ଦେଶ ବିଦେଶ

Sharif government: ସରିଫ୍‌ ସରକାର ବିରୋଧରେ ନିର୍ଣ୍ଣାୟକ ଲଢ଼େଇ: ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଆହ୍ବାନ ଦେଲେ ଇମ୍ରାନ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ତୋଷଖାନା-୨ ଦୁର୍ନୀତି ମାମଲାରେ ୧୭ ବର୍ଷ ଜେଲ ଦଣ୍ଡାଦେଶ ମିଳିବାର ଗୋଟିଏ ଦିନ ପରେ ଖାନ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଛନ୍ତି।

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ତୋଷଖାନା-୨ ଦୁର୍ନୀତି ମାମଲାରେ ୧୭ ବର୍ଷ ଜେଲ ଦଣ୍ଡାଦେଶ ମିଳିବାର ଗୋଟିଏ ଦିନ ପରେ ଖାନ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଛନ୍ତି। ତାଙ୍କ ଏକ୍ସ (ପୂର୍ବରୁ ଟ୍ୱିଟର) ଆକାଉଣ୍ଟରେ ପୋଷ୍ଟ ହୋଇଥିବା ତାଙ୍କ ଓକିଲଙ୍କ ସହ ଏକ ବାର୍ତ୍ତାଳାପରେ ୭୩ ବର୍ଷୀୟ ନେତା କହିଛନ୍ତି ଯେ ତାଙ୍କ ସମର୍ଥକମାନେ ଏହି ରାୟକୁ ବିରୋଧ କରି ତାଙ୍କ ପାଇଁ ଛିଡା ହେବା ଉଚିତ। ଅତ୍ୟାଚାରୀ ଓ ଏକଛତ୍ରବାଦୀ ଶେହବାଜ ସରିଫ୍‌ ଓ ସାମରିକ ମୁଖ୍ୟ ଅସୀମ ମୁନିରଙ୍କ ବିରୋଧରେ ସମଗ୍ର ଦେଶରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଇମ୍ରାନ ଆହ୍ବାନ ଦେଇଛନ୍ତି।

ଜେଲରେ ଖାନଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ନ ଥିବାରୁ କିଏ ଏକ୍ସରେ ଏହି ବିବୃତି ପୋଷ୍ଟ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏଥିରେ ସେ କହିଛନ୍ତି, ମୁଁ (ଖୈବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ) ସୋହେଲ ଆଫ୍ରିଦିଙ୍କୁ ରାସ୍ତା ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ଏକ ବାର୍ତ୍ତା ପଠାଇଛି। ସମଗ୍ର ଦେଶକୁ ଏହାର ଅଧିକାର ପାଇଁ ଉଠିବାକୁ ପଡିବ। ସଂଗ୍ରାମ ହେଉଛି ଉପାସନା ଏବଂ ମୁଁ ପାକିସ୍ତାନର ପ୍ରକୃତ ସ୍ୱାଧୀନତା ପାଇଁ ସହିଦ ହେବାକୁ ମଧ୍ୟ ପ୍ରସ୍ତୁତ ଅଛି! ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ଏବଂ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ମାନସିକ ନିର୍ଯାତନା ଦେଇଥିବାରୁ ପାକିସ୍ତାନ ସେନାକୁ ସେ ସମାଲୋଚନା କରିଛନ୍ତି। ଖାନ ଦାବି କରିଛନ୍ତି ଯେ, ଜେଲରେ ଥିବା ପ୍ରତ୍ୟେକ କଏଦୀ ଟେଲିଭିଜନ ଦେଖିପାରିବେ କିନ୍ତୁ ସେ ଓ ତାଙ୍କ ପତ୍ନୀଙ୍କୁ ଆଦୌ ଟିଭି ଦେଖିବାର ଅନୁମତି ନାହିଁ।

ଗତ ତିନି ବର୍ଷର ଭିତ୍ତିହୀନ ରାୟ ଓ ଦଣ୍ଡ ପରି ତୋଷାଖାନା-୨ ରାୟ ମଧ୍ୟ ମୋ ପାଇଁ କିଛି ନୂଆ ନୁହେଁ। କୌଣସି ପ୍ରମାଣ ବିନା ଏବଂ ଆଇନଗତ ଆବଶ୍ୟକତା ପୂରଣ ନ କରି ବିଚାରପତି ତରବରିଆ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଖାନ କହିଛନ୍ତି। ସେ ପୁଣି କହିଛନ୍ତି, ଆଇନର ସର୍ବୋଚ୍ଚତା ପ୍ରତିଷ୍ଠା ଏବଂ ସମ୍ବିଧାନର ପୁନରୁଦ୍ଧାର ଲାଗି ସଂଗ୍ରାମ ପାଇଁ ଜଷ୍ଟିସ୍ ଲୟର୍ସ ଫୋରମ୍ ଏବଂ ଓକିଲଙ୍କ ସାମ୍ମୁଖ୍ୟ ସାମ୍ନାକୁ ଆସିବା ଜରୁରୀ। କେବଳ ନ୍ୟାୟ ବ୍ୟବସ୍ଥା ହିଁ ଲୋକଙ୍କୁ ସୁରକ୍ଷା ଦେଇପାରିବ। ଏହା ବିନା ଅର୍ଥନୈତିକ ପ୍ରଗତି କିମ୍ବା ନୈତିକ ବିକାଶ ସମ୍ଭବ ନୁହେଁ।

ଖାନ ଅଗଷ୍ଟ ୨୦୨୩ରୁ ଜେଲରେ ଅଛନ୍ତି। ଶନିବାର ତାଙ୍କୁ ଓ ବୁଶ୍ରାଙ୍କୁ ତୋଷଖାନା-୨ ଦୁର୍ନୀତି ମାମଲାରେ ୧୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା, ଯାହା ୨୦୨୧ରେ ସାଉଦି ଆରବ ସରକାରଙ୍କଠାରୁ ଏହି ଦମ୍ପତି ପାଇଥିବା ସରକାରୀ ଉପହାରରେ ଠକେଇ ହୋଇଥିବା ଅଭିଯୋଗ ଉପରେ ଆଧାରିତ। ୨୦୨୪ରେ ଇସଲାମାବାଦ ହାଇକୋର୍ଟ ଏହି ମାମଲାରେ ବୁଶ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ। ପରେ ଖାନଙ୍କୁ ମଧ୍ୟ ଜାମିନ ଦିଆଯାଇଥିଲା, କିନ୍ତୁ ଡିସେମ୍ବର ୨୦୨୫ରେ ଏହି ଦମ୍ପତିଙ୍କୁ ସମାନ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button