିବା କଥା ମନରେ ଉଙ୍କି ମାରିଲା ବେଳକୁ ପ୍ରଥମେ ମୁଣ୍ଡରେ ଜୁଟିଲା ବୃକ୍ଷରୋପଣ।

ପ୍ରକୃତି ଆମର ମାଆ। ତା’ର ଯତ୍ନ ନେବା ଆମର କର୍ତ୍ତବ୍ୟ। ଏ ଚିନ୍ତାଧାରା ନେଇ ନିଜକୁ ପରିବେଶ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରିଛନ୍ତି ରଞ୍ଜନ କୁମା‌ର ମହାପାତ୍ର। ପରିବେଶ ପାଇଁ କାମ କରିବା କଥା ମନରେ ଉଙ୍କି ମାରିଲା ବେଳକୁ ପ୍ରଥମେ ମୁଣ୍ଡରେ ଜୁଟିଲା ବୃକ୍ଷରୋପଣ। ଗଛ ଲଗାଇଲେ ପରିବେଶର ଅନେକ ସମସ୍ୟା ଦୂର ହୋଇପାରିବ ବୋଲି ଭାବି ଏହି କାମରେ ମନ ଲଗାଇଲେ। ସ୍ଥାନୀୟ ଅଞ୍ଚଳରେ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବା ପରେ ସେ ଭୁବନେଶ୍ବର ଉପକଣ୍ଠ ବା‌ଲିଅନ୍ତା ଅଞ୍ଚଳରେ ଥିବା ହାଇସ୍କୁଲ୍‌ଗୁଡ଼ିକରେ ଗଛ ଲଗାଇବା କାର୍ଯ୍ୟ ହାତକୁ ନେଇଥିଲେ। ଇତିମଧ୍ୟରେ ସେ ୬ଟି ସ୍କୁଲ୍‌ ହତାରେ ଗଛ ଲଗାଇବା କାମ ଶେଷ କରି ସାରିଲେଣି।

ପରିବେଶ ସଚେତନତା ସୃଷ୍ଟି ଲାଗି ରଞ୍ଜନ ପ୍ରତିବର୍ଷ ବନ ସପ୍ତାହରେ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଇ ସେମାନଙ୍କୁ ପରିବେଶ ସଂପର୍କରେ ସଚେତନ କରାଇଥାଆନ୍ତି। ସେ ସ୍କୁଲ୍‌ ପିଲାମାନଙ୍କୁ ସେମାନଙ୍କ ଜନ୍ମଦିନରେ ଏବଂ ପରିଚିତ ଅଞ୍ଚଳବାସୀଙ୍କୁ ସେମାନଙ୍କ ଜନ୍ମଦିନ ଓ ବିବାହ ବାର୍ଷିକୀରେ ଗଛ ଲଗାଇ ଯତ୍ନ ନେବାକୁ ପ୍ରୋତ୍ସାହିତ କରନ୍ତି। ତାଙ୍କ ଗ୍ରାମ ଜଶୁଆପୁରର ଏକ ଖାଲି ସ୍ଥାନରେ ସରକାରଙ୍କ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା। ହେଲେ ତିନି ବର୍ଷ ପର୍ଯ୍ୟନ୍ତ ତାହାର ଯତ୍ନ ନେଇ ତା’ପରେ ଆଉ ବୁଝି ନଥିଲେ ସରକାର। ଶେଷରେ ଉକ୍ତ ଗଛଗୁଡ଼ିକର ସୁରକ୍ଷା ପାଇଁ ରଞ୍ଜନ ପାଞ୍ଚ ଜଣ ସମଭାବାପନ୍ନଙ୍କୁ ନେଇ ‘ଜଙ୍ଗଲ ସୁରକ୍ଷା’ ନାମରେ ଏକ ସମିତି ଗଠନ କରିଥିଲେ। ବିଭିନ୍ନ ଅନୁଷ୍ଠାନ ସହ ମିଶି ତାଙ୍କ ସମିତି କୁଆଖାଇ ନଦୀ ପଠାରେ ତାଳ ଗଛ ମଧ୍ୟ ରୋପଣ କରିଛନ୍ତି।

ବୃକ୍ଷ ରୋପଣରେ ସୀମିତ ରହିଯାଇନାହାନ୍ତି ସେ। ପକ୍ଷୀମାନେ ଗ୍ରୀଷ୍ମ ଋତୁରେ ଜଳ ଅଭାବରୁ ହନ୍ତସନ୍ତ ହେଉଥିବା ହେତୁ ତାଙ୍କ ପାଇଁ ବି ପାତ୍ରରେ ପାଣି ରଖନ୍ତି ରଞ୍ଜନ। ସେ ତାଙ୍କ ଦଳ ସହ ମିଶି ଜଙ୍ଗଲର ବିଭିନ୍ନ ଗଛରେ ମାଟିପାତ୍ରକୁ ଶିକାରେ ବାନ୍ଧି ସେଥିରେ ପାଣି ଭରନ୍ତି। ପ୍ରକୃତି ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୨୫ ମସିହାରେ ରାଜ୍ୟ ସରକାର ‘ପ୍ରକୃତି ବନ୍ଧୁ ପୁରସ୍କାର’ ଦେଇଥିଲେ। ନିକଟରେ ସରକାରଙ୍କ ସହଯୋଗରେ ନିଜ ପଞ୍ଚାୟତରେ ‘ମୋଦୀ ଅରଣ୍ୟ ବାଟିକା’ ନିର୍ମାଣ କରିଛନ୍ତି। ସେହି ବାଟିକାରେ ୫୦୦ଟି ଚାରା ରୋପଣ ହୋଇଛି। ଉତ୍କଳ ବିଶ୍ବବଦ୍ୟାଳୟରୁ ସ୍ନାତକ ପାସ୍‌ କରିଥିବା ରଞ୍ଜନ ଏବେ ଏମ୍‌ବିଏ ପଢୁଛନ୍ତି। ରଞ୍ଜନ ତାଙ୍କ ମାଆଙ୍କ ନାମରେ ଗୀତାଞ୍ଜଳି ଫାଉଣ୍ଡେସନ୍‌ ପ୍ରତିଷ୍ଠା କରି ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟରେ ମଧ୍ୟ ନିୟୋଜିତ ଅଛନ୍ତି।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button