ମହାନଗର

ESI Hospital: ଇଏସ୍‌ଆଇ ହସ୍ପିଟାଲ୍‌: ରୋଗୀଙ୍କୁ ଦଇବ ଭରସା, ମଞ୍ଜୁରିପ୍ରାପ୍ତ ୬୦% ପଦବି ଖାଲି

ବିଭିନ୍ନ ସଂସ୍ଥାର କର୍ମଚାରୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାକୁ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ପକ୍ଷରୁ ଭୁବନେଶ୍ବରରେ ହସ୍ପିଟାଲ୍‌ ପ୍ରତିଷ୍ଠା ହୋଇଛି। ଏହି ହସ୍ପିଟାଲକୁ ଖୋର୍ଦ୍ଧା ସମେତ ରାଜ୍ୟର କୋଣ ଅନୁକୋଣରୁ ରୋଗୀମାନେ ଆସନ୍ତି।

ଚନ୍ଦ୍ରଶେଖରପୁର: ବିଭିନ୍ନ ସଂସ୍ଥାର କର୍ମଚାରୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାକୁ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ପକ୍ଷରୁ ଭୁବନେଶ୍ବରରେ ହସ୍ପିଟାଲ୍‌ ପ୍ରତିଷ୍ଠା ହୋଇଛି। ଏହି ହସ୍ପିଟାଲକୁ ଖୋର୍ଦ୍ଧା ସମେତ ରାଜ୍ୟର କୋଣ ଅନୁକୋଣରୁ ରୋଗୀମାନେ ଆସନ୍ତି। କିଏ ସାଧାରଣ ଚିକିିତ୍ସା ପାଇଁ ଆସୁଛନ୍ତି ତ ଆଉ କିଏ ଗୁରୁତର ଅବସ୍ଥାରେ ଏଠାକୁ ଆସନ୍ତି। ମାତ୍ର ଏଠାକୁ ଆସୁଥିବା ରୋଗୀଙ୍କୁ ଦଇବ ଭରସା ବୋଲି କୁହାଯାଉଛି। ଏହି ହସ୍ପିଟାଲ୍‌ରେ ଏବେ କର୍ମଚାରୀ ସଙ୍କଟ ଦେଖାଦେଇଛି। ୧୯୬ ପଦବି ମଞ୍ଜୁରିପ୍ରାପ୍ତ ହୋଇଥିବା ବେଳେ ସେଥିରୁ ୧୧୪ ଖାଲି ପଡ଼ିଛି। ଅର୍ଥାତ୍‌ ପାଖାପାଖି ୬୦ ପ୍ରତିଶତ ପଦବି ଫାଙ୍କା ପଡ଼ିଛି। ଗୋଟିଏ ପଟେ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା କଥା କହୁଥିବା ବେଳେ ରାଜଧାନୀ ଛାତି ଉପରେ ଥିବା ଏହି ସରକାରୀ ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀ ନ ଥିବାରୁ ରୋଗୀ ସେବା ବହୁ ମାତ୍ରାରେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।

ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ଇଏସ୍‌ଆଇ ଅନ୍ତର୍ଭୁକ୍ତ ଗୋଟିଏ ହସ୍ପିଟାଲ ଓ ଦୁଇଟି ଡିସ୍ପେନ୍ସାରି ରହିଛି। ଭୁବନେଶ୍ବର ଇଏସ୍‌ଆଇ ହସ୍ପିଟାଲ ରହିଥିବା ବେଳେ ସହିଦନଗର ଓ ଖୋର୍ଦ୍ଧାଠାରେ ଡିସ୍ପେନ୍ସାରି ରୋଗୀଙ୍କୁ ସେବା ଯୋଗାଉଛି। ହସ୍ପିଟାଲ ପାଇଁ ମଞ୍ଜୁରିପ୍ରାପ୍ତ ସମସ୍ତ ୪ଟି ଯାକ ଯୁଗ୍ମ ନିର୍ଦ୍ଦେଶକ ପଦବିରେ ଅଧିକାରୀ ଅଛନ୍ତି। ମାତ୍ର ଆଇଏମ୍‌ଓ ଜୁନିଅର ବ୍ରାଞ୍ଚର ୪୮ଟିରୁ ୩୦ଟି ପଦବି ଖାଲି ପଡ଼ିଛି। ହୋମିଓପାଥିକ ଓ ଅକ୍ୟୁପେସନାଲ ଥେରାପିଷ୍ଟ ଆଦୌ ନାହାନ୍ତି। ୩୨ଜଣ ଷ୍ଟାଫ୍‌ ନର୍ସ ରହିବା ଜାଗାରେ ୧୮ଜଣରେ କାମ ଚାଲିଛି। ଏଏନ୍‌ଏମ୍‌ ଆଦୌ ନାହାନ୍ତି। ନର୍ସିଂ ସିଷ୍ଟର ପଦବି ସମ୍ପୂର୍ଣ୍ଣ ଖାଲି ରହିଛି, ଯେତେବେଳେ କି ୧୬ଟି ପଦବି ମଞ୍ଜୁର ହୋଇଥିଲା। ୩ଟି ଫାର୍ମାସିଷ୍ଟ ପଦବି ସମେତ ୪ଟି ଜୁନିଅର ଲାବ୍‌ ଟେକ୍ନିସିଆନ୍‌, ୨ଟି ଲେଖାଏ ସିନିଅର ଓ ଜୁନିଅର ଆସିଷ୍ଟାଣ୍ଟ ପଦବି ମଧ୍ୟ ଖାଲି ପଡ଼ିଛି। ସେକ୍ସନ ଅଫିସର ଜଣେ ବି ନାହାନ୍ତି। ୮ଟି ଓଟି ଆସିଷ୍ଟାଣ୍ଟ ମଧ୍ୟରୁ ଅଧା ପଦବିରେ ନିଯୁକ୍ତି ଦିଆଯାଇ ନାହିଁ।

