ପୁନଶ୍ଚ ପୃଥିବୀ

Environmental warrior: ପରିବେଶ ଯୋଦ୍ଧା: କେବେ କୋଦାଳ ତ କେବେ କଲମ

ଉପ‌େରାକ୍ତ ଗୀତିକବିତାର ସ୍ରଷ୍ଟା ପରିବେଶ ପାଇଁ କେତେବେଳେ ହାତରେ କୋଦାଳ ଧରନ୍ତି ତ ପୁଣି କେବେ କଲମ। ମାଟିକାଦୁଅରେ ଲଟପଟ ହୋଇ ବୃକ୍ଷରୋପଣରେ ଦିନ ସରିଗଲା ପରେ ରାତିରେ ଏକାନ୍ତରେ ବସି ଲେଖିଚାଲନ୍ତି ସଚେତନତାଧର୍ମୀ ଗୀତ....

‘‘ପରିବେଶ ଆମ ପରିବେଶ, 
ପରିବେଶ ଆମ ପରିବେଶ।
ପୃଥିବୀ କହୁଛି ମୋତେ ବଞ୍ଚାଅ, 
ପାହାଡ଼ କହୁଛି ମୋତେ ବଞ୍ଚାଅ
ଜଙ୍ଗଲ କହୁଛି ମୋତେ ବଞ୍ଚାଅ, 
ସମୁଦ୍ର କହୁଛି ମୋତେ ବଞ୍ଚାଅ
ନହେଲେ ହୋଇଯିବ ଶେଷ, 
ପରିବେଶ ଆମ ପରିବେଶ।’’ 

ଉପ‌େରାକ୍ତ ଗୀତିକବିତାର ସ୍ରଷ୍ଟା ପରିବେଶ ପାଇଁ କେତେବେଳେ ହାତରେ କୋଦାଳ ଧରନ୍ତି ତ ପୁଣି କେବେ କଲମ। ମାଟିକାଦୁଅରେ ଲଟପଟ ହୋଇ ବୃକ୍ଷରୋପଣରେ ଦିନ ସରିଗଲା ପରେ ରାତିରେ ଏକାନ୍ତରେ ବସି ଲେଖିଚାଲନ୍ତି ସଚେତନତାଧର୍ମୀ ଗୀତ, କବିତା ଓ ନାଟକ। ପାଖାପାଖି ୪୦ ବର୍ଷ ହେବ ପରିବେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ମଧୁସୂଦନ ଦାସ। ରେଭେନ୍‌ସା କଲେଜରେ ସ୍ନାତକ କରିଥିବା ଏହି ପରିବେଶ ପ୍ରେମୀ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ପାଠ ବି ପଢ଼ିଛନ୍ତି। ସଂପ୍ରତି ସେ ନ୍ୟାସ୍‌ନାଲ୍‌ ୟୁଥ୍‌ ପ୍ରୋଜେକ୍ଟର ନ୍ୟାସ୍‌ନାଲ୍‌ ଟ୍ରଷ୍ଟି ଥିବାବେଳେ ଓଡ଼ିଶାର ଆବାହକ ଅଛନ୍ତି। ଆମ ରାଜ୍ୟର ୧୦୦ ବର୍ଷ ପୂର୍ତ୍ତିକୁ ଲକ୍ଷ୍ୟ କରି ସେ ‘ଓଡ଼ିଶା ପୁନଃନିର୍ମାଣ ଅଭିଯାନ’ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଜରିଆରେ ଓଡ଼ିଶାର କୋଣଅନୁକୋଣରେ ସୁସ୍ଥ, ସବୁଜ, ସ୍ବଚ୍ଛ, ସ୍ବାବଲମ୍ବୀ ଓ ସ୍ବାଭିମା‌ନୀ ଗାଁ ଗଠନର ସ୍ବପ୍ନ ଦେଖିଛନ୍ତି। ଏବେ ସୁଦ୍ଧା ସେ ନିଜ ଅଞ୍ଚଳ ବ୍ୟତୀତ ବୌଦ୍ଧ, କେନ୍ଦ୍ରାପଡ଼ା, ମୟୂରଭଞ୍ଜଯାଜପୁର ଓ ଅନ୍ୟାନ୍ୟ ଜିଲ୍ଲାର ଗ୍ରାମଗୁଡ଼ିକରେ ନିଜର କମିଟି ସଦସ୍ୟମାନଙ୍କୁ ଲଗାଇ ବୃକ୍ଷରୋପଣ କରିସାରିଛନ୍ତି।

 

