ଭୁବନେଶ୍ବର: ଓଡ଼ିଶା ସନ୍ତରଣପ୍ରେମୀଙ୍କୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ଆଉ ଏକ ଅତ୍ୟାଧୁନିକ ସନ୍ତରଣାଗାର ଉପହାର ଦେଇଛନ୍ତି। କ୍ରୀଡ଼ା ବିଭାଗର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ) ପରିସରରେ ନିର୍ମିତ ୨୫ ମିଟର ଲମ୍ବ ବିଶିଷ୍ଟ ସନ୍ତରଣାଗାର ବା ସୁଇମିଂ ପୁଲ୍କୁ ଶ୍ରୀ ସୂରଜ ଆନୁଷ୍ଠାନିକ ଭାବେ ଶୁଭଉଦ୍ଘାଟନ କରିଛନ୍ତି। ଏହା ଦ୍ବାରା ତୃଣମୂଳ ସ୍ତରରୁ ସନ୍ତରଣ ପ୍ରତିଭାଙ୍କ ଚିହ୍ନଟ ଓ ବିକାଶ ହୋଇପାରିବ ବୋଲି ଆଶାପ୍ରକାଶ କରିଛନ୍ତି ସେ। ଏହି ଆଧୁନିକ ପ୍ରଶିକ୍ଷଣ ସୁବିଧା ଥିବା ସନ୍ତରଣାଗାର ପ୍ରତିଭାସମ୍ପନ୍ନ ସ୍ଥାନୀୟ ସନ୍ତରକମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ଏହି ଅବସରରେ କହିଛନ୍ତି ଶ୍ରୀ ସୂରଜ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ବିଭାଗର ଅତିରିକ୍ତ ଶାସନ ସଚିବ ବିଜୟ ସ୍ୱାଇଁ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ବେହୁରା, ଉପସଚିବ ଡ. ସ୍ୱରୂପାନନ୍ଦ ସାହୁ, ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଜିସିପିଇ ଅଧ୍ୟକ୍ଷ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

