ଆଗୁଆ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ
ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବରେ ଭାରତ ପ୍ରଥମ ବିଜୟ ପାଇବା ପରେ ଏବେ ଦଳ ଘରୋଇ ଜିମ୍ବାୱେ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ଜିତି ଆଗୁଆ ଶୃଙ୍ଖଳା କବ୍ଜା କରିବା ଲକ୍ଷ୍ୟ ରଖିଛି।

ହରାରେ: ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବରେ ଭାରତ ପ୍ରଥମ ବିଜୟ ପାଇବା ପରେ ଏବେ ଦଳ ଘରୋଇ ଜିମ୍ବାୱେ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ଜିତି ଆଗୁଆ ଶୃଙ୍ଖଳା କବ୍ଜା କରିବା ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍ ଶନିବାର ହରାରେରେ ଖେଳାଯିବ। ଆୟର୍ଲାଣ୍ଡ (୦-୨) ଏବଂ ଇଂଲଣ୍ଡ (୦-୪)ଠୁ ପରାଜୟ ବରଣ କରିଥିବା ୩ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ଭାରତ ଗୁରୁବାର ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ୭ ୱିକେଟ୍ରେ ଜିତି ଏଥିରେ ରୋକ୍ ଲଗାଇଥିଲା। ପ୍ରଥମ ମ୍ୟାଚ୍ରେ ବିସ୍ମୟ ବାଳକ (ବୈଭବ ସୂର୍ଯ୍ୟବଂଶୀ)ଙ୍କ ୧୯ ବଲ୍ରୁ ୫୦ ରନ୍ ଏବଂ ମୟଙ୍କ ଯାଦବଙ୍କ (୪-୦-୧୮-୨) ବୋଲିଂ ସଫଳତା ଯୋଗୁଁ ଭାରତ ସହଜ ବିଜୟ ପାଇଥିଲା।
ସୂର୍ଯ୍ୟବଂଶୀଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଈଶାନଙ୍କ ଦ୍ରୁତ ୩୫ ରନ୍ ଏବଂ ଅଧିନାୟକ ଆୟରଙ୍କ ଅପରାଜିତ ୨୮ ରନ୍ ବଳରେ ୧୨୬ ବିଜୟକୁ ୪୦ ବଲ୍ ପୂର୍ବରୁ ହାସଲ କରି ନେଇଥିଲା। ହେଲେ ଏଠାରେ ପୂର୍ବରୁ ନିଜର ପ୍ରଥମ ଟ୍ବେଣ୍ଟି-୨୦ ଶତକ ହାସଲ କରିଥିବା ଅଭିଷେକ ଶର୍ମା ଶସ୍ତାରେ ଆଉଟ୍ ହୋଇଥିଲେ। ଦ୍ବିତୀୟ ମ୍ୟାଚ୍ରେ ନିଜ ବିସ୍ଫୋରକ ବ୍ୟାଟିଂ ଦେଖାଇବାକୁ ଅନେଇ ବସିଛନ୍ତି। ଭାରତୀୟ ଦ୍ରୁତ ବୋଲର ମଧ୍ୟ ଚମତ୍କାର ବୋଲିଂ କରି ଦଳୀୟ ମ୍ୟାନେଜ୍ମେଣ୍ଟକୁ ଖୁସି କରି ଦେଇଛି। ଅନ୍ୟପକ୍ଷରେ ଭାରତୀୟ ବୋଲିଂକୁ ସଠିକ୍ ଢଙ୍ଗରେ ଖେଲି ନପାରି ଜିମ୍ବାୱେ ପାୱାର ପ୍ଲେ ମଧ୍ୟରେ ଏକାଧିକ ୱିକେଟ୍ ହରାଇଥିଲା। ହେଲେ ଘରୋଇ ଦଳ ୨୬/୩ରୁ ୧୨୫ ରନ୍ର ଆହ୍ବନପୂର୍ଣ୍ଣ ସ୍କୋର୍ କରିଥିଲା।
ସମ୍ଭାବ୍ୟ ଭାରତୀୟ ଦଳ: ଶ୍ରେୟସ ଆୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଳକ ବର୍ମା (ଉପଅଧିନାୟକ), ଈଶାନ କିଶନ (ୱିକେଟ୍କିପର), ଶିବମ ଦୁବେ, ରିଙ୍କୁ ସିଂହ, ଅଶୋକ ଶର୍ମା, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ରବି ବିଷ୍ଣୋଇ।
ସମ୍ଭାବ୍ୟ ଜିମ୍ବାୱେ ଦଳ: ବ୍ରାଏନ ବେନେଟ, ବେନ୍ କରନ, ତଡ଼ିୱାନାସେ ମରୁମଣି (ୱିକେଟ୍କିପର), ଡିଅନ୍ ମେୟର୍ସ, ସିକନ୍ଦର ରାଜା (ଅଧିନାୟକ), ରିୟାନ ବୁର୍ଲ, ୱେସ୍ଲେ ମାଧେବୀରା, ବ୍ରାଡ୍ ଇଭାନ୍ସ, ନ୍ୟୁମ୍ୟାନ୍ ନେମୁରି, ରିଚାର୍ଡେ ଏନ୍ଗରଭା, ବ୍ଲେସିଂ ମୁଜରବାନି।
ସୌଜନ୍ୟ ସମ୍ବାଦ




