Outrage over broken slab: ଭଙ୍ଗା ସ୍ଲାବ୍‌କୁ ନେଇ ଉତ୍ତେଜନା: ବିପଜ୍ଜନକ ଡ୍ରେନ୍‌ରେ ଗଳିପଡ଼ିଲେ ଛାତ୍ରୀ

ପୁରୁଣା ଭୁବନେଶ୍ବର: ପୁରୁଣା ଭୁବନେଶ୍ବରର ଅନେକ ଜାଗାରେ ଡ୍ରେନ୍‌ସବୁ ବିପଜ୍ଜନକ ଅବସ୍ଥାରେ ରହିଛି। କେଉଁଠି ସ୍ଲାବ୍‌ ନାହିଁ ତ କେଉଁଠି ଭଙ୍ଗା ସ୍ଲାବ୍‌ ପଡ଼ିଛି। ଫଳରେ ମଣିଷ ଓ ଗୋରୁଗାଈମାନେ ଡ୍ରେନ୍‌ରେ ପଡ଼ି ଆହତ ହେଉଛନ୍ତି। ଆଜି ଗ୍ୟାରେଜ୍‌ ଛକରୁ ସାମନ୍ତରାପୁରକୁ ଲମ୍ବିଥିବା ରାସ୍ତା କଡ଼ ଡ୍ରେନ୍‌ରେ ଗଳିପଡ଼ି ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ଆହତ ଛାତ୍ରୀ ହେଲେ ନନ୍ଦକିଶୋର ନଗରର ପ୍ରଦୀପ ବାରିକଙ୍କ ୧୧ବର୍ଷର ଝିଅ ସାଇପ୍ରଜ୍ଞା ବାରିକ। ସେ ଟ୍ୟୁସନ୍‌ରୁ ଘରକୁ ଫେରୁଥିବା ବେଳେ ଏକ ଭଙ୍ଗା  ସ୍ଲାବ୍‌ରେ ଅସାବଧାନତାବଶତଃ ଗୋଡ଼ ପକାଇଦେଇଥିଲେ। ଫଳରେ ସ୍ଲାବ୍‌ ଭାଙ୍ଗିଯାଇଥିଲା ଏବଂ ଡ୍ରେନ୍‌ ଭିତରକୁ ସାଇପ୍ରଜ୍ଞା ଗଳି ପଡ଼ିଥିଲେ। ତାଙ୍କ ଗୋଡ଼ରେ ରଡ୍‌ ପଶିଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ହସ୍ପିଟାଲରେ ତାଙ୍କ ଗୋଡ଼ରେ ୯ଟି ଷ୍ଟିଚ୍‌ ପଡ଼ିଛି। ଏହି ଘଟଣାକୁ ନେଇ ଆଜି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଆଜିର ଅଘଟଣ ଏକ ଉଦାହରଣ ମାତ୍ର। ଏମିତି ପ୍ରାୟ ସବୁଦିନ ଘଟୁଛି। ଡ୍ରେନ୍‌ରେ ଅଧିକ ପାଣି ନଥିବାରୁ ବଡ଼ଧରଣର ଅଘଟଣ ଟଳି ଯାଇଛି। ବର୍ଷା ଦିନ ହୋଇଥିଲେ, କିଛି ବି ଅଘଟଣ ଘଟିବାର ବହୁ ସମ୍ଭାବନା ଥିଲା। ପୁରୁଣା ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଡ୍ରେନ୍‌ରେ ପୁରୁଣା ଭଙ୍ଗା ସ୍ଲାବ୍‌ ପଡ଼ିଛି। ଏନେଇ ସ୍ଥାନୀୟ ଲୋକେ ବିଏମ୍‌ସିରେ ମଧ୍ୟ ଅଭିଯୋଗ କରିଛନ୍ତି। ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ବିଏମ୍‌ସି ଡ୍ରେନେଜ୍‌ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ବହୁଥ ଥର ଅଭିଯୋଗ କରାଯାଇଛି। ଭଗ୍ନ ଓ ଦୁର୍ବଳ ଅବସ୍ଥାରେ ଥିବା ସ୍ଲାବ୍‌କୁ ବଦଳାଇ ନୂତନ ସ୍ଲାବ୍‌ ପକାଇବା ଓ ସ୍ଲାବ୍‌ ନଥିବା ସ୍ଥାନରେ ସ୍ଲାବ୍‌ ପକାଇବାକୁ ବିଏମ୍‌ସିକୁ ଦାବି କରାଯାଇଛି। ସେହିପରି ବରିଷ୍ଠ ଆଇନଜୀବୀ ଧନେଶ୍ୱର ମହାନ୍ତି କହିଛନ୍ତି ଯେ ଡ୍ରେନ୍‌ ଭିତରକୁ ଗଳିପଡ଼ିଥିବା ସ୍ଲାବ୍‌ ଯୋଗୁ ପାଣି ଜମିରହୁଛି। ରାମେଶ୍ବର ରାସ୍ତା, ଜମେଶ୍ବର ପାଟଣା ଅଞ୍ଚଳରେ ଡ୍ରେନ୍‌ ସଫେଇ ନହେବାରୁ ଡ୍ରେନ୍‌ ପାଣିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି। ମଶାଙ୍କ ପାଦୃର୍ଭାବ ବୃଦ୍ଧି ପାଉଛି। ପିଏମ୍‌ଆର୍‌ ସଂସ୍ଥାକୁ ଡ୍ରେନ୍‌ ସଫେଇ ଦାୟିତ୍ବ ଦିଆଯାଇଥିଲେ ହେଁ ଉକ୍ତ ସଂସ୍ଥା ନିଦାବିଷ୍ଣୁ ସାଜିଛି ବୋଲି ସେବାୟତ ଶରତ ଚନ୍ଦ୍ର ପଣ୍ଡା କହିଛନ୍ତି। ବିଏମ୍‌ସି ଡ୍ରେନେଜ୍‌ ବିଭାଗ ଏଦିଗରେ ବିହିତ ତଦାରଖ କରିବାକୁ ଦାବି କରାଯାଇଛି।

ସୌଜନ୍ୟ ସମ୍ବାଦ