ପୁରୀ ଦୁର୍ଘଟଣା: ଘଟଣାସ୍ଥଳରେ ଉତ୍ତେଜନା, ୪ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ସକାଳେ ପୁରୀ ବଡଦାଣ୍ଡ ବଳଗଣ୍ଡି ଛକରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ବର୍ଷର ନାବାଳକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ୪ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବୋଲେରୋ ଓ ସ୍କୁଟି ଧକ୍କାରେ ଜଣେ ନିଷ୍ପାପ ଶିଶୁଙ୍କ ଦେହାନ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ମେଡିକାଲରେ ଅବ୍ୟବସ୍ଥା ଓ ବଡଦାଣ୍ଡରେ ଟ୍ରାଫିକ ସମସ୍ୟା ନେଇ ପ୍ରଶାସନକୁ ଦାୟୀ କରିଛନ୍ତି ।
ଆଜି ସକାଳେ ବଡଦାଣ୍ଡରେ ଜେଜେ ଓ ତାଙ୍କ ପାଞ୍ଚ ବର୍ଷୀୟ ନାତି ସ୍କୁଟିରେ ଜଳଖିଆ କିଣିବାକୁ ବଳଗଣ୍ଡି ଛକକୁ ଆସିଥିଲେ । ଜଳଖିଆ କିଣିବା ପରେ ଉଭୟ ସ୍କୁଟିରେ ଯାଉଥିବା ବେଳେ ପଛରେ ଆସି ଏକ ବୋଲେରୋ ହଠାତ୍ ଧକ୍କା ଦେଇଥିଲା । ଜେଜେ ତଳେ ପଡିଯିବା ପରେ ବୋଲେରୋଟି ଛୋଟ ପିଲାଟିକୁ ଘୋଷାଡି ନେଇଥିଲା । ଏହା ଦେଖି ଲୋକମାନେ ହୋହାଲ୍ଲା କରିବାରୁ ବୋଲେରୋ ଡ୍ରାଇଭର ଫେରାର ବେହାକୁ ଯାଉଥିବା ବେଳେ ଲୋକମାନେ ତାଙ୍କୁ କାବୁ କରିଥିଲେ । ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକ ପିଲାଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ହେଲେ ପିଲାଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ନାବାଳକ ହେଲେ ଶ୍ରେୟାଂଶ ଦେ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ପହଞ୍ଚି ତଦନ୍ତ କରୁଛି ।
ସୌଜନ୍ୟ ସମ୍ବାଦ




