They cheated their brother-in-law: ଭିଣୋଇ ଠକିଲେ, ଶଳାଙ୍କୁ ଅପହରଣ: ଅପହୃତ ବରଗଡ଼ରୁ ଉଦ୍ଧାର, ୩ ଗିରଫ
ଭିଣୋଇ ନେଇଥିବା ଟଙ୍କା ନ ଫେରାଇବାରୁ ଶଳାଙ୍କୁ ଅପହରଣ କରି ନେଇଥିଲେ ଯୁବକ। ମଧୁପାଟଣା ଥାନା ପୁଲିସ ବରଗଡ଼ରେ ଚଢ଼ଉ କରି ସମ୍ପୃକ୍ତ ୩ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗାର....

କଟକ: ଭିଣୋଇ ନେଇଥିବା ଟଙ୍କା ନ ଫେରାଇବାରୁ ଶଳାଙ୍କୁ ଅପହରଣ କରି ନେଇଥିଲେ ଯୁବକ। ମଧୁପାଟଣା ଥାନା ପୁଲିସ ବରଗଡ଼ରେ ଚଢ଼ଉ କରି ସମ୍ପୃକ୍ତ ୩ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବଲାଙ୍ଗୀରଜିଲ୍ଲା ଲୋଇସିଙ୍ଗାର ଦିବ୍ୟଲୋଚନ ବେହେରା(୪୮), ବନ୍ଧପଡ଼ାର ଅଜିତ ମିଶ୍ର(୩୫) ଓ ସୋନପୁର ଜିଲ୍ଲା ବୀରମହାରାଜପୁରର ଜମ୍ବେଶ୍ୱର ମିଶ୍ର(୩୬)। ଅଭିଯୁକ୍ତଙ୍କ ନିକଟରୁ ୩ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଜଗତସିଂହପୁର ବିରିଡ଼ି ଥାନା ଉତ୍ତରଶାସନର ତପନ କୁମାର ଶତପଥୀ ଖପୁରିଆରେ ଥିବା ଓଏସ୍ଆଇସିରେ କାମ କରନ୍ତି। ଗଲା ୨୬ ତାରିଖ ରାତିରେ ଶ୍ରୀ ଶତପଥୀ ତାଳଦଣ୍ଡା କେନାଲ ରାସ୍ତାରେ ଘରକୁ ଫେରୁଥିଲେ। ଫେରିବା ରାସ୍ତାରେ ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ମୋବାଇଲ ସୁଇଚ ଅଫ୍ ହୋଇଯାଇଥିଲା। ତାଙ୍କ ଭାଇ କେଶବ ଚନ୍ଦ୍ର ଶତପଥୀ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୋଟିଏ ଦିନ ପରେ ତପନ ଶତପଥୀଙ୍କ ଭିଣୋଇ ବୟାଳିଶମୌଜାରେ ରହୁଥିବା ଅକ୍ଷୟ କୁମାର ପତିଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା। ତପନଙ୍କୁ ଅପହରଣ କରାଯାଇଥିବା କହିବା ସହିତ ୨ ଲକ୍ଷ ଟଙ୍କା ମାଗିଥିଲେ। ଏଭଳି ଫୋନ୍ କଲ୍ ପାଇବା ପରେ ମଧୁପାଟଣା ଥାନାରେ ଅକ୍ଷୟ କୁମାର ପତି ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ମାମଲାକୁ ଅପହରଣ ମାମଲାରେ ପରବର୍ତ୍ତନ କରି ସେହି ଦିଗରେ ତଦନ୍ତ କରିଥିଲା। ଜୋନ୍ ଏସିପି ଅଶୋକ କୁମାର ଗିରିଙ୍କ ନିର୍ଦ୍ଦେଶକ୍ରମେ ଥାନା ଆଇଆଇସି ଚିତ୍ତରଞ୍ଜନ ରାଉତ ଏକ ଟିମ୍ ଗଠନ କରିଥିଲେ। ଥାନା ଏସ୍ଆଇ ମୁଦୁରା ଯୁଧିଷ୍ଠିର, ଦୁଇ କନେଷ୍ଟବଳ ଓ ସ୍ପେସାଲ୍ ସ୍କ୍ୱାଡ୍ର ଦୁଇ କନେଷ୍ଟବଳଙ୍କୁ ନେଇ ଏକ ଟିମ୍ ବଲାଙ୍ଗୀର ଯାଇଥିଲା। ଯେଉଁ ଫୋନ୍ ନମ୍ବରରୁ ଧମକପୂର୍ଣ୍ଣ କଲ୍ ଆସିଥିଲା, ଉକ୍ତ ନମ୍ବର ଟ୍ରାକ୍ କରି ବଲାଙ୍ଗୀରରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ସେଠାରୁ ପଳାଇଥିଲେ। ପରେ ବରଗଡ଼ରେ ଏକ ହୋଟେଲ୍ରେ ପୁଲିସ ଚଢ଼ଉ କରି ତପନଙ୍କୁ ଉଦ୍ଧାର କରିଥିଲା। ହୋଟେଲ୍ରୁ ଅପହରଣରେ ସମ୍ପୃକ୍ତ ଦିବ୍ୟଲୋଚନ, ଅଜିତ ଓ ଜମ୍ବେଶ୍ୱରକୁ ଗିରଫ କରାଯାଇଥିଲା।
ଏହି ଘଟଣାର ତଦନ୍ତ ସମୟରେ ଏକ ଚାକିରି ଠକେଇ ଘଟଣାର ପର୍ଦ୍ଦାଫାସ ହୋଇଛି। ଅପହରଣ ହୋଇଥିବା ତପନଙ୍କ ଭିଣୋଇ ବୟାଳିଶମୌଜାର ଅକ୍ଷୟ କିଛି ମାସ ତଳେ ଏକ ଖବରକାଗଜରେ ଚାକିରି ସଂକ୍ରାନ୍ତ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ପଶ୍ଚିମ ଓଡ଼ିଶାର ଅନେକ ବେକାର ଯୁବକ ଅକ୍ଷୟଙ୍କୁ ଯୋଗାଯୋଗ କରିଥିଲେ। ଅକ୍ଷୟ ଚାକିରି ଦେବା ବଦଳରେ ଅନେକ ଯୁବକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ। ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ। ଶେଷରେ ଟଙ୍କା ଅସୁଲ ପାଇଁ ଦିବ୍ୟଲୋଚନ, ଅଜିତ ଓ ଜମ୍ବେଶ୍ୱର କଟକ ଆସି ଅକ୍ଷୟଙ୍କର ଶଳା ତପନଙ୍କୁ ଅପହରଣ ଯୋଜନା କରିଥିଲେ। ଗତ ୨୬ ତାରିଖ ସନ୍ଧ୍ୟାରେ ତିନି ଯୁବକ ଏକ କାର୍ରେ କଟକ ଆସି ତପନଙ୍କୁ ଖପୁରିଆ ସ୍ଥିତ ଅଫିସରୁ ଫେରିଲା ବେଳେ ପିଛା କରିଥିଲେ। ତାଳଦଣ୍ଡା ରାସ୍ତାରେ ଯିବାବେଳେ ଅପହରଣ କରି ବଲାଙ୍ଗୀର ପଳାଇଥିଲେ। ସେମାନେ ତାଙ୍କୁ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ବରଗଡ଼ ନେଇଯାଇଥିଲେ ବୋଲି ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ କହିଛନ୍ତି।
ସୌଜନ୍ୟ ସମ୍ବାଦ