ମଞ୍ଜୁରିପ୍ରାପ୍ତ ୬୦% ପଦବି ଖାଲି
ଏଏନ୍‌ଏମ୍‌ ନାହାନ୍ତି, ଅଧାରୁ ଅଧିକ ନର୍ସ ପଦବି ଖାଲି
ହୋମିଓପାଥିକ୍‌ ଓ ଅକୁପେସନାଲ୍‌ ଥେରାପିଷ୍ଟ ନାହାନ୍ତି

ଜଣେ ଡ୍ରେସର ଓ ୩ଟି ଏକ୍ସରେ ଟେକ୍ନିସିଆନ୍‌ ପଦବି ଖାଲି ପଡ଼ିଛି। ୮ଟି ଆଟେଣ୍ଡାଣ୍ଟ ପଦବି ଖାଲି ପଡ଼ିଛି। ମଞ୍ଜୁରିପ୍ରାପ୍ତ ୪ଟି ଯାକ ଝାଡ଼ୁଦାର ପଦବି ସମେତ ରୋଷେୟା ଓ ବଏଲର ଆଟେଣ୍ଡାଣ୍ଟ ପଦବିରେ କେହି ନାହାନ୍ତି। ସହିଦନଗରରେ ଥିବା ଡିସ୍ପେନ୍ସାରି ଅବସ୍ଥା ଟିକିଏ ଭଲ। ଏଠାରେ ମଞ୍ଜୁରିପ୍ରାପ୍ତ ୧୬ଟି ପଦବି ମଧ୍ୟରୁ ମାତ୍ର ୪ଟି ଖାଲି ରହିଛି। ଏଠାରେ ସିନିଅର ଆସିଷ୍ଟାଣ୍ଟ ଓ ଡ୍ରେସର୍‌ ନାହାନ୍ତି। ଦୁଇଟି ମଞ୍ଜୁରିପ୍ରାପ୍ତ ଆଟେଣ୍ଡାଣ୍ଟ ମଧ୍ୟରୁ ଗୋଟିଏ ଖାଲି ରହିଛି। ଖୋର୍ଦ୍ଧା ଡିସ୍ପେନ୍ସାରିରେ ଦୁଇଟି ଯାକ ଆଟେଣ୍ଡାଣ୍ଟ, ଗୋଟିଏ ରାତ୍ର ଜଗୁଆଳ, ଜୁନିଅର ଲାବ୍‌ ଟେକ୍ନିସିଆନ୍‌, ଜୁନିଅର ଆସିଷ୍ଟାଣ୍ଟ, ଡ୍ରେସର ପଦବି ଖାଲି ପଡ଼ିଛି।

 

ଇଏସ୍ଆଇ ହସ୍ପିଟାଲରେ ପଦବି ଖାଲି ପଡ଼ିବା ନେଇ କିଛି ବିଧାୟକ ପ୍ରଶ୍ନ ଉଠାଇଥିଲେ। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ ମୂଳ ସ୍ତରରେ ଖାଲି ପଡ଼ିଥିବା ତଥା ଅନ୍ୟାନ୍ୟ ପଦବିଗୁଡ଼ିକ ପୂରଣ ନିମନ୍ତେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଦ୍ବାରା ବିହିତ ପଦକ୍ଷେପ ନିଆଯାଉଛି। ଇତିମଧ୍ୟରେ ନଭେମ୍ବର ୨୫ରେ ୫ଜଣ ପାରା ମେଡିକାଲ କର୍ମଚାରୀଙ୍କୁ ହସ୍ପିଟାଲ ଓ ଡିସ୍ପେନ୍ସାରିରେ ନିଯୁକ୍ତି ପ୍ରଦାନ କରାଯାଇଛି। ବୀମାଭୁକ୍ତ କର୍ମଚାରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଖାଲି ପଡ଼ିଥିବା ପଦବିରେ ଡାକ୍ତର ତଥା ବିଶେଷଜ୍ଞମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଉଛି। ସେହିପରି ଖାଲି ପଡ଼ିଥିବା ଅନ୍ୟାନ୍ୟ ପାରାମେଡିକାଲ ପଦବିଗୁଡ଼ିକର ନିୟମିତ ନିଯୁକ୍ତି ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ଆବଶ୍ୟକ ପଦ‌କ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button