ଭୁବନେଶ୍ବର: ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ‘ଆମ ଓଡ଼ିଶା’ ସଂଗଠନ ଚଳିତ ବର୍ଷ ପୁଣିଥରେ ରେକର୍ଡ ସଂଖ୍ୟକ ୟୁନିଟ୍ ରକ୍ତ ସଂଗ୍ରହ କରିଛି। ହଜାର ହଜାର ରକ୍ତଦାତାଙ୍କ ସହଯୋଗରେ ‘ଆମ ଓଡ଼ିଶା’ ୨୦୨୫ରେ ପୁଣି ୬୮ ହଜାର ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ‘ଆମ ଓଡ଼ିଶା’ ରାଜ୍ୟର ୩୧୪ଟି ବ୍ଲକ୍ର ଅଗମ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କର ଜରୁରୀ ଆବଶ୍ୟକତାକୁ ମେଣ୍ଟାଇପାରିଛି। ଦୀର୍ଘ ୨୦ ବର୍ଷ ଧରି ସବୁ ବର୍ଗର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଚାଲିଥିବା ‘ଆମ ଓଡ଼ିଶା’ ୨୦୨୫ରେ ସାରା ରାଜ୍ୟରେ ୧୩୫୮ଟି ଶିବିର ଆୟୋଜନ କରି ୬୮,୩୩୦ ୟୁନିଟ୍ ରକ୍ତ ସଂଗ୍ରହ କରିଛି। ୨୦୦୬ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୨୦ ବର୍ଷ ମଧ୍ୟରେ ୧୮,୮୦୬ଟି ଶିବିର ଆୟୋଜିତ ହୋଇଛି। ଏଥିରୁ ୯ ଲକ୍ଷ ୩୩ ହଜାର ୫୫୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।