ମଧୁସୂଦନ କହନ୍ତି, ‘‘ଉତ୍କଳ ସମ୍ମିଳନୀରେ ଗୃହୀତ ହୋଇଥିବା ଅନେକ ପ୍ରସ୍ତାବ ମଧ୍ୟରୁ ଓଡ଼ିଆ ଜାତି ସ୍ବାସ୍ଥ୍ୟ, କୃଷି ଓ ପରିବେଶ ପାଇଁ କାମ କରିବ ବୋଲି ଏକ ପ୍ରସ୍ତାବ ରହିଥିଲା। ହେଲେ ଜଳବାୟୁ ପରିବର୍ତ୍ତନ ଓ ଅସନ୍ତୁଳିତ ପରିବେଶ ଦେଖିଲେ ଅନୁଭବ କରି ହେଉଛି ଯେ ଆମେ କେତେ ପଛୁଆ। କାନାଡାରେ ଜଣେ ଲୋକ ପିଛା ୬୨୫୦ ଗଛ ଥିବା ବେଳେ ଆମ ଓଡ଼ିଶାରେ ଜଣେ ଲୋକ ପିଛା ମାତ୍ର ୨୮ଟି ଗଛ ରହିଛି। ଆମ ପିଲାଏ ଗଛ ବଦଳରେ ପ୍ଲାଷ୍ଟିକ୍‌ ଷ୍ଟାଣ୍ଡରେ ଦୋଳି ବାନ୍ଧିବେ, ଜଙ୍ଗଲ ବଦଳରେ ଖାଲି କଂକ୍ରିଟ୍‌ ନିର୍ମାଣ ଦେଖିବେ। ଏଭଳି ଏକ ପରିସ୍ଥିତି ଉପୁଜିବା ଆଗରୁ ଆମକୁ ସଚେତନ ହେବାକୁ ପଡ଼ିବ।’’

 

ସେ ବୃକ୍ଷରୋପଣ ମାଧ୍ୟମରେ ଗ୍ରାମ୍ୟ ସବୁଜ ବଳୟ ବି ସୃଷ୍ଟି କରୁଛନ୍ତି। ଅର୍ଥାତ୍‌, ଗାଁକୁ ଘେରି ରହିବା ପରି ବିରାଟକାୟ ଗଛ ସବୁ ରୋପଣ  କରି ପ୍ରାକୃତିକ ଦୁର୍ବିପାକରୁ ଗାଁକୁ ସୁରକ୍ଷା ଦେବାର ଚିନ୍ତା‌ କରିଛନ୍ତି। ଏହାଛଡ଼ା ଜନ୍ମଦିନ, ବିବାହ ବାର୍ଷିକୀ ଓ ଶ୍ରାଦ୍ଧ ବାର୍ଷିକୀରେ ସେ ଲୋକମାନଙ୍କୁ ଅନ୍ତତଃ ଗୋଟାଏ ଗଛ ଲଗାଇ ଦିନଟିକୁ ସ୍ମରଣୀୟ କରିବାକୁ ପରାମର୍ଶ ଦିଅନ୍ତି। ସେହିପରି ବିବାହ, ବ୍ରତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଛ ଉପହାର ଦେବାକୁ ଲୋକଙ୍କୁ ଉତ୍ସାହିତ କରନ୍ତି।
ସ୍କୁଲ ପିଲାଏ ମଧୁସୂଦନଙ୍କ ଲିଖିତ ନାଟକକୁ ମଞ୍ଚରେ ପରିବେଷଣ କରି ପରିବେଶ ସଚେତନତା ସୃଷ୍ଟି କରୁଛନ୍ତି। ଶତାଧିକ ପ୍ରେରଣାଦାୟୀ ଗୀତ, ମନଛୁଆଁ କବିତା ଓ ନାଟକ ଜରିଆରେ ସେ ସଚେତନତା ବାଣ୍ଟୁଛନ୍ତି। ସ୍କୁଲ୍‌ ପଢୁଆ ପିଲାଙ୍କୁ ସେ ଅଧିକ ଦୃଷ୍ଟି ଦିଅନ୍ତି। ମଧୁସୂଦନ କହନ୍ତି, ଯଦି ପିଲାବେଳୁ ପରିବେଶ ପ୍ରେମ ଜାଗ୍ରତ କରି ଦିଆଯାଏ, ସେ ପିଲା ବଡ଼ ହେଲେ ନିଶ୍ଚୟ ପରିବେଶର ମହତ୍ତ୍ବ ବୁଝିବ ଏବଂ ସେ ଦିଗରେ କାର୍ଯ୍ୟ କରିବ।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button