ଓଡିଶା

Andhra Pradesh: ଆନ୍ଧ୍ର କବଜାରେ ଦୋରାଗୁଡ଼ା: ସୀମାନ୍ତ ଗାଁ ହାତେଇବା ପାଇଁ ବିକାଶ ଫନ୍ଦି

କୋରାପୁଟର କୋଟିଆ ପରେ ଏବେ ମାଲକାନଗିରି ଜିଲ୍ଲାର ସୀମାନ୍ତ ଗାଁ ଉପରେ ଆଖି ପକାଇଛି ଆନ୍ଧ୍ର। ଚିତ୍ରକୋଣ୍ଡା ବ୍ଲକ୍‌ ଯନ୍ତ୍ରୀ ପଞ୍ଚାୟତର ଦୋରାଗୁଡ଼ା ଗାଁକୁ ସମ୍ପୂର୍ଣ୍ଣ କବଜା କରି ନେଇଛି। ଗ୍ରାମବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛି।

ମାଲକାନଗିରିକୋରାପୁଟର କୋଟିଆ ପରେ ଏବେ ମାଲକାନଗିରି ଜିଲ୍ଲାର ସୀମାନ୍ତ ଗାଁ ଉପରେ ଆଖି ପକାଇଛି ଆନ୍ଧ୍ର। ଚିତ୍ରକୋଣ୍ଡା ବ୍ଲକ୍‌ ଯନ୍ତ୍ରୀ ପଞ୍ଚାୟତର ଦୋରାଗୁଡ଼ା ଗାଁକୁ ସମ୍ପୂର୍ଣ୍ଣ କବଜା କରି ନେଇଛି। ଗ୍ରାମବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛି। ଓଡ଼ିଶା ପ୍ରଶାସନ ଦୋରାଗୁଡ଼ାର ବିକାଶକୁ ଦଶନ୍ଧି ଦଶନ୍ଧି ଧରି ଅଣଦେଖା କରିବା ପରେ ବିକାଶ ନାଁରେ ଏହାର ଫାଇଦା ନେଇଛି ଆନ୍ଧ୍ର। ୩୦ ପରିବାର ବସବାସ କରୁଥିବା ଦୋରାଗୁଡ଼ାକୁ ଯାତାୟାତ ପାଇଁ ବ୍ଲକ୍‌ ଓ ପଞ୍ଚାୟତ ସଦର ମହକୁମାରୁ ନିତିଦିନିଆ ରାସ୍ତା ନାହିଁ। ଆନ୍ଧ୍ର ଦେଇ ଯିବାକୁ ପଡ଼ୁଥିବାରୁ ଏହି ଗାଁକୁ ପ୍ରଶସ୍ତ ରାସ୍ତା ତିଆରି କରୁଛି ଆନ୍ଧ୍ର। ଓଡ଼ିଆ ପିଲା ଆନ୍ଧ୍ରର ଅସ୍ଥାୟୀ ସ୍କୁଲରେ ତେଲୁଗୁ ପାଠ ପଢୁଛନ୍ତି।

 

ତିଆରି କରିଛି ରାସ୍ତା, ଅସ୍ଥାୟୀ ସ୍କୁଲରେ ତେଲୁଗୁ ଶିକ୍ଷା
ଆବାସ ସହ ଯୋଗାଇଛି ଭତ୍ତା, ମାଗଣା ବିଦ୍ୟୁତ୍‌ ସେବା

ଫଳରେ ଛାତ୍ରଛାତ୍ରୀ ମାତୃଭାଷା ଓଡ଼ିଆକୁ ଭୁଲି ତେଲୁଗୁ କହୁଛନ୍ତି। ସବୁ ଘରକୁ ମାଗଣାରେ ବିଦ୍ୟୁତ୍‌ ଓ ପାନୀୟ ଜଳ ଯୋଗାଇଛି ଆନ୍ଧ୍ର। ଘନ ଅନ୍ଧକାର ଦୂର ପାଇଁ ଗାଁରେ ଲଗାଇଛି ସୌର ଲାଇଟ୍‌। ପିଡିଏସ୍‌ ଚାଉଳ ମଧ୍ୟ ଯୋଗାଇ ଦେଇଛି। ଓଡ଼ିଶାର ପଟ୍ଟା ଜାଗା ଉପରେ ବିଦ୍ୟାଳୟ ଓ ଚିକିତ୍ସାଳୟ ଗୃହ କାର୍ଯ୍ୟ ଜାରି ରଖିଥିଲେ ସୁଦ୍ଧା ମାଲକାନଗିରି ଜିଲ୍ଲା ପ୍ରଶାସନ ଏ ଦିଗରେ ନିରବଦ୍ରଷ୍ଟା ପାଲଟିଛି। କେବଳ ସେତିକି ନୁହେଁ, ଆବାସ ଯୋଜନା ପାଇଁ ହିତାଧିକାରୀଙ୍କୁ ଅନୁଦାନ ଯୋଗାଇ ଆନ୍ଧ୍ରର ଭୋଟର ଓ ଆଧାର କାର୍ଡ ତାଲିକାରେ ଗ୍ରାମବାସୀଙ୍କୁ ସାମିଲ କରିଛି। ଓଡ଼ିଶା ସରକାର କିମ୍ବା ମାଲକାନଗିରି ଜିଲ୍ଲା ପ୍ରଶାସନ କୌଣସି ମୌଳିକ ସୁବିଧା ପହଞ୍ଚାଇନଥିବାରୁ ଆନ୍ଧ୍ରର ସୁବିଧା ସୁଯୋଗ ପାଇ ଆନ୍ଧ୍ରମୁହାଁ ହୋଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

 

ବିକାଶକୁ ଫନ୍ଦି କରି ଆନ୍ଧ୍ରକୁ ଲାଗି ରହିଥିବା ସ୍ବାଭିମାନ ଅଞ୍ଚଳର ସୀମାନ୍ତ ଗାଁଗୁଡ଼ିକୁ ଟାର୍ଗେଟ୍‌ କରୁଛି ଆନ୍ଧ୍ର। ଦୋରାଗୁଡ଼ା ପୂର୍ବରୁ ଜୁମଡାଙ୍ଗ ଗାଁକୁ ମଧ୍ୟ କବଜାକୁ ନେଇଛି। ପ୍ରଶାସନିକ ଅଧିକାରୀଙ୍କ ପାଦ ସୀମାନ୍ତ ଗାଁରେ ପଡ଼ୁନଥିବା ବେଳେ ଆନ୍ଧ୍ର ଅଧିକାରୀ ନିୟମିତ ଭାବେ ଓଡ଼ିଶାର ସୀମାନ୍ତ ଗାଁକୁ ଆସି ନିଜ ସ୍ଥିତିକୁ ସୁଦୃଢ଼ କରୁଛନ୍ତି। ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି, ତହସିଲ ଓ ବ୍ଲକ୍‌ କର୍ମଚାରୀଙ୍କୁ ଦୋରାଗୁଡ଼ା ଗାଁକୁ ପଠାଇ ସ୍ଥିତି ଅନୁଧ୍ୟାନ କରାଯିବ। ଓଡ଼ିଶା ପଟୁ ଗାଁଗୁଡ଼ିକ ଅପହଞ୍ଚ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ତୁରନ୍ତ ଏହାର ସମାଧାନ କରାଯିବ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button